ଦିଲ୍ଲୀରେ କରୋନା କଟକଣା କଡାକଡି, ସମସ୍ତ ଘରୋଇ କାର୍ଯ୍ୟାଳୟକୁ ବନ୍ଦ ରଖିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି

141

କନକ ବ୍ୟୁରୋ : ଦିଲ୍ଲୀରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣାକୁ ପୁଣି କଡା କଡି କରିଛନ୍ତି । ଏନେଇ ରାଜ୍ୟ ସରକାର ଦିଲ୍ଲୀର ସମସ୍ତ ଘରୋଇ କାର୍ଯ୍ୟାଳୟଗୁଡିକୁ ଅନିର୍ଦ୍ଧିଷ୍ଠ କାଳ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏବେ ସମସ୍ତ ଘରୋଇ କାର୍ଯ୍ୟାଳୟର କର୍ମଚାରୀମାନେ ଘରେ ରହି କାମ କରିବେ ବୋଲି କୁହାଯାଇଛି ।

କେବଳ ଘରୋଇ କାର୍ଯ୍ୟାଳୟ ନୁହେଁ ଡିଡିଏମର ନିର୍ଦ୍ଦେଶ ମୁତାବକ ଏବେ ରାଜ୍ୟରେ ସମସ୍ତ ରେଷ୍ଟୁରାଣ୍ଟ ଓ ହୋଟେଲଗୁଡିକ ବନ୍ଦ ରହିବ । ହେଲେ ରେଷ୍ଟୁରାଣ୍ଟଗୁଡିକ ଖାଦ୍ୟ ହୋମ ଡେଲିଭରୀ କରିପାରିବେ ବୋଲି କୁହାଯାଇଛି । ଅନ୍ୟପଟେ ଅତ୍ୟାବଶ୍ୟକ ଘରୋଇ କାର୍ଯ୍ୟାଳୟଗୁଡିକ ଖୋଲା ରହିବ ବୋଲି ଡିଡିଏମଏ ତାର ନିର୍ଦ୍ଦେଶରେ କହିଛି ।

କହିରଖୁ କି ଦେଶରେ ଓ ରାଜଧାନୀ ଦିଲ୍ଲୀରେ ଦୈନିକ ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଗତ ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣ ୧,୬୮,୦୬୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ କରୋନା ସଂକ୍ରମଣରେ ଗତ ୨୪ ଘଂଟା ମଧ୍ୟରେ ୨୭୭ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜଧାନୀ ଦିଲ୍ଲୀରେ ସୋମବାର ଦିନ ୧୯୧୬୬ ଜଣ ସଂକମିତ ଚିହ୍ନଟ ହେବା ସହ ୧୭ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦିଲ୍ଲୀରେ ସଂକମଣ ହାର ୨୫ ପ୍ରତିଶତକୁ ବୃଦ୍ଧି ପାଇଛି । ଦିଲ୍ଲୀଭଳି ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ବି କରୋନା ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ପହଂଚିଛି । ଗତ ୨୪ ଘଂଟା ମଧ୍ୟରେ ୩୩,୪୭୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮ ଜଣଙ୍କର ମୃତ୍ୟୁ ହୋଇଛି ।