ବଢୁଛି ସିସୋଦିଆଙ୍କ ପାଇଁ ଅଡୁଆ । ଜାମିନ ଆବେଦନ ଉପରେ ୨୨ ତାରିଖରେ ଶୁଣାଣି, ୧୭ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଲା ଇଡି

49

କନକ ବ୍ୟୁରୋ : ବଢୁଛି ଆପ୍ ନେତା ତଥା ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କ ଅଡୁଆ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ସିସୋଦିଆଙ୍କୁ ୭ ଦିନିଆ ରିମାଣ୍ଡରେ ନେଇଛି ଇଡି । ସିସୋଦିଆଙ୍କୁ ୧୦ ଦିନିଆ ରିମାଣ୍ଡରେ ନେବାକୁ କୋର୍ଟରେ ଆବେଦନ କରିଥିଲା ଇଡି । କିନ୍ତୁ କୋର୍ଟ ଗୋଟିଏ ସପ୍ତାହ ପାଇଁ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ଇଡି ଗୁରୁବାର ମନିଷଙ୍କୁ ଗିରଫ କରିବା ପରେ ଶୁକ୍ରବାର ରିମାଣ୍ଡ ପାଇଁ ଆବେଦନ କରିଥିଲା । ହେଲେ ଏହାକୁ ବିରୋଧ କରିଥିଲେ ସିସୋଦିଆଙ୍କ ଓକିଲ ଦୟାନ କ୍ରିଷ୍ଣା । ସିବିଆଇ ଏହି ମାମଲାରେ ତଦନ୍ତ କରୁଥିବା ବେଳେ ଆର୍ଥିକ କାରବାର ନେଇ କୌଣସି ପ୍ରମାଣ ନାହିଁ । ତେଣୁ ଇଡି ଏହି ମାମଲା ତଦନ୍ତ କରିପାରିବ ନାହିଁ ବୋଲି ସିସୋଦିଆଙ୍କ ଓକିଲ କୋର୍ଟକୁ କହିଥିଲେ ।

ହେଲେ ଏହି ମାମଲାରେ ସିସୋଦିଆଙ୍କ ସିଧାସଳଖ ସମ୍ପୃକ୍ତି ଥିବା କୋର୍ଟକୁ କହିଥିଲା ଇଡି । ମାର୍ଚ୍ଚ ୬ ତାରିଖ ସିବିଆଇ ଦ୍ୱାରା ଗିରଫ ହୋଇ ଏବେ ତିହାର ଜେଲରେ ଅଛନ୍ତି ସିସୋଦିଆ । ଏପଟେ ଏହି ମାମଲାର ଅର୍ଥ କାରବାରରେ ମୁଖ୍ୟ ଅଭିଯୁକ୍ତ କହୁଯାଉଥିବା ସୁକେଶ ଚନ୍ଦ୍ରଶେଖର ବିସ୍ଫୋରକ ବୟାନ ଦେଇଛନ୍ତି । ସିସୋଦିଆଙ୍କ ଗିରଫ ପରେ ସତ୍ୟ ସାମ୍ନାକୁ ଆସଛି । ଏହାପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପାଳି ବୋଲି ସେ କହିଛନ୍ତି । କେଜ୍ରିୱାଲ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ । ମନିଷ ସିସୋଦିଆ ଏବଂ ସତ୍ୟନ୍ଦ୍ର ଜୈନ କେଜରୀୱାଲଙ୍କ ଇସାରାରେ କାର୍ଯ୍ୟ କରୁଥିଲେ ବୋଲି କହିଛନ୍ତି ସୁକେଶ । ତେବେ ସିସୋଦିଆ ଗିରଫ ହେବା ପରେ ବିଜେପି ଆପ ସରକାର ବିରୋଧରେ ଦିଲ୍ଲୀରେ ବିକ୍ଷୋଭ କରିଛି ।