କନକ ବ୍ୟୁରୋ : ଦିଲ୍ଲୀ କ୍ୟାବିନେଟ ବିଧାୟକଙ୍କ ଦରମା ଓ ଭର୍ତ୍ତା ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । କ୍ୟାବିନେଟର ପ୍ରସ୍ତାବ ମୁତାବକ ଏବେ ଦିଲ୍ଲୀର ବିଧାୟକମାନଙ୍କୁ ମାସିକ ବେତନ ଆକାରରେ ୩୦ ହଜାର ଟଙ୍କା ମିଳିବ । କହିରଖୁ କି ଦିଲ୍ଲୀ ବିଧାୟକଙ୍କୁ ମାସିକ ୧୨ ହଜାର ଟଙ୍କା ଦରମା ମିଳୁଥିଲା ।

Advertisment

ମଙ୍ଗଳବାର ଦିନ ଦିଲ୍ଲୀ କ୍ୟାବିନେଟ ଦ୍ୱାରା ପାରିତ ହୋଇଥିବା ଏହି ବିଲ ଉପରେ ବିଧାୟକଙ୍କ ଦରମା ଓ ଅନ୍ୟ ଆନୁସାଙ୍ଗିକ ଭର୍ତ୍ତାକୁ ମିଶାଇ ଜଣେ ବିଧାୟକ ମାସକୁ ୯୦ ହଜାର ଟଙ୍କା ପାଇବେ । ଏବେ ବିଧାୟକମାନେ ଦରମା ଓ ଭର୍ତ୍ତା ମିଶାଇ ୫୪ ହଜାର ଟଙ୍କା ପାଉଥିଲେ । କହିରଖୁ କି ୨୦୧୫ ରେ ଦିଲ୍ଲୀ ସରକାର ବିଧାୟକ ମାନଙ୍କ ଦରମା ବୃଦ୍ଧି ନେଇ ଦିଲ୍ଲୀ ବିଧାନସଭାରେ ଆଇନ ପାରିତ କରି କେନ୍ଦ୍ରକୁ ପଠାଇଥିଲେ, ହେଲେ କେନ୍ଦ୍ର ତାହାକୁ ଅସ୍ୱୀକାର କରିଥିଲା ।

କହିରଖୁ କି ୨୦୧୧ ପରେ ଦିଲ୍ଲୀ ସରକାର ବିଧାୟକମାନଙ୍କ ଦରମା ବୃଦ୍ଧି କରି ନଥିଲେ । ଏବେ ଦିଲ୍ଲୀ ସରକାର ଏନେଇ ପାରିତ କରିଥିବା ବିଲକୁ କେନ୍ଦ୍ର ନିକଟକୁ ପଠାଇବେ । କେନ୍ଦ୍ର ସରକାର ଏହାକୁ ଗ୍ରହଣ କରିବା ପରେ ଦିଲ୍ଲୀ ସରକାର ପୁଣିଥିରେ ଏହି ବିଲକୁ ବିଧାନସଭାରେ ଉପସ୍ଥାପନ କରିବେ ।

ଆଜି ପାରିତ ହୋଇଥିବା ବିଲ୍ ମୁତାବକ ଜଣେ ବିଧାୟକ ମାସକୁ ଦରମା ଆକାରରେ ୩୦ ହଜାର ଟଙ୍କା, ନିର୍ବାଚନ କ୍ଷେତ୍ର ପରିଦର୍ଶନ ପାଇଁ ମାସିକ ୨୫ ହଜାର ଟଙ୍କା, ସଚିବାଳୟ ଭର୍ତ୍ତା ୧୫ ହଜାର ଟଙ୍କା, ଗାଡି ଖର୍ଚ୍ଚ ୧୫ ହଜାର ଟଙ୍କା, ଟେଲିଫୋନ ଦେୟ ୧୦ ହଜାର ଟଙ୍କା । ଏମିତି ମିଶାଇ ଜଣେ ବିଧାୟକ ମାସକୁ ୯୦ ହଜାର ଟଙ୍କା ପାଇବେ ।