ଓଡିଶାରେ ଘନୀଭୂତ ଲଘୁଚାପ : ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ସାରା ରାଜ୍ୟରେ ଲାଗିରହିବ ବର୍ଷା, ବଢିପାରେ ମହାନଦୀର ଜଳସ୍ତର

92

କନକ ବ୍ୟୁରୋ : ଘନୀଭୂତ ହେଉଛି ଲଘୁଚାପ। ପ୍ରଭାବରେ ଆଜି ସାରା ରାଜ୍ୟରେ ବର୍ଷା ଲାଗିରହିଛି। ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ରେକର୍ଡ କରାଯାଇଛି। ଟିଟିଲାଗଡ଼ ଓ ଭବାନୀପାଟଣାରେ ଦେଶର ସର୍ବାଧିକ ବର୍ଷା ହୋଇଥିବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗତ ୩୦ ଘଣ୍ଟା ମଧ୍ୟରେ ଭବାନୀପାଟଣାରେ ୧୮୩ ମିମି ବର୍ଷା ହୋଇଛି। ଏହାବ୍ୟତୀତ ଟିଟିଲାଗଡ଼ରେ ୧୭୨ ଓ ବଲାଙ୍ଗୀରରେ ୧୪୬, ସୁନ୍ଦରଗଡ଼ରେ ୮୬, ସୋନପୁରରେ ୮୪.୬, ଗୋପାଳପୁରରେ ୫୫.୭ ମିମି ବର୍ଷା ରେକର୍ଡ କରାଯାଇଛି। ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଅନ୍ୟ ସ୍ଥାନଗୁଡ଼ିକରେ ୫୦ ମିମିରୁ ଅଧିକ ବର୍ଷା ହୋଇଛି । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେବି ଓଡ଼ିଶା ଉପରେ ସକ୍ରିୟ ଥିବାରୁ ଆହୁରି ୨୪ ଘଣ୍ଟା ପର୍ୟ୍ୟନ୍ତ ବର୍ଷା ଜାରି ରହିବ। ୨୮ ତାରିଖ ସକାଳ ପର୍ଯ୍ୟନ୍ତ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ଗଞ୍ଜାମ, ବରଗଡ଼, କେନ୍ଦୁଝର ସମ୍ବଲପୁର, ଦେବଗଡ଼ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହୋଇପାରେ। ଏହି ସମୟରେ ଉପକୂଳ ସମୁଦ୍ର ଅଶାନ୍ତ ରହିବ। ଝଡ଼ବର୍ଷା ହେବ। ତାହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନେ ୨୭ ତାରିଖ ରାତି ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ନ ଯିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ପରାମର୍ଶ ଦିଆଯାଇଛି।

 

ଲଘୁଚାପ ପ୍ରଭାବରେ ଲାଗିରହିଥିବା ବର୍ଷା ଯୋଗୁଁ ମହାନଦୀ ଓ ଏହାର ଶାଖା ନଦୀର ଜଳସ୍ତର ଫୁଲିପାରେ। ଆସନ୍ତା ଦୁଇ ଦିନ ଧରି ମହାନଦୀର ଉପରମୁଣ୍ଡ ତଥା ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବ । ଆଜି ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହା ପ୍ରଭାବରେ ମହାନଦୀ ସମେତ ଆଉ କେତେକ ନଦୀର ଜଳସ୍ତର ବିପଦସଙ୍କେତ ଉପରେ ପ୍ରବାହିତ ହୋଇପାରେ। ଏନେଇ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।

 

ପାଣିପାଗ ବିଜ୍ଞାନୀ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଲଘୁଚାପ ଏବେବି ଓଡ଼ିଶା ଉପରେ ରହିଛି। ଆଜି ସନ୍ଧ୍ୟାଠାରୁ ତାହା ଛଡ଼ିଶଗଡ଼ ଉପରେ ରହିବ। ଏହାପରେ ତାହା ପଶ୍ଚିମ ଦିଗ ଆଡ଼କୁ ଗତି କରିବ। ପ୍ରଭାବରେ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ସୋମବାର ମଧ୍ୟ ବର୍ଷା ଲାଗିରହିବ। ୨୮ ତାରିଖ ବେଳକୁ ରାଜ୍ୟରେ ବର୍ଷା କମିଯିବ ବୋଲି ସେ କହିଛନ୍ତି। ସେ ଆହୁରି ଆକଳନ କରିଛନ୍ତି ଯେ ୩୧ ତାରିଖ ବେଳକୁ ଓଡ଼ିଶା ଉପରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ। ଯାହାଦ୍ୱାରା ପରବର୍ତୀ ଦୁଇଦିନ ଧରି କେନ୍ଦ୍ରୀୟ ଓ ଉତ୍ତର ପଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଲାଗିରହିବ।