ଦୀପାବଳିରେ ଦାମ ଛାଡିଲେ ରାଜନୀତିର ବାଣ ! ଖୁବଶୀଘ୍ର ଗଢିବେ ନୂଆ ଦଳ, ରହିବ ବିଜୁଙ୍କ ନାଁ ।

239

କନକ ବ୍ୟୁରୋ : ଦୀପାବଳିରେ ରାଜନୀତିର ବାଣ ଫୁଟାଇଛନ୍ତି ଦାମ ରାଉତ । ବିଜେଡିରୁ ବହିଷ୍କୃତ ନେତା ତଥା ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ଖୁବ୍ ଶୀଘ୍ର ଗଢିବେ ନୂଆ ଆଂଚଳିକ ଦଳ । ନୂଆ ଦଳରେ ବିଜୁଙ୍କ ନାଁ ରହିବ ବୋଲି କହିଛନ୍ତି ଦାମବାବୁ । ତେବେ ଓଡ଼ିଶାର ଇତିହାସରେ ଅନେକ ତୁଙ୍ଗ ନେତୃୃତ୍ୱ ଆଂଚଳିକ ଦଳ ଗଢ଼ି କେତେକାଂଶରେ ସଫଳ ହୋଇଥିବା ବେଳେ ଅନ୍ୟ କେତେକ ନେତା ବିଫଳ ହୋଇଛନ୍ତି ।  ଦାମବାବୁ ଏକ୍ଷେତ୍ରରେ  କେତେ ସଫଳ ହେଉଛନ୍ତି ତା’ ଉପରେ ନଜର ପକାନ୍ତୁ ।

ବିଜୁଙ୍କ ନାଁରେ ଦାମ ଗଢ଼ିବେ ଦଳ । ଦୀପାବଳିରେ ଦାମଙ୍କ ବାଣ । ୮/୧୦ ଦିନ ଭିତରେ ନୂଆ ଦଳ ଗଢ଼ିବାକୁ ଯାଉଛନ୍ତି ପାରାଦୀପ ବିଧାୟକ ଦାମ ରାଉତ । ଦଳ ନାଁରେ ରହିବ ବିଜୁବାବୁଙ୍କ ନାଁ । ତେବେ ବିଜେପି କିମ୍ବା କଂଗ୍ରେସ ସହ ମେଂଟ କରିବା ସପକ୍ଷରେ ନାହାନ୍ତି ଦାମ । ତେବେ ସହଯୋଗୀଙ୍କ ସହ ପରାମର୍ଶ କରି ମେଂଟ ସଂପର୍କରେ ଖୁବ୍ ଶୀଘ୍ର ନିଷ୍ପତି ନେବେ ବୋଲି ଦୀପାବଳିରେ ରାଜନୀତିର ବାଣ ଛାଡିଛନ୍ତି ଦାମବାବୁ । 

ଦାମ ଅକ୍ଟୋବର ସୁଦ୍ଧା ଦଳ ଗଢ଼ିବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ । ସେ ଯେଭଳି ଭାବେ କଂଗ୍ରେସ ଭବନ ଗଲେ ଓ ବିଜେଡିରୁ ବାହାରେ ଥିବା କେତେକ ନେତାଙ୍କ ସଂପର୍କରେ ରହିବାକୁ ଲାଗିଲେ ସେଥିରୁ ସେ କୌଣସି ବଡ଼ ଦଳ ସହ ମେଂଟ କରିପାରନ୍ତି ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଥିଲା । ବିଜେଡିରୁ ବହିଷ୍କୃତ ହେବା ପରେ ଦଳ ଓ ନବୀନଙ୍କୁ ଟାର୍ଗେଟ କରି ଆସୁଛନ୍ତି ଦାମ ବାବୁ । ବିଜେଡି ବିରୋଧୀ ଶକ୍ତିକୁ ଏକାଠି କରିବାକୁ ଅଂଟା ଭିଡିଛନ୍ତି । 

ସ୍ୱାଧୀନତା ପରେ ଓଡ଼ିଶାରେ ବଡ଼ ବଡ଼ ନେତାଙ୍କ ନେତୃତ୍ୱରେ ଅନେକ ଆଂଚଳିକ ଦଳ ଗଢ଼ାଯାଇଛି । ସେଥିରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ “ଗଣତନ୍ତ୍ର ପରିଷଦ’’, ହରେକୃଷ୍ଣ ମହତାବଙ୍କ “ଜନ କଂଗ୍ରେସ’’ ଓ ବିଜୁ ପଟ୍ଟନାୟକଙ୍କ “ଉକ୍ରଳ କଂଗ୍ରେସ’’ ନିର୍ବାଚନ ରାଜନୀତିରେ ଯଥେଷ୍ଟ ସଫଳତା ହାସଲ କରିଥିବା ଦେଖାଯାଇଛି । ତେବେ ନିକଟରେ ଦୁଇ ଦଶକ ଭିତରେ ଗଢ଼ାଯାଇଥିବା ବିଜେଡିକୁ ଛାଡ଼ିଦେଲେ ବିଜୟ ମହାପାତ୍ରଙ୍କ “ଓଡ଼ିଶା ଗଣପରିଷତ’’, ବ୍ରଜ ତ୍ରିପାଠୀଙ୍କ “ସମତାକ୍ରାନ୍ତି ଦଳ’’, ପ୍ୟାରୀମୋହନ ମହାପାତ୍ରଙ୍କ “ଓଡ଼ିଶା ଜନମୋର୍ଚ୍ଚା’, ସୌମ୍ୟରଂଜନ ପଟ୍ଟନାୟକଙ୍କ “ଆମ ଓଡ଼ିଶା ପାର୍ଟି’ ଓ ଐର ଖାରବେଳ ସ୍ୱାଇଁଙ୍କ “ଉକ୍ରଳ ଭାରତ’ ବିଶେଷ ସଫଳତା ହାସଲ କରିପାରିନାହାନ୍ତି ।