ମନ ଜିଣିଲେ ବିଧାୟକ ! ହାତରେ କୋଦାଳ ଧରି ମାଟି ପକାଇ ଖାଲଢ଼ିପ ରାସ୍ତା ସମତୁଲ କଲେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ

472

କନକ ବ୍ୟୁରୋ : ହାତରେ କୋଦାଳ, ରାସ୍ତାରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ନବରଙ୍ଗପୁର ଜିଲ୍ଲାର ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ନିଜ ନିର୍ବାଚନ ମଣ୍ଡଳୀରେ ହାତରେ କୋଦାଳ ଧରି ଖାଲଢ଼ିପ ରାସ୍ତା ସମତୁଲ କଲେ । ସବୁବେଳେ ନିଜ କାର୍ଯ୍ୟଶୈଳୀ ପାଇଁ ଚର୍ଚ୍ଚିତ ନିତ୍ୟାନନ୍ଦ ଗଣ୍ଡ ପୁଣି ଚର୍ଚ୍ଚାରେ । ବିଧାୟକ ପଦ ପାଇବା ପରେ ବି ବଦଳି ନାହାନ୍ତି ନିତ୍ୟାନନ୍ଦ ଗଣ୍ଡ । କ୍ଷମତାର ଅହଙ୍କାର ନାହିଁ । ଏବେ ବି ଅତି ସାଧାରଣ ଜୀବନ ବିତାଇବା ସହ ଲୋକଙ୍କ ସମସ୍ୟା ସମାଧାନ କରିବାରେ ସବୁବେଳେ ବ୍ୟସ୍ତ ନିତ୍ୟାନନ୍ଦ । ବର୍ତ୍ତମାନ ସମୟରେ ସବୁ ଅଞ୍ଚଳର ପ୍ରମୁଖ ସମସ୍ୟା ହେଲା ରାସ୍ତା । କେଉଁ ଗାଁକୁ ରାସ୍ତା ନାହିଁ ତ ପୁଣି କେଉଁ ଗାଁକୁ ରାସ୍ତା ଥିଲେ ବି ଯିବାଆସିବା କରିବା ମୁସ୍କିଲ ହୋଇପଡ଼ିଛି । ଆଉ ଏହି ଖାଲଢ଼ିପ ରାସ୍ତାକୁ ସଜାଡ଼ିବାର ଜିମା ନେଇଛନ୍ତି ଉମରକୋଟ ବିଧାୟକ ।

ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । କେତେବେଳେ ମକା ବିଲରେ ପଶି କୀଟନାଶକ ମାରୁଛନ୍ତି ତ ପୁଣି କେତେବେଳେ ଲୋକଙ୍କ ସହ ମିଶି ରାସ୍ତା ସମତୁଲ କରୁଛନ୍ତି । ନିକଟରେ ପୁଣି ଏପରି ଏକ ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି । ଲଗାଣ ବର୍ଷା ସାଙ୍ଗକୁ ଖାଲଢ଼ିପ ରାସ୍ତା । ଉମରକୋଟରୁ ଭାଲୁଗୁଡ଼ା ରାସ୍ତାର ଅବସ୍ଥା ଦୀର୍ଘ ଦିନ ହେବ ଶୋଚନୀୟ ହୋଇପଡ଼ିଥିଲା । ଦୀର୍ଘଦିନ ଧରି ରାସ୍ତା ମରାମତି ହୋଇନଥିବାରୁ ରାସ୍ତାରେ ଛୋଟ ଛୋଟ ଗାତ ସୃଷ୍ଟି ହୋଇଯାଇଥିଲ । ଯିବାଆସିବା କରୁଥିବା ଲୋକେ ନାହିଁନଥିବା ହଇରାଣ ହେଉଥିଲେ । ଲୋକଙ୍କ ଅସୁବିଧାକୁ ଦେଖି ଚୁପ ବସିପାରିନଥିଲେ ବିଧାୟକ ।

ବିରୋଧୀ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ମଧ୍ୟ ସବୁ କ୍ଷେତ୍ରରେ ସରକାରୀ ଅନୁଦାନକୁ ଚାହିଁ ନବିସି ନିଜ ନିର୍ବାଚନମଣ୍ଡଳୀର ଲୋକଙ୍କ ପାଇଁ ଆଗେଇ ଆସିଥିଲେ । ହାତରେ କୋଦାଳ ଧରି ରାସ୍ତା କାମ କରିବାକୁ ବାହାରି ଆସିଥିଲେ । ରାସ୍ତାରେ ନିଜେ ମାଟି ହାଣି ପକାଇବା ସହ ରାସ୍ତା ସମତଳ କରିଛନ୍ତି ନିତ୍ୟାନନ୍ଦ ଗୋଣ୍ଡ । କେବଳ ଏତିକି ନୁହେଁ ନିକଟରେ ରାସ୍ତା କାମର ବଳକା ପିଚୁ ମିଶ୍ରଣ ଆଣି ଖାଲୁଆ ସ୍ଥାନରେ ପକାଇଛନ୍ତି । ବିଧାୟକ ନିଜେ କୋଦାଳରେ କାମ କରୁଥିବା ଦେଖି ଲୋକମାନେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ । ବିଧାୟକଙ୍କ ଏପରି କାମ ପାଇଁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟୁଛି । ସବୁବେଳେ ସରକାରଙ୍କ ଉପରେ ଭରସା ନକରି ନିଜ ଉଦ୍ୟମରେ ବି କାମ କଲେ ସମସ୍ୟା ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି ।