ମୈଦାନ ବାହାରେ ମୃତ୍ୟୁର ଖେଳ । ଖେଳ ଦେଖିବାକୁ ଯାଇ ଗଲା ୮ ଜୀବନ , ୫୦ରୁ ଅଧିକ ଆହତ ।

218

କନକ ବ୍ୟୁରୋ: ଖେଳ ପଡିଆରେ ଫ୍ୟାନମାନଙ୍କ ଭିଡ ସାମାନ୍ୟ କଥା । ହେଲେ ମ୍ୟାଚ ଅବସରରେ ଦଳଚକଟା ହେବା ଅସ୍ୱାଭିବକ ନିଶ୍ଚୟ । ପରିସ୍ଥିତି ଏତେ ଗୁରୁତର ହେଲା ଯେ, ଏଥିରେ ୮ଜଣ ପ୍ରାଣ ହରାଇବା ପାଖାପାଖି ୫୦ଜଣ ଆହତ ହୋଇଛନ୍ତି । ଏପରି ଘଟଣା ଘଟିଛି କ୍ୟାମରୁନର ଏକ ଫୁଟବଲ ଷ୍ଟାଡିୟମ ଫାଟକ ବାହାରେ ।

ସୂଚନା ମୁତାବକ, ସୋମବାର କ୍ୟାମରୁନ୍ ଓ କୋମୋରୋସ୍ ମଧ୍ୟରେ ଅନୁଷ୍ଠିତ ହେଉଥିଲା ଅନ୍ତିମ ମ୍ୟାଚ୍ । କ୍ୟାମେରୁନର ରାଜଧାନୀ ୟାଉନ୍ଦେ ରେ ଥିବା ଓଲେମ୍ବେ ଷ୍ଟାଡିୟମରେ ଘରୋଇ ଟିମର ମ୍ୟାଚ୍ ଥିଲା। ୬୦ ହଜାର ଦର୍ଶକ ବିଶିଷ୍ଟ ଏହି ଷ୍ଟାଡିୟମରେ କରୋନା ଯୋଗୁ ୬୦% ଲୋକଙ୍କୁ ଯିବାକୁ ଅନୁମତି ଥିଲା। ହେଲେ ସୋମବାର ଏହାକୁ ୮୦%କୁ ବୃଦ୍ଧି କରାଯାଇଥିଲା। ଯାହା ଫଳରେ ଏଭଳି ଅପ୍ରୀତିକର ପରିସ୍ଥିତି ହୋଇଥିବା ପ୍ରତ୍ୟକ୍ଷଦର୍ଶୀ ଓ ଷ୍ଟାଡିୟମ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ, ଷ୍ଟାଡିୟମ କର୍ମଚାରୀ ଫାଟକ ବନ୍ଦ କରି ଲୋକଙ୍କୁ ଭିତରକୁ ପ୍ରବେଶ କରିବାକୁ ଦେଲେ ନାହିଁ । ଏହାପରେ ହଠାତ୍ ଗେଟ୍ ଖୋଲିବାରୁ ଦୌଡିଦୌଡି କରିବାକୁ ଆରମ୍ଭ ହୋଇଯାଇଥିଲା । ଫଳରେ ଦଳାଚକଟା ପରି ସ୍ଥିତି ହୋଇଥିଲା । ଦଳଚକଟା ପରେ ଷ୍ଟାଡିୟମର ପ୍ରବେଶ ଦ୍ୱାରରେ ଅନେକ ଲୋକ ମୁହଁ ମାଡି ବେହୋସ୍ ହୋଇପଡିରହିଥିଲେ । ଏମାନଙ୍କ ମଧ୍ୟରେ ଅନେକ ଶିଶୁ ମଧ୍ୟ ଅଛନ୍ତି । ଏଥିରେ ୮ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ କହିଛନ୍ତି ।