ଦିଲ୍ଲୀ ଦେହରୁ ହିଂସାକାଣ୍ଡର ଦାଗ ଛଡେଇବାକୁ ପ୍ରଶାସନର ଉଦ୍ୟମ । ପୋଲିସର ଫ୍ଲାଗମାର୍ଚ ଭିତରେ ସ୍ୱାଭାବିକ ହେଉଛି ଜନଜୀବନ

120

କନକ ବ୍ୟୁରୋ : ଧୀରେ ଧୀରେ ଦିଲ୍ଲୀକୁ ଫେରୁଛି ଶାନ୍ତି । ସିଏଏ ବିରୋଧରେ ଉତର ଦିଲ୍ଲୀରେ ଦେଖାଦେଇଥିବା ହିଂସାକାଣ୍ଡ ପରେ ସ୍ଥିତି ଏବେ ସୁଧୁରିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ସତର୍କତା ଗ୍ରହଣ କରାଯିବା ପରେ କୌଣସି ସ୍ଥାନରେ ଅପ୍ରିତିକର ଘଟଣା ନଜର ଆସିନି । ସେପଟେ ଦିଲ୍ଲୀ ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୪୨ ରହିଛି । ୬୩୦ ଜଣଙ୍କୁ ପୋଲିସ ଗିରଫ କରିଛି । ଏବେ ବି ପୋଲିସ ଜାଫରାବାଗ, ଚାନ୍ଦବାଗ ପରି ଅଂଚଳରେ ଫ୍ଲାଗମାର୍ଚ କରୁଛି । ଏହା ସହିତ ସାମ୍ନାକୁ ଆସିଛି କିଛି ରୋଚକ ଚିତ୍ର । ଦିଲ୍ଲୀକୁ ଶାନ୍ତି ଫେରୁଥିବା ବେଳେ ରାସ୍ତା ଗୁଡିକ ପୁଣି ଜନଗହଳି ହେବାରେ ଲାଗିଲାଣି ।

ଲୋକମାନେ ସକାଳେ ଖବରକାଗଜ ଓ କ୍ଷୀର ଆଣିବାକୁ ପଦାକୁ ବାହାରୁଛନ୍ତି । ପିଲାମାନେ ରାସ୍ତା କଡରେ କ୍ରିକେଟ୍ ଖେଳିବା ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି । ପିଲାଙ୍କ କ୍ରିକେଟ ଖେଳର ଏ ଦୃଶ୍ୟ ହେଉଛି ଖଜୁରି ଖାସ୍ ଅଂଚଳର । ଏହା ହିଁ ବୟାନ କରୁଛି ଦିଲ୍ଲୀ ସ୍ଥିତି ଧୀରେ ଧୀରେ ସହଜ ହେଉଛି । ସେପଟେ ଦିଲ୍ଲୀର ନୂଆ ପୋଲିସ କମିଶନର ଏସଏନ ଶ୍ରୀବାସ୍ତବ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଶ୍ରୀବାସ୍ତବ କହିଛନ୍ତି ଦିଲ୍ଲୀରେ ସଦଭାବନା ଓ ଶାନ୍ତି ବଜାୟ ରଖିବା ଦିଲ୍ଲୀ ପୋଲିସର ପ୍ରାଥମିକ କାମ ହେବ ।