ମାଓବାଦୀଙ୍କ ସ୍ପଷ୍ଟୀକରଣ ପରେ ଦାନ୍ତେୱାଡା ଏସପିଙ୍କ ପ୍ରଶ୍ନ : ଯଦି ଜାଣିଶୁଣି ହତ୍ୟା କରିନାହାନ୍ତି, କାହିଁକି ଲୁଟ କଲେ କ୍ୟାମେରା ?

263

କନକ ବ୍ୟୁରୋ : ଛତିଶଗଡ ଦାନ୍ତେୱାଡାରେ ଦୂରଦର୍ଶନ କ୍ୟାମେରାମ୍ୟାନଙ୍କୁ ହତ୍ୟା ପରେ ମାଓବାଦୀମାନେ ସ୍ପଷ୍ଟୀକରଣ ଦେଇଛନ୍ତି । ମାଓବାଦୀ ସଙ୍ଗଠନ ଦର୍ଭା ଡିଭିଜିନାଲ କମିଟି ମୁଖପାତ୍ର ସାଇନାଥ ଏକ ପ୍ରେସ ବିବୃତ୍ତି ଜାରି କରି ଏହି ଘଟଣାରେ ଦୁଃଖପ୍ରକାଶ କରବା ସହିତ ସାମ୍ବାଦିକକୁ ଜାଣିଶୁଣି ଆକ୍ରମଣ କରାଯାଇନାହିଁ ବୋଲି ସଫେଇ ଦେଇଛନ୍ତି । ଏଥିରେ କୁହାଯାଇଛି, ସାମ୍ବାଦିକକୁ ଜାଣିଶୁଣି ଆକ୍ରମଣ କରାଯାଇନାହିଁ । ଯବାନମାନେ ଟାର୍ଗେଟରେ ଥିଲେ । କିନ୍ତୁ ସେମାନଙ୍କ ସହିତ ଦୂରଦର୍ଶନ ଟିମ୍ ଥିବା ଜଣାନଥିଲା । ସାମ୍ବାଦିକ ଆମର ଶତ୍ରୁ ନୁହେଁ ମିତ୍ର । ମାଓ ଇଲାକାରେ ଯବାନ ଓ ପୋଲିସଙ୍କ ସହିଡ ମିଡିଆ କର୍ମୀ ନ ଯିବାକୁ ଅନୁରୋଧ କରିଛନ୍ତି ।

ସେପଟେ ମାଓବାଦୀଙ୍କ ଉତ୍ତରକୁ ନେଇ ପ୍ରଶ୍ନ କରିଛନ୍ତି ଦାନ୍ତେୱାଡା ଏସପି ଅଭିଷେକ ପଲ୍ଲଭ । ଯଦି କ୍ୟାମେରାମ୍ୟାନଙ୍କୁ ଜାଣିଶୁଣି ହତ୍ୟା କରିନଥିଲେ , ତାହା ହେଲେ କ୍ୟାମେରା କାହିଁକି ଲୁଟ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଘଟଣା ସ୍ଥଳରେ କଣ ଘଟିଥିଲା କ୍ୟାମେରାରେ ସମସ୍ତ ପ୍ରକାର ପ୍ରମାଣ ରହିଥିଲା ।

ଗତ ସୋମବାରଦିନ ଦାନ୍ତୋୱାଡାରେ ମାଓ ଆକ୍ରମଣ ହୋଇଥିଲା । ଏଥିରେ ଦୂରଦର୍ଶନରେ କାମ କରୁଥିବା ଓଡିଆ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁ ପ୍ରାଣ ହରାଇଥିଲେ । ଏହାସହ ୨ ଜଣ ଯବାନ ବି ସହିଦ ହୋଇଥିଲେ । ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବଲାଙ୍ଗିରର ଲୋଇସିଂହ ଅଂଚଳରେ ଅଚ୍ୟୁତାନନ୍ଦଙ୍କ ଘର । କେନ୍ଦ୍ର ସରକାର ଅଚ୍ୟୁତାନନ୍ଦଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା କରିଛନ୍ତି ।