କନକ ବ୍ୟୁରୋ : ଦିଲ୍ଲୀ ସ୍ଥିତ ମୁଖାର୍ଜୀ ନଗରରେ ଥିବା ଏକ କୋଚିଂ ସେଣ୍ଟରରେ ନିଆଁ ଲାଗିବା ପରେ ସେଠାରେ ଥିବା ଛାତ୍ର ଛାତ୍ରୀଙ୍କୁ ଯେଭଳି ଉଦ୍ଧାର କରାଗଲା ତାହା ଏବେ ସମସ୍ତଙ୍କୁ ଚକିତ କରିଛି । କୋଚିଂ ସେଣ୍ଟରରେ ନିଆଁ ଲାଗିବା ପରେ ତାର ଧରି ୪ ମହଲା ତଳକୁ ଓହ୍ଲାଉଥିବା ଛାତ୍ର ଛାତ୍ରୀମାନଙ୍କୁ ଦେଖିଲେ ଆପଣଙ୍କୁ ଲାଗିବ ଯେ ଏମାନେ ଛାତ୍ର ଛାତ୍ରୀ ନୁହଁନ୍ତି ବରଂ ସେନାରେ ପ୍ରଶିକ୍ଷିତ ଜଣେ ଜଣେ କମାଣ୍ଡର । ପିଠିରେ ବ୍ୟାଗ ଧରି ୪ ମହଲା ଉପରୁ କିଛି ସେକେଣ୍ଡ ମଧ୍ୟରେ ଜଣଙ୍କ ପରେ ଜଣେ ତାରକୁ ଧରି ତଳକୁ ଓହ୍ଳାଇଥିଲେ । ତାର ଧରିବା ଲାଗି କିଛି ହାତରେ ମଧ୍ୟ ଗ୍ଲୋବ୍ସ ନଥିଲା । କିନ୍ତୁ ବିପଦ ଆଉ ଭୟ ସେମାନଙ୍କୁ ଏଭଳି ଦୁସାହସିକ କାର୍ଯ୍ୟ କରିବାକୁ ବଳ ଯୋଗାଇଥିଲା । ଆଉ ସେମାନଙ୍କୁ ଝରକା ଭାଙ୍ଗି ଉଦ୍ଧାର କରିବାରେ ସହାଯ୍ୟ କରିଥିଲେ କିଛି ସ୍ଥାନୀୟ ଯୁବକ ।

Advertisment

କୋଚିଂ ସେଂଟରରେ ଛାତ୍ରଛାତ୍ରୀମାନେ ପାଠ ପଢୁଥିବା ବେଳେ ହଠାତ୍ ବିଦ୍ୟୁତ୍ ପଳାଇଥିଲା । ଆଉ ଚାହୁଁ ଚାହୁଁ ପୁରା କୋଚିଂ ସେଂଟର ଧୂଆଁମୟ ହୋଇଯାଇଥିଲା । କୋଚିଂ ସେଂଟରେ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ଥିଲେ । ଛାତ୍ରଛାତ୍ରୀମାନେ ମୁଖ୍ୟ ଦ୍ୱାର ଦେଇ ବାହାରକୁ ବାହାରିବା ଅସମ୍ଭବ ହୋଇପଡିଥିଲା । ବାହାରକୁ ବାହାରିବା ପାଇଁ ଛାତ୍ରଛାତ୍ରୀମାନେ ସେଠାରେ ଥିବା ମୋଟା ଓ ଲମ୍ବା ତାରର ସହାଯ୍ୟ ନେଇଥିଲେ । ଆଉ ଜଣଙ୍କ ପରେ ଜଣେ ଝରକା ପଟେ ତାର ଧରି ତଳକୁ ଓହ୍ଲାଇଥିଲେ । କିଛି ଛାତ୍ରୀ ତାରକୁ ଧରି ଓହ୍ଲାଇନପାରିବାରୁ ତଳକୁ ପଡି ଆହତ ହୋଇଥିଲେ । କିଛି ସମୟ ପରେ ଅଗ୍ନିଶମ ବାହିନୀର ୧୧ ଟି ଗାଡି ସେଠାରେ ପହଂଚି ସମସ୍ତ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ ।

ଗୁରୁବାର ପ୍ରାୟ ୧୨ ଟା ୩୦ ମିନିଟ୍ ସମୟରେ ମୁଖାର୍ଜୀ ନଗରର ଜ୍ଞାନ ବିଲ୍ଡିଂରେ ଉପର ମହଲାରେ ଥିବା ସଂସ୍କୃତ କୋଚି ସେଂଟରରେ ନିଆଁ ଲାଗିଯାଇଥିଲା । ବିଦ୍ୟୁତ୍ ମିଟରରେ ନିଆଁ ଲାଗି ଚାରିଆଡେ ବ୍ୟାପିଥିଲା । ଧୂଆଁ ଅଧିକ ହୋଇଯିବାରୁ ଛାତ୍ରଛାତ୍ରୀମାନେ ଭୟଭୀତ ହୋଇପଡିଥିଲେ ।