କାଳି ମନ୍ଦିର ପୂଜକଙ୍କ ମୃତଦେହ କୂଅରୁ ଉଦ୍ଧାର । ହତ୍ୟା ନା ନରବଳି, ଟେର ପାଉନି ପୋଲିସ ।

501

କନକ ବ୍ୟୁରୋ : ବଲାଙ୍ଗୀର କାଳି ମନ୍ଦିର ନିକଟସ୍ଥ କୂଅରୁ ମା’ କାଳିଙ୍କୁ ପୂଜା କରୁଥିବା ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ଜଣକ କାଳି ମନ୍ଦିରର ମୁଖ୍ୟ ପୂଜକଙ୍କ ସହଯୋଗୀ ଭୁଜବଳ ପରାଭୋଇଙ୍କର ବୋଲି ଜଣାପଡିଛି । ତେବେ କାଳି ପୂଜା ସମୟରେ ନରବଳି ପାଇଁ ଭୁଜବଳଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ଏନେଇ ମୁଖ୍ୟ ପୂଜକ ଚୌବନ କିଶୋର ମାଝୀଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ଭୁଜବଳଙ୍କ ପରିବାର । କଣ୍ଟାବାଞ୍ଝି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ, ଭୁଜବଳ ଉକ୍ତ କାଳି ମନ୍ଦିରରେ ମୁଖ୍ୟ ପୂଜକଙ୍କୁ ପୂଜାରେ ସାହାଯ୍ୟ କରିଥାନ୍ତି । ତେବେ ଗତ କାଳିପୂଜା ଠାରୁ ଭୁଜବଳଙ୍କର ପତ୍ତା ମିଳିନଥିଲା । ଆଉ ଆଜି ଅପରାହ୍ନରେ କାଳି ମନ୍ଦିରରେ ଥିବା କୂଅ ମଧ୍ୟରେ ଭୁଜବଳଙ୍କ ମୃତଦେହ ଦେଖିବାକୁ ମିଳିଥିଲା । ତେବେ ଭୁଜବଳଙ୍କ ମୃତ୍ୟୁ ନେଇ ମୁଖ୍ୟ ପୂଜାରୀ ଚୌବନଙ୍କ ଉପରକୁ ଆଙ୍ଗୁଳି ଉଠିଥିଲା । ଏପରିକି ନରବଳି ପାଇଁ ଭୁଜବଳଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । କିନ୍ତୁ ପ୍ରକୃତରେ ଭୁଜବଳଙ୍କର କିଭଳି ମୃତ୍ୟୁ ହେଲା ତାହା ତଦନ୍ତ ପରେ ସ୍ପଷ୍ଟ ହୋଇଯିବ ।