କନକ ବ୍ୟୁରୋ : ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ପ୍ରଥମ ଗିରଫ । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହଯୋଗୀ ବିଜୟ ନାୟରଙ୍କ ଗିରଫ କରିଛି ସିବିଆଇ । ନାୟର ଅବକାରୀ ନୀତି ତିଆରି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସୂଚନା ରହିିଛି । ଗତ ମାସରେ ସିବିଆଇ ଏହି ମାମଲାରେ ମୋଟ୍ ୧୫ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଥିଲା । ଯେଉଁଥିରେ ନାୟାର ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନାମ ରହିଛି । ନାୟାର ଆମ୍ ଆଦମୀ ପାର୍ଟିର ପ୍ରଚାର ଦାୟିତ୍ୱରେ ଥିଲେ ।

Advertisment

ପୂର୍ବରୁ ପଞ୍ଜାବ ଏବଂ ଗୁଜୁରାଟରେ ପ୍ରଚାର ରଣନୀତିର ବିକାଶ ତଥା କାର୍ଯ୍ୟକାରୀ କରିବା ପାଇଁ ସେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ସିବିଆଇର ଦାବି ଅନୁସାରେ ଅବକାରୀ ନୀତିକୁ ଏପରି ଭାବେ ପ୍ରସ୍ତୁତ କରାଯାଇଥିଲା ଯେ ମଦ ଲାଇସେନ୍ସ ପ୍ରଦାନ ପାଇଁ ଉପରାଜ୍ୟପାଳଙ୍କ ଅନୁମୋଦନ ଆବଶ୍ୟକ ପଡ଼ିବ ନାହିଁ । ଏହି ନୀତି ଗତବର୍ଷ ନଭେମ୍ବର ମାସରେ ଆଗତ ହୋଇଥିଲା ଓ ଉପ-ରାଜ୍ୟପାଳ ଭି.ଆର.ସାକ୍ସେନାଙ୍କ ଦ୍ୱାରା ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ଗତ ଜୁଲାଇ ମାସରେ ଏହାକୁ ଦିଲ୍ଲୀ ସରକାର ପ୍ରତ୍ୟାହାର କରିନେଇଥିଲେ । ପରେ ଅଗଷ୍ଟ ମାସରେ ସିବିଆଇ ସିସୋଦିଆଙ୍କ ବାସଭବନ ଓ ଅଫିସରେ ଚଢଉ କରିଥିଲା ।