କନକ ବ୍ୟୁରୋ: ହୃଦଘାତର ଶିକାର ହୋଇ ଅଷ୍ଟ୍ରେଲିଆର ସିଡନୀ ସ୍ଥିତ ରୟାଲ୍ ପ୍ରିନ୍ସ ଆଲଫ୍ରେଡ୍ ହସପିଟାଲରେ ଜୀବନ ସହ ସଂଘର୍ଷ କରୁଛନ୍ତି ବାପା ସୁବାସ ଚନ୍ଦ୍ର ସାମଲ । ଏପଟେ ବାପାଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଉଦ୍ୟମ କରୁଛନ୍ତି ଝିଅ ସ୍ମିତା ସାମଲ । କିନ୍ତୁ ଅର୍ଥ ସାଜିଛି ବାଧକ, କାରଣ ଏୟାର ଲିଫ୍ଟ ପାଇଁ ଆବଶ୍ୟକ ପ୍ରାୟ ୪୦ ଲକ୍ଷ ଟଙ୍କା । ଅଷ୍ଟ୍ରେଲିଆରେ ପାଖାପାଖି ୨୫ ଦିନ ହେଲା ଲାଇଫ୍ ସପୋର୍ଟ ସିଷ୍ଟମରେ ରହି ଚିକିତ୍ସିତ ହେଉଛନ୍ତି ସୁବାସ । ପ୍ରତିଦିନ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବାରୁ ଯାହା କିଛି ସଞ୍ଚୟ ଥିଲା ଶେଷ ହୋଇଯାଇଛି । ସହୃଦୟ ବ୍ୟକ୍ତିଙ୍କ ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ସ୍ମିତା ।
Kanak News is now on WhatsApp
Join and get latest news updates delivered to you via WhatsApp
- ସୁବାସ ଚନ୍ଦ୍ର ସାମଲ
- ଘର – ଭୁବନେଶ୍ୱର
- ବୟସ – ୬୨ ବର୍ଷ
ଘରୋଇ କମ୍ପାନୀରୁ ଅବସର ନେବା ପରେ ପରିବାର ସହ ବେଶ ହସଖୁସିରେ ଦିନ କାଟୁଥିଲେ ସୁବାସ । ପୁଅ ଅଷ୍ଟ୍ରେଲିଆରେ ଚାକିରି କରୁଥିବାରୁ ଗତ ଡିସେମ୍ବର ମାସରେ ପୁଅ ପାଖକୁ ବୁଲିବାକୁ ଯାଇଥିଲେ ସୁବାସ । କିନ୍ତୁ ଡିସେମ୍ବର ୨୫ ତାରିଖରେ ସେ ହୃଦଘାତର ଶିକାର ହୋଇଥିଲେ । ସିଡନୀ ସ୍ଥିତ ରୟାଲ୍ ପ୍ରିନ୍ସ ଆଲଫ୍ରେଡ୍ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଥିଲା । ଚିକିତ୍ସା ହେବା ପରେ ସେ ସୁସ୍ଥ ହୋଇ ଆସୁଥିଲେ । ତେବେ ପୁଣିଥରେ ହୃଦଘାତ ହୋଇଥିଲା । ଠିକ୍ ସମୟରେ ଚିକିତ୍ସା ନହେବାରୁ କୋମାକୁ ଚାଲି ଯାଇଥିଲେ ସୁବାସ । ବ୍ରେନକୁ ରକ୍ତ ସଞ୍ଚାଳନ ନହେବାରୁ ଷ୍ଟ୍ରୋକ୍ ହୋଇଥିଲା, ବ୍ରେନର କିଛି ଭାଗ ଅଚଳ ହୋଇ ଯାଇଥିଲା ।
ଲାଇଫ୍ ସପୋର୍ଟ ସିଷ୍ଟମରେ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ସୁବାସ । ଆଖି ଖୋଲୁଛନ୍ତି, ଆଖିରେ ପଲକ ପଡୁଛି । ପ୍ରଥମେ ଡାକ୍ତର କହୁଥିଲେ ରିକୋଭରି ଅତି ମନ୍ଥର ଗତିରେ ହେଉଛି । ଏବେ ଲାଇଫ୍ ସପୋର୍ଟ ସିଷ୍ଟମ କାଢ଼ିଦେବାକୁ କହୁଛନ୍ତି ଡାକ୍ତର । କାରଣ ଅଷ୍ଟ୍ରେଲିଆର ବ୍ୟବସ୍ଥା ଅନୁଯାୟୀ ମସ୍ତିଷ୍କ ଅଚଳ ହୋଇ ପଡିଲେ ଲାଇଫ୍ ସପୋର୍ଟ କାଢ଼ି ଦେଇଥାନ୍ତି । ଅଷ୍ଟ୍ରେଲିଆ ହସପିଟାଲର ଏଭଳି ଆଭିମୁଖ୍ୟ ଦେଖି ଭୁବନେଶ୍ୱରର ବିଶେଷଜ୍ଞଙ୍କ ପରାମର୍ଶ ନେଇଛନ୍ତି ସ୍ମିତା । ସୁବାସଙ୍କ ରିପୋର୍ଟ ଦେଖିବା ପରେ ହୃଦରୋଗ ବିଶେଷଜ୍ଞ ଡାକ୍ତର ବ୍ରଜରାଜ ଦାସ, ଆଶା ଦେଖାଇଛନ୍ତି । ଲାଇଫ୍ ସପୋର୍ଟ ସିଷ୍ଟମରେ ରଖି ତାଙ୍କୁ ଚିକିତ୍ସା କରାଯାଇ ପାରିବ ବୋଲି କହିଛନ୍ତି ।
ଅଷ୍ଟ୍ରେଲିଆର ପ୍ରିନ୍ସ ଆଲଫ୍ରେଡ୍ ହସ୍ପିଟାଲରେ ଆଉ ଚିକତ୍ସା ହୋଇ ପାରିବନି ଜାଣିବା ପରେ ଭାଙ୍ଗି ପଡ଼ିଛନ୍ତି ସ୍ମତା । ଚାହୁଁଛନ୍ତି, ବାପାଙ୍କୁ ଭୁବନେଶ୍ୱର ଫେରାଇ ଆଣି ଚିକିତ୍ସା କରାଇବେ । ଏ ନେଇ ସହାୟତା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଚିଠି ଲେଖି ସେମାନଙ୍କ ଉତ୍ତରକୁ ଅପେକ୍ଷା କରିଛନ୍ତି । ବାପାଙ୍କ ଜୀବନ ରକ୍ଷା ଲାଗି ଦିନରାତି ଏକ କରି ଉଦ୍ୟମ କରୁଛନ୍ତି ସ୍ମିତା । ଅଷ୍ଟ୍ରେଲିଆକୁ ଭୁବନେଶ୍ୱର ଏୟାର ଆମ୍ବୁଲାନ୍ସରେ ଆଣିବା ପାଇଁ ପ୍ରାୟ ୪୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ତେଣୁ ସହୃଦୟ ବ୍ୟକ୍ତିଙ୍କୁ ଏଥିପାଇଁ ସହାୟତାର ହାତ ବଢ଼ାଇବାକୁ ଆକୁଳ ନିବେଦନ କରିଛନ୍ତି । ଯଦି ସ୍ମିତାଙ୍କ ଏହି ସଂଗ୍ରାମରେ ଆପଣ ସହାୟତା କରିବାକୁ ଚାହୁଁଛନ୍ତି, ତେବେ..
SMITA SAMAL
KOTAK MAHINDRA BANK
AC. NO : 0113049842
IFSC : KKBK0000493
MOBILE NO : 93379 55059 ରେ ଆର୍ଥିକ ସହଯୋଗ କରିପାରିବେ । ଆପଣଙ୍କ ଏହି ସହାୟତା ଜଣଙ୍କ ଜୀବନ ରକ୍ଷା କରିପାରିବ ।