ପାକିସ୍ତାନରେ ଲୁଚିଛି ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଦାଉଦ ଇବ୍ରାହିମ! ଲଣ୍ଡନ କୋର୍ଟରେ ଆମେରିକା ସରକାର କଲେ ସ୍ପଷ୍ଟ

181

କନକ ବ୍ୟୁରୋ: ଯେଉଁ କଥାକୁ ବର୍ଷ ବର୍ଷ ଧରି ପାକିସ୍ତାନ ଖଣ୍ଡନ୍ କରି ଆସୁଥିଲା ଆଜି ସେହି କଥାର ଖୁଲାସା ହୋଇଛି । ପାକିସ୍ତାନରେ ଲୁଚିଛି ଦାଉଦ୍ । ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀ ଦାଉଦ୍ ଇବ୍ରାହିମ୍ ଏବେ ଲୁଚିଛି ପାକିସ୍ତାନର କରାଚୀରେ । ଏକଥା ସ୍ପଷ୍ଟ କରିଛି ଆମେରିକା । ଲଣ୍ଡନର ଏକ କୋର୍ଟରେ ଆମେରିକା ସରକାର ନିଜର ପକ୍ଷ ରଖିବା ବେଳେ ଏହି କଥା ସ୍ପଷ୍ଟ କରିଛନ୍ତି । ଡି କମ୍ପାନୀର ବରିଷ୍ଠ ସଦସ୍ୟ ତଥା ଅନ୍ୟତମ ମୋଷ୍ଟ ୱାଂଟେଡ୍ ଆତଙ୍କବାଦୀ ଜାବିର ମୋତି ପ୍ରତ୍ୟର୍ପଣ ନେଇ ମାମଲା ଚାଲିଛି ଲଣ୍ଡନ କୋର୍ଟରେ ।

Dawood

ଡି କମ୍ପାନୀ ନେଇ ପାକିସ୍ତାନ, ଭାରତ ଓ ୟୁଏଇରେ ଛାନଭିନ କରୁଥିବା ଏଫବିଆଇ କୋର୍ଟକୁ ରିପୋର୍ଟ ଦେଇଛି ଯେ ଦାଉଦ ଛପିଛି ପାକିସ୍ତାନୀରେ । ଆମେରିକା ସରକାର ଏବେ ଜାବିର ମୋତିକୁ ଆମେରିକାକୁ ପ୍ରତ୍ୟର୍ପଣ ପାଇଁ କୋର୍ଟଙ୍କ ଅନୁମତି ଚାହୁଁଛନ୍ତି । କାରଣ ଜାବିର ମୋତି ନାଁରେ ଦାଦାବଟି ଆଦାୟ, ବ୍ଲାକମେଲ୍, ଡ୍ରଗ୍ସ ଚାଲାଣ, ଟଙ୍କା ଠକେଇ ନେଇ ଆମେରିକାରେ ରହିଛି ଅନେକ ମାମଲା । ମଙ୍ଗଳବାର ଜୋବିର ମୋତି ଲଣ୍ଡନ କୋର୍ଟରେ ହାଜର ହୋଇଥିଲା । କ୍ରାଉନ ପ୍ରଜେକ୍ୟୁସନ ସର୍ଭିସ୍ ପକ୍ଷରୁ ମାମଲା ଲଢୁଥିବା ଓକିଲ ଲିନା ବେଞ୍ଜାଟ୍ କୋର୍ଟଙ୍କୁ କହିଥିଲେ ଯେ, ଜାବିର ମୋତି ଡି କମ୍ପାନୀ ସଦସ୍ୟଙ୍କ ସହ ବୈଠକରେ ସାମିଲ ହେଉଥିଲେ ।

ଦାଉଦର ଅପରାଧ ସାମ୍ରାଜ୍ୟ ନେଇ ସେ ସିଧା ସଳଖ ଦାଉଦ ଇବ୍ରାହିମକୁ ରିପୋର୍ଟ କରୁଥିଲେ । ୧୦ ବର୍ଷ ଆମେରିକା ଭିସାରେ ଜାବିର ମୋତି ପାକିସ୍ତାନରୁ ଆମେରିକା ଆସିଥିବା ବେଳେ ଗତ ଶୁକ୍ରବାର ଲଣ୍ଡନର ଏକ ହୋଟେଲରୁ ଗିରଫ କରିଥିଲା ଲଣ୍ଡନ ମେଟ୍ରୋପଲିଟାନ୍ ପୋଲିସ ଏକ୍ସଟ୍ରାଡିସନ୍ ୟୁନିଟ୍ । ଏହା ପରେ ତାର ପ୍ରତ୍ୟର୍ପଣ ନେଇ ଲଣ୍ଡନ କୋର୍ଟରେ ଅପିଲ୍ କରିଛି ଆମେରିକା । ୧୯୯୬ ମୁମ୍ୱାଇ ବିସ୍ଫୋରଣରେ ଦାଉଦ୍ ଥିଲା ମାଷ୍ଟର ମାଇଁଣ୍ଡ । ଏହା ପର ଠାରୁ ସେ ଭାରତ ଛାଡି ଚାଲି ଯାଇଥିଲେ ମଧ୍ୟ ଭାରତରେ ଅନେକ ଆତଙ୍କବାଦୀ କାର୍ଯ୍ୟରେ ତାର ସଂପୃକ୍ତି ଥିବା ଭାରତ ବାରମ୍ୱାର ଅଭିଯୋଗ କରି ଆସୁଛି । ତେବେ ପାକିସ୍ତାନ ଏସବୁକୁ ଏଡାଇ ଚାଲିଛି ।