ଜଙ୍ଗଲରେ ବି ସୁରକ୍ଷିତ ନୁହେଁ ବାଘ, ଦେବ୍ରିଗଡ଼ରେ ମହାବଳର ଶିକାର, ମିଳିଲା ବାଘର ଗଳିତ ମୃତଦେହ ! ଚମଡ଼ା, ନଖ, ଦାନ୍ତ କାଟି ନେଲେ ଶିକାରୀ ।

56

କନକ ବ୍ୟୁରୋ : ହୀରାକୁଦର ଦେବ୍ରିଗଡ ଅଭୟାରଣ୍ୟରେ ଦେଢ ମାସ ତଳେ ଠାବ ହୋଇଥିବା ମହାବଳ ବାଘକୁ ମାରିଦେଇଛନ୍ତି ଶିକାରୀ । ବାଘକୁ ମାରି ଶିକାରୀ ତାର ଦାନ୍ତ, ନଖ ଓ ଚମଡା ନେଇଯାଇଛନ୍ତି । ପରେ ମହାବଳକୁ ମାଟିରେ ପୋତି ଦିଆଯାଇଛି । ପ୍ରାୟ ଏକ ସପ୍ତାହ ତଳେ ମହାବଳକୁ ଶୀକାର କରାଯାଇଥିବା ନେଇ ସୂଚନା ମିଳିଥିବା ବେଳେ , ଆଜି ଘଟଣାସ୍ଥଳରେ ପହଞ୍ଚିଛନ୍ତି ବନ୍ୟପ୍ରାଣୀ ବିଶେଷଜ୍ଞ ଓ ବନ ବିଭାଗର ଟିମ୍ ।

ପ୍ରାୟ ଦେଢ ମାସ ଆଗରୁ ଦେବ୍ରୀଗଡ ଅଭୟାରଣ୍ୟରେ ଏହି ମହାବଳର ଫଟୋ ଜଙ୍ଗଲ ବିଭାଗର ଟ୍ରାପ କ୍ୟାମେରାରେ ଆସିବା ପରେ ଏହି ଅଭୟାରଣ୍ୟରେ ମହାବଳ ଥିବା ନେଇ ସ୍ପଷ୍ଟ ପ୍ରମାଣ ମିଳିଲା । ଏତେବର୍ଷ ଭିତରେ ମହାବଳର ଏହି ଫଟୋ ପ୍ରଥମ ଥର ପାଇଁ ସାମ୍ନାକୁ ଆସିଥିଲା । ବିଭିନ୍ନ ମହଲରେ ଖୁସି ବି ଖେଳିଗଲା ଯେ, ଦେବ୍ରିଗଡ ଅଭୟାରଣ୍ୟରେ ମହାବଳ ଅଛି ।

୨୮ ଅକ୍ଟୋବର ୨୦୧୮, ହଠାତ୍ ଖବର ଆସିଲା ଦେବ୍ରିଗଡ ଅଭୟାରଣ୍ୟରେ ମହାବଳକୁ ମାରି ପକାଇଛନ୍ତି ଶିକାରୀ । ଖୋଜି ଖୋଜି କିଛି ବନ୍ୟପ୍ରାଣୀ ବିଶେଷଜ୍ଞ ଓ କନକ ନ୍ୟୁଜ୍ କ୍ୟାମେରା ଟିମ୍ ଏହି ସ୍ଥାନରେ ପହଁଚିଥିଲେ । ଜଣାପଡିଗଲା, ବାଘକୁ ମାରି ମାଟି ତଳେ ପୋତିଦିଆଯାଇଛି । ବାଘର ମୁଣ୍ଡକୁ ଶରୀରରୁ ଅଲଗା କରିଦିଆଯାଇଛି, ଗୋଡରେ ନଖ ନାହିଁ ଏବଂ ମୁହଁରୁ ଦାନ୍ତ ବି କାଢି ନିଆଯାଇଛି । କେବଳ ମୁଣ୍ଡରେ ଅଳ୍ପ ଟିକିଏ ଚମଡା ଲାଗିଛି, ବାକି ଶରୀରରୁ ଚମଡା କାଢି ନିଆଯାଇଛି ।

ଏସବୁ ସ୍ପଷ୍ଟ କରିଦେଉଥିଲା ଯେ, ପ୍ରାୟ ଏକ ସପ୍ତାହ ମଧ୍ୟରେ ଦେବ୍ରିଗଡର ମହାବଳକୁ ଶିକାର କରିଦିଆଯାଇଛି । ଏହା ଏକ ଏମିତି ଶିକାର ଯାହା ଦେବ୍ରିଗଡର ବାଘବଂଶର ସମ୍ଭାବନାକୁ ଲୋପ କରିଦେଇଛି କହିଲେ ଭୁଲ ହେବନି । ମିଳିଥିବା ସୂଚନା ଅନୁସାରେ ସ୍ଥାନୀୟ ଶିକାରୀ ମାନେ ହିଁ ମହାବଳର ଶୀକାର କରିଛନ୍ତି । ବାରହା ଜାଲରେ ମହାବଳକୁ ଫସାଯାଇଛି ଏବଂ ପରେ ତାକୁ ମାରିଦିଆଯାଇ, ଶରୀରର ଅଙ୍ଗପ୍ରତ୍ୟଙ୍ଗକୁ ବିକ୍ରି କରିଦିଆଯାଇଛି । ପ୍ରାୟ ଦେଢମାସ ତଳେ ମହାବଳର ଫଟୋ ଆସିବା ପରେ ଓଡିଶାର ଜଙ୍ଗଲରେ ବାଘର ଉପସ୍ଥିତି ଏକ ନୂଆ ଆଶା ସଂଚାର କରିଥିଲା । ଆଉ ଏହି ଶିକାର ସହ ଏକ ନୂଆ ସମ୍ଭାବନା ମଉଳିଯାଇଛି ।