ମୃତ୍ୟୁ ପରେ ମଧ୍ୟ ନିସ୍ତାର ନାହିଁ ! ବ୍ୟବଚ୍ଛେଦ ପାଇଁ ଶବକୁ ବାଇକରେ ନିଆଗଲା ହସ୍ପିଟାଲ

30

କନକ ବ୍ୟୁରୋ :  ବଜ୍ରପାତ ପ୍ରାଣ ନେଲା । ବିଲରେ ଚାଷକାମ କରୁଥିବାବେଳେ ଅକାଳରେ ଝଡ଼ିପଡ଼ିଲା ଜୀବନ । ମୃତ୍ୟୁ ପରେ ମଧ୍ୟ ତାଙ୍କୁ ନିସ୍ତାର ମିଳିଲାନି । ବାଇକ୍‌ରେ ବୁହା ହୋଇ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲ ଓ ମେଡ଼ିକାଲରୁ ମଶାଣି ଯିବାକୁ ପଡ଼ିଲା । ସାରା ରାଜ୍ୟରେ ଶବକୁ ସମ୍ମାନ ନେଇ ବିଭିନ୍ନ ସମୟରେ ପ୍ରଶ୍ନ ଉଠୁଥିବାବେଳେ ଏହି ଘଟଣା ହେଉଛି ତାହାର ଏକ ପୁନରାବୃତ୍ତି! ଏହି ଘଟଣା ସହିତ ପୁଲିସ୍‌ର ଅସହଯୋଗ ମଧ୍ୟ ଯୋଡ଼ି ହୋଇଯାଇଛି, ଯାହାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି ।

ମୃତ ବ୍ୟକ୍ତି ହେଉଛନ୍ତି ଜଗତ୍‌ସିଂହପୁର ଜିଲ୍ଲା ନାଉଗାଁ ବ୍ଳକ୍‌ ବଛାଳ ଗାଁର ଚାଷୀ ଦୁଷ୍ମନ୍ତ କୁମାର ରାଉତ । ଆଜି ତାଙ୍କର ବଜ୍ରପାତ ଯୋଗୁ ମୃତ୍ୟୁ ଘଟିଛି । ଦୁଷ୍ମନ୍ତଙ୍କ ପରିବାର ଲୋକ ଶବ ବ୍ୟବଚ୍ଛେଦ ପାଇଁ ପୁଲିସ୍‌ର ସହାୟତା ଲୋଡ଼ିଥିଲେ । ମାତ୍ର, ପୁଲିସ୍‌ର ସହାୟତା ନ ପାଇବାରୁ ବାଇକ୍‌ରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିବା ସହ ବ୍ୟବଚ୍ଛେଦ କରାଇଥିଲେ । ଏହାପରେ ପୁଣିଥରେ ବାଇକ୍‌ରେ ଶବକୁ ଘରକୁ ଆଣିଥିଲେ । ପୁଲିସ ସବୁ ଜାଣି ଅଜଣା ରହିବା ସହ କେବଳ ବ୍ୟବଚ୍ଛେଦ ସମୟରେ ଜଣେ କର୍ମଚାରୀଙ୍କୁ ହସ୍‌ପିଟାଲକୁ ପଠାଇ ଦାୟିତ୍ୱ ଶେଷ କରିଦେଇଛି ।

ନିୟମ ମୁତାବକ, ଶବ ବ୍ୟବଚ୍ଛେଦ ପୁଲିସର ଦାୟିତ୍ଵ । ମୃତଦେହ ହସ୍‌ପିଟାଲକୁ କେମିତି ଯିବ ସବୁ ବ୍ୟବସ୍ଥା ପୁଲିସ କରିବା ଉଚିତ୍‌ । ମାତ୍ର ନାଉଗାଁ ଥାନା ଇନ୍‌ସପେକ୍ଟର ପ୍ରଜ୍ଞା ଋତମ୍ଭରା କର ନିଜ ଉପରୁ ଦୋଷ ହଟାଇବା ପାଇଁ କହିଛନ୍ତି ଯେ, ‘ଏହି ଘଟଣା ଘଟିବା ସମୟରେ ଅପରାହ୍ନ ହୋଇଯାଇଥିଲା । ଏଣୁ, ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଇବାକୁ ମୃତକଙ୍କ ପରିବାରକୁ ପରାମର୍ଶ ଦେଇଥିଲୁ । ସେମାନେ ଏଥିରେ ରାଜି ହେଲେ ନାହିଁ । ତଥାପି ବ୍ୟବଚ୍ଛେଦ ପାଇଁ ସେମାନଙ୍କ ସାଥୀରେ ଜଣେ ଥାନା କର୍ମଚାରୀଙ୍କୁ ପଠାଯାଇଥିଲା ।’ ତେବେ, ପୁଲିସ୍‌ ଅଧିକାରୀଙ୍କ ଏହି ଉତ୍ତର ସାଧାରଣ ଲୋକଙ୍କୁ ସନ୍ତୁଷ୍ଟ କରିପାରିନାହିଁ । ସେମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଏହାକୁ ଅମାନବୀୟ ବୋଲି କହିଛନ୍ତି ।