ଭାରତ ଫେରିବାକୁ ଚାହୁଁଛି ମୋଷ୍ଟ ୱାଂଟେଡ ଦାଉଦ ଇବ୍ରାହିମ ! ମୁମ୍ବାଇର ଆର୍ଥରରୋଡ କେନ୍ଦ୍ରୀୟ ଜେଲରେ ରହିବାକୁ ରଖିଛି ସର୍ତ୍ତ,ଭାରତ ସରକାରଙ୍କ ପ୍ରତ୍ୟାଖ୍ୟାନ

27

କନକ ବ୍ୟୁରୋ : ୧୯୯୩ ମୁମ୍ବାଇ ସିରିଜ୍‌ ବିସ୍ଫୋରଣର ମାଷ୍ଟର ମାଇଣ୍ଡ୍‌ ତଥା ଭାରତର ମୋଷ୍ଟ୍‍ ଓ୍ଵାଣ୍ଟେଡ ଆତଙ୍କବାଦୀ ଦାଉଦ୍‌ ଇବ୍ରାହିମ୍‌ ଏବେ ଭାରତ ଫେରିବାକୁ ଚାହୁଛି । ଦାଉଦ୍‌ ଭାରତ ଫେରି ମୁମ୍ବାଇ ଆର୍ଥର ରୋଡ୍‌ କେନ୍ଦ୍ରୀୟ ଜେଲ୍‌ରେ ରହିବାକୁ ଚାହୁଛି ବୋଲି ବିଶିଷ୍ଟ ଆଇନଜୀବୀ ଶ୍ୟାମ କେଶଓ୍ଵାନି କହିଛନ୍ତି । ତେବେ ଏହି ପଳାତକ ମାଫିଆ ଡନ୍‌ ଭାରତ ଫେରିବା ପାଇଁ ଯେଉଁ ପୂର୍ବ ସର୍ତ୍ତ ରଖିଛି ତାହାକୁ ଭାରତ ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି । ଆଜି ଥାନେରେ ଅଦାଲତ ବାହାରେ ଗଣମାଧ୍ୟକୁ କେଶଓ୍ଵାନି କହିଛନ୍ତି ଯେ ସେ ଦାଉଦ୍‌ର ଭାଇ ଇକବାଲ ଇବ୍ରାହିମ ବିରୋଧରେ ଥିବା ବିଭିନ୍ନ ଅପରାଧିକ ମାମଲାରେ ତା’ର ପକ୍ଷ ଲଢ଼ୁଛନ୍ତି ଏବଂ ଦାଉଦ୍‌ ଫେରିବା ନେଇ ବ୍ୟାକୁଳ ରହିଥିବା ସୂଚନା ସେ ପାଇଛନ୍ତି ।

କେଶଓ୍ଵାନି କହିଛନ୍ତି ଯେ ଦାଉଦ୍‌ ଭାରତ ଫେରିବା ପରେ କଡ଼ା ସୁରକ୍ଷା ବନ୍ଦୋବସ୍ତ ଥିବା ଆର୍ଥର ରୋଡ କେନ୍ଦ୍ରୀୟ କାରାଗାରରେ ରହିବାକୁ ହିଁ ଚାହୁଛି ।  ନିଜର ସୁରକ୍ଷା ଦୃଷ୍ଟିରୁ ସେ ଏଭଳି ଚାହୁଥିଲେ ମଧ୍ୟ ଏହି ମାଫିଆ ଡନ୍‌ର କୌଣସି ସର୍ତ୍ତକୁ ଗ୍ରହଣ କରିବା ପାଇଁ ସରକାର ପ୍ରସ୍ତୁତ ହେଉନାହାନ୍ତି । ଦାଉଦ୍‌ ପୂର୍ବରୁ ମଧ୍ୟ ତା’ର ଏଭଳି ଇଚ୍ଛା ବିଶିଷ୍ଟ ଆଇନଜୀବୀ ରାମ ଜେଠାମାଲାନିଙ୍କୁ ମଧ୍ୟ ଜଣାଇଥିଲେ । ତେବେ ବାସ୍ତବତା ହେଉଛି ସରକାର ଦାଉଦ୍‌ର କୌଣସି ସର୍ତ୍ତକୁ ଗ୍ରହଣ କରବାକୁ ପ୍ରସ୍ତୁତ ନାହାନ୍ତି । ସୂଚନାଯୋଗ୍ୟ ଆର୍ଥର ରୋଡ ସେଣ୍ଟ୍ରାଲ ଜେଲ୍‌ରେ  ମୁମ୍ବାଇ  ହମଲା ସମୟରେ ଗିରଫ ହୋଇଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବକୁ ପ୍ରାୟ ୪ ବର୍ଷ ରଖାଯାଇଥିଲା । ପରବର୍ତ୍ତୀ ସମୟରେ କସାବକୁ ଫାଶୀ ଦିଆଯାଇଥିଲା ।

Dawood

ଗତ ବର୍ଷ ସେପ୍ଟେମ୍ବରରେ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଥାକରେ ମଧ୍ୟ ତାଙ୍କ ଫେସବୁକ୍‌ ପେଜ୍‌ ଲଞ୍ଚ୍‌ ଅସରରେ ଦାବି କରିଥିଲେ ଯେ ଦାଉଦ୍‌ ନିଜେ ଭାରତ ଆସିବାକୁ ଚାହୁଛି । ଥାକରେ ଏକ ବିସ୍ଫୋରକ ବୟାନରେ କହିଥିଲେ ଯେ ମୋଦି ସରକାରଙ୍କ ସହ ବୁଝାମଣା କରି ଦାଉଦ୍‌ ଭାରତ ଫେରିବାକୁ ଚାହୁଛି । ଏପରିକି ଦାଉଦ୍‌ ଫେରିବା ପରେ ଏହାର ରାଜନୈତିକ ଫାଇଦା ବିଜେପିକୁ ହିଁ ମିଳିବ ବୋଲି ସେ କହିଥିଲେ । ଏବେ  ଦାଉଦ୍‌ ବହୁତ ରୁଗ୍‌ଣ ହୋଇପଡ଼ିଛି ଏବଂ ସେ ଭାରତରେ ତା’ର ଶେଷ ଜୀବନ କଟାଇବାକୁ ଚାହୁଛି ବୋଲି ଥାକରେ କହିଥିଲେ ।

ବିଭିନ୍ନ ରାଷ୍ଟ୍ରରେ ଥିବା ଦାଉଦ୍‌ର ସମ୍ପତ୍ତି ଉପରେ ଚଢ଼ଉ ହେବାପରେ ଏବେ ସେ ବ୍ୟତିବ୍ୟସ୍ତ ହୋଇଉଠିଛି ଏବଂ ପାକିସ୍ତାନରେ  ତୁହାକୁ ତୁହା ଠିକଣା ବଦଳାଇ ରହୁଛି । ପାକିସ୍ତାନର ଭିନ୍ନ ଭିନ୍ନ ସହରରେ ଦାଉଦ୍‌ର ଅନେକ ଘର ରହିଛି ଏବଂ ପ୍ରତି ୨ ମାସରେ ଥରେ ସେ ସ୍ଥାନ ବଦଳାଉଥିବା କୁହାଯାଉଛି । ଗତବର୍ଷ ଦାଉଦ୍‌ର ଭାଇ ଇକବାଲ ଇବ୍ରାହିମକୁ ପୁଲିସ ଗିରଫ କରିବା ପରେ ଜେରା ବେଳେ ସେ କହିଥିଲା ଯେ ଦାଉଦ୍‌ ପାକିସ୍ତାନ ସରକାରର ଛତ୍ରଛାୟାରେ ରହିଛି ଏବଂ ସୁରକ୍ଷା ଦୃଷ୍ଟିରୁ ବାରମ୍ବାର ଠିକଣା ବଦଳାଉଛି ।  ଦାଉଦ୍‌ ଇବ୍ରାହିମ୍‌ର ପତ୍ନୀ ମେହଜବିନ ୨୦୧୬ରେ  ତାଙ୍କ ପିତାଙ୍କୁ ଭେଟିବାକୁ ମୁମ୍ବାଇ ଆସିଥିଲେ । ଫୋନ୍‌ ଟ୍ୟାପିଂ ଭୟରେ  ଦାଉଦ୍‌ ଭାରତରେ ଥିବା ନିଜ ସଂପର୍କୀୟଙ୍କ ସହ କଥାହେବା ମଧ୍ୟ ବନ୍ଦ କରିଦେଇଛି ।