ନୂଆ ସାଥି ସନ୍ଧାନରେ ଦାମ । ବିଜୟ ଓ ଦିଲ୍ଲୀପଙ୍କୁ ମେସେଜ ପଠାଇ ବିଜୁ ସମତା କ୍ରାନ୍ତି ଦଳରେ ସାମିଲ ହେବାକୁ ଦେଲେ ପ୍ରସ୍ତାବ

ବିଜୟ କହିଲେ, କେହି କରିନାହାନ୍ତି ଆଲୋଚନା, ଦିଲ୍ଲୀପ ଆସିବା ପରେ ନିଷ୍ପତି

134

କନକ ବ୍ୟୁରୋ: ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିବାକୁ ମୌକା ଖୋଜୁଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ବିଜେପିକୁ ଦିଲ୍ଲୀପ ରାୟ ଓ ବିଜୟ ମହାପାତ୍ର ଅଲବିଦା କରିବା ପରେ ଦାମ ସେମାନଙ୍କୁ ସାଥି ବନେଇବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ପରିବର୍ତନ ପାଇଁ ଦୁଇଜଣଙ୍କୁ ବିଜୁ ସମତାକ୍ରାନ୍ତି ଦଳରେ ସାମିଲ ହେବା ପାଇଁ ପ୍ରସ୍ତାବ ଦେଇଛନ୍ତି । ମେସେଜ କରି ତାଙ୍କ ପାର୍ଟିର ଦ୍ୱାର ଏହି ଦୁଇନେତାଙ୍କ ପାଇଁ ଖୋଲା ଥିବା କହିଛନ୍ତି ଦାମ ରାଉତ ।

ବିଜେଡିରୁ ବିଦା ହେବା ପରେ ୨୦୧୯ରେ ବିଜେଡିକୁ କଡା ଟକ୍କର ଦେବାପାଇଁ ନୂଆ ଦଳ ଗଢିଥିବା ଦାମୋଦର ରାଉତ ଏବେ ସାଥି ଖୋଜୁଛନ୍ତି । ଠିକ ଏତିକି ବେଳେ ତାଙ୍କର ପୁରୁଣା ସାଥି ଦିଲ୍ଲୀପ ରାୟ ଏବଂ ବିଜୟ ମହାପାତ୍ର ବିଜେପି ଛାଡିବା ଦାମଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିଛି । ଉଭୟଙ୍କୁ ବିଜୁ ସମତାକ୍ରାନ୍ତିରେ ସାମିଲ ହେବା ପାଇଁ ସେ ଆହ୍ୱାନ କରିିଛନ୍ତି । ମେସେଜ ପଠାଇ ଏହି ନିମନ୍ତ୍ରଣ ଦେଇଛନ୍ତି ଦାମ । ଦାମଙ୍କ କହିବା ହେଲା ଯିଏ ପରିବର୍ତନ ଚାହୁଁଛନ୍ତି ମୋ ସହ ଆସନ୍ତୁ ।

ଏବେ ପ୍ରଶ୍ନ ଉଠୁଛି ଇତିହାସର ପୁନରାବୃତି ହେବ କି ? ପୁଣିଥରେ ବିଜେଡିରେ ସାମିଲ ହେବେ କି ଦିଲ୍ଲୀପ ଓ ବିଜୟ ? ଏହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା । ଏତିକି ବେଳେ ବିଜେଡିରେ ଯୋଗ ଦେବା ପ୍ରସଙ୍ଗରେ ଦାମ କହିଛନ୍ତି, ଯିଏ ନବୀନଙ୍କୁ ଆଣି ନେତା କଲେ, ପ୍ରଥମେ ତାଙ୍କୁ ଦଳରୁ ବିଦା କରାଗଲା । ତେଣୁ ଯାହାର ସ୍ୱାଭିମାନ ଥିବ ସେ କେମିତି ପୁଣି ବିଜେଡିକୁ ଫେରିବ ବୋଲି ପ୍ରଶ୍ନ ଉଠାଇଛନ୍ତି ଦାମ ।

ଅନ୍ୟପକ୍ଷରେ ବିଜୟ କହିଛନ୍ତି ତାଙ୍କୁ କେହି ଡାକିନାହାନ୍ତି ଏବଂ ଆଲୋଚନା କରିନାହାନ୍ତି । ୧୫ଦିନ ପରେ ଦିଲ୍ଲୀପ ରାୟ ଓଡିଶା ଫେରିବା ପରେ ଯାହା ରାଜନୈତିକ ନିଷ୍ପତି ନିଆଯିବ । ତେବେ ରାଜନୈତିକ ଜୀବନର ଆରମ୍ଭରେ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ଓ ଦାମୋଦର ରାଉତ ବିଜୁ ପଟ୍ଟନାୟକଙ୍କ ଅତ୍ୟନ୍ତ ଘନିଷ୍ଠ ଥିଲେ । ଏଣୁ ଦାମଙ୍କ ଅଫର ପରେ ଉଭୟ କି ନିଷ୍ପତି ନେଉଛନ୍ତି ତା ଉପରେ ସମସ୍ତଙ୍କ ନଜର ।