କାରରେ ୪ କିଲୋମିଟର ଯାଏଁ ଘୋଷାଡି ହୋଇଗଲେ ଯୁବତୀ, କିଛି ସେକେଣ୍ଡ ମଧ୍ୟରେ ଉଡିଗଲା ପ୍ରାଣବାୟୁ । ନୂଆବର୍ଷରେ ଦିଲ୍ଲୀରୁ ଆସିଲା ଛାତି ଥରାଇ ଦେଲା ଭଳି ଖବର ।

1,607

କନକ ବ୍ୟୁରୋ : ନୂଆବର୍ଷରେ ଦେଶର ରାଜଧାନୀ ଦିଲ୍ଲୀରୁ ଛାତି ଥରାଇଦେଲା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ନୂଆବର୍ଷର ମଉଜ ମଜଲିସ ଭିତରେ ଜଣେ ଯୁବତୀଙ୍କୁ କାରରେ ୪ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ଘୋଷାଡି ନେଇଛନ୍ତି ୫ ରାକ୍ଷସରୂପି ମଣିଷ । ନୃସଂଶସତାର ସବୁ ସୀମା ଅତିକ୍ରମ କରିଛନ୍ତି ୫ ଯୁବକ । ଆଉ ୪ କିଲୋମିଟର କାରରେ ଘୋଷାଡି ନେବା କାରଣରୁ ଯୁବତୀଙ୍କର ମୃତ୍ୟୁ ହୋଇଛି ।

ଶନିବାର-ରବିବାର ରାତି ୩ଟା ବେଳେ ପୋଲିସ ପିସିଆରକୁ ଏକ ଫୋନ୍ କଲ ଆସିଥିଲା । ଜଣେ ଯୁବତୀ ରାସ୍ତା କଡରେ ଉଲଗ୍ନ ହୋଇ ପଡି ରହିଥିବା ନେଇ ସୂଚନା ମିଳିଥିଲା । ଏହି ସୂଚନା ମିଳିବା କ୍ଷଣି ପୋଲିସ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଜଣେ ଯୁବତୀଙ୍କୁ ଲହୁଲୁହାଣ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲା ।

ଯୁବତୀଙ୍କ ଶରୀରରେ କପଡା ତ ନଥିଲା । ଏପରିକି ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିଲା । ଆଉ ଯୁବତୀଙ୍କ ମୃତଦେହ ରାସ୍ତାକଡରେ ପଡିଥିଲା । ମିଳିଥିବା ସୂଚନା ମୁତାବକ, ଯୁବତୀ ଜଣକ ବିବାହ ଓ ଅନ୍ୟ ଇଭେଣ୍ଟରେ ପାର୍ଟ ଟାଇମ ଚାକିରି କରିଥିଲେ । ଏକ ବିବାହ ଉତ୍ସବରୁ ଘରକୁ ଫେରୁଥିବା ବେଳେ ଏଭଳି ଘଟଣା ତାଙ୍କ ସହ ଘଟିଥିବା କୁହାଯାଉଛି । ଯୁବତୀ ଜଣକ ସ୍କୁଟିରେ ଫେରୁଥିବା ବେଳେ ଏକ କାର ଧକ୍କା ଦେଇଥିଲା । ଏହାପରେ ୪ କିଲୋମିଟର ପର୍ଯ୍ୟନ୍ତ ଯୁବତୀଙ୍କୁ ଘୋଷାଡି ନେଇଥିଲା କାର । ଆଉ ଏହି ସମୟରେ ଯୁବତୀଙ୍କ ଶରୀରରୁ ସବୁ କପଡା ବାହାରିଯିବା ସହ ପ୍ରାଣବାୟୁ ମଧ୍ୟ ଉଡି ଯାଇଥିଲା । ପୋଲିସର କହିବା ଅନୁଯାୟୀ, ଦୁର୍ଘଟଣା ପରେ କାରର ଚକାରେ ଫଶି ଯାଇଥିଲେ ଯୁବତୀ । ଯାହାଫଳରେ ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ହୋଇ ଯାଇଥିଲେ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ କାରରେ ଥିବା ୫ ଜଣଙ୍କୁ ଏବେ ପଚରାଉଚରା କରୁଛି । କାରରେ ଥିବା ଯୁବକଙ୍କ ମେଡିକାଲ ଯାଞ୍ଚ କରାଯାଉଛି । ଉକ୍ତ ରାତିରେ କାରରେ ଥିବା ଯୁବକ ମାନେ ନିଶାଗ୍ରସ୍ତ ଥିଲେ କି ନାହିଁ ଜାଣିବାକୁ ପ୍ରୟାସ ଜାରି ରଖିଛି ପୋଲିସ ।