ନିର୍ବାଚନ ପ୍ରଚାର ପଡିଲା ମହଙ୍ଗା: କରୋନା ସଂକ୍ରମିତ ହେଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

113

କନକ ବ୍ୟୁରୋ: ଗୋଟିଏ ପଟେ ଦେଶରେ ବଢି ବଢି ଚାଲିଛି କରୋନା ସଂକ୍ରମଣ । ହେଲେ ନେତାଙ୍କୁ ପଡୁନି କିଛି ଫରକ । କରୋନା ନେଇ ଗୋଟିଏ ପଟେ କଟକଣା ଲଗାଉଛନ୍ତି ଆଉ ଅନ୍ୟପଟେ ନିର୍ବାଚନ ରାଲି କରୁଛନ୍ତି । ପଂଜାବ ନିର୍ବାଚନ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ ବଡ ରାଲିର ଆୟୋଜନ କରୁଥିଲେ । ଆଉ ଏବେ ନିଜେ ସଂକ୍ରମିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।

ଦେଶରେ ପୁଣି ଉପରମୁହାଁ କରୋନା ଗ୍ରାଫ୍ । କରୋନାର ନୂଆ ଭାରିଆଂଟ ଓମିକ୍ରନ ତାର କାୟା ବିସ୍ତାର କରିବା ସହ ସଂକ୍ରମଣ ହାରକୁ ବଢାଇ ଦେଇଛି । ହେଲେ ଏହି କରୋନା ଗ୍ରାଫ ଯେପରି ନେତା ମନ୍ତ୍ରୀଙ୍କୁ କିଛି ଫରକ ପକାଉନି । ଗୋଟିଏ ପଟେ କରୋନା ସଂକ୍ରମଣ ଉପର ମୁହାଁ ରହୁଥିବାବେଳେ, ଅନ୍ୟପଟେ ନେତାଙ୍କ ରାଲିରେ ଦେଖିବାକୁ ମିଳୁଛି ହଜାର ହଜାର ସଂଖ୍ୟକ ଲୋକଙ୍କ ଗହଳି । ଆଉ ଏଭଳି ଅନେକ ନିର୍ବାଚନ ରାଲିରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବିନା ମାସ୍କରେ ଦେଖିବାକୁ ମିଳିଥିଲା ।

ଯାହାର ପରିଣାମ ଏବେ କରୋନାରେ ଆକ୍ରାନ୍ତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । ଏନେଇ ଟ୍ୱିଟର ଜରିଆରେ ସୂଚନା ଦେବା ସହ ନିଜ ଘରେ ସଂଘରୋଧରେ ଥିବା କହିଛନ୍ତି କେଜ୍ରିୱାଲ । ଏହାସହ କେଜ୍ରିଓାଲ ତାଙ୍କ ସସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ କରୋନା ପରୀକ୍ଷା କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ସେହିପରି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କ ପରିବାରର ଜଣେ ସଦସ୍ୟ ଓ ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତେବେ ପ୍ରିୟଙ୍କାଙ୍କ ରିପୋର୍ଟ ନେଗେଟିଭ ଥିବା ନେଇ ସେ ସୂଚନା ଦେଇଛନ୍ତି ।

ଆଉ କିଛି ମାସ ପରେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଆଉ ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ବଡ ବଡ ରାଲିର ଆୟୋଜନ କରୁଛନ୍ତି । ହଜାର ହଜାର ଲୋକଙ୍କ ଗହଣରେ ଭାରି ସମାଗମ ମଧ୍ୟରେ ରାଲି କରୁଛନ୍ତି ଦେଶର ପ୍ରମୁଖ ରାଜନୌତିକ ଦଳ ମାନେ । ମୁହଁରେ ନାହିଁ ମାସ୍କ, ସାମାଜିକ ଦୂରତା ପଚାରେ କିଏ । କରୋନା ଏବେ ଦେଶରେ ଉପରମୁହାଁ ଥିବାବେଳେ ନିଜେ ନେତା ହିଁ କଟକଣାକୁ ବେଖାତିର କରୁଛନ୍ତି । ଏମାନଙ୍କ ମଧ୍ୟରେ ବେଶ ଆଗଧାଡିରେ ରହିଛି ବିଜେପି, କଂଗ୍ରେସ, ସମାଜବାଦୀ ପାର୍ଟି ଓ ଆପ, ଟିଏମସି ।
ଦ୍ୱିତୀୟ ଲହର ସମୟର ପ୍ରମୁଖ କାରଣ ପଶ୍ଚିମବଙ୍ଗ ନିର୍ବାଚନ ସାଜିଥିବାବେଳେ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ମଧ୍ୟ ଦାୟୀ କରାଯାଇଥିଲା । ତେବେ ଏତେ ବଡ ବଡ ରାଲି କରୋନା ର ୩ ୟ ଲହରକୁ ଘାତକ କରିବ ଏ ଆଶଙ୍କା କୁ ଆଡେଇ ନଦିଆଯାଇପାରେ ।