ନିର୍ବାଚନ ରାଜନୀତିରୁ ଦାମଙ୍କ ସନ୍ନ୍ୟାସ ଘୋଷଣା । କହିଲେ, ସାଧାରଣ ନିର୍ବାଚନପରେ ଦଳ ପାଇଁ ମୁଁ ଅଲୋଡ଼ା, ବଳ ଥିବା ଯାଏଁ ଲୋକଙ୍କ ସେବା କରିଚାଲିବି ।

1,013

କନକ ବ୍ୟୁରୋ: ରାଜ୍ୟ ବିଜେପିକୁ ବଡ଼ ଝଟକା । ପ୍ରତ୍ୟେକ୍ଷ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଇଥିବା ଘୋଷଣା କଲେ ଦାମ ରାଉତ । ଏପରିକି ଅନେକ ଦିନ ହେବ ବରିଷ୍ଠ ନେତା ଦାମ ରାଉତଙ୍କୁ ନେଇ ବିଜେପି କ୍ୟାମ୍ପରେ କୁହୁଳୁଥିବା ଅସନ୍ତୋଷ ନେଇ ମୁହଁ ଖୋଲିଛନ୍ତି ଦାମ ରାଉତ । କନକ ନ୍ୟୁଜ୍ କ୍ୟାମେରା ସାମ୍ନାରେ ବିଜେପି ବିରୋଧରେ ବିଷୋଦଗାର କରି ଦାମ କହିଲେ, ସାଧାରଣ ନିର୍ବାଚନ ପରେ ଦଳ ମୋତେ ଆଉ ଅବଶ୍ୟକତା କରୁନି । ଏପରିକି ପୂର୍ବରୁ ହେଲିକପ୍ଟରରେ ବୁଲାଇଲେ , ଏବେ ଅଲୋଡ଼ା କରିଦେଲେ ବୋଲି କହି ଦାମ ବିଜେପି ବିରୋଧରେ ବିଷ ଓଗାଳିଛନ୍ତି ।

ଅନ୍ୟପଟେ ବିଜେପୁର ପାଇଁ ବିଜେପର ଷ୍ଟାର ପ୍ରଚାରକ ତାଲିକାରେ ଦାମ ରାଉତଙ୍କ ନାଁ ନଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଦାମ ଅଧିକ ଖପ୍ପା ହୋଇଯାଇ ବିଜେପି ବିରୋଧରେ ବିଷୋଦଗାର କରୁଥିବ ଦେଖିବାକୁ ମିଳିଛି । ପୂର୍ବରୁ ଅନେକ ସମୟରେ ଦଳ ପାଇଁ ଅଲୋଡ଼ା କହି ଆସୁଥିବା ଦାମ ବିଜେପକୁ ଏଥର ନିଶାନା କରିଛନ୍ତି । ଆଉ ଦଳ ତାଙ୍କୁ ଅଣଦେଖା କରୁଥିବା ଅନୁଭବ କରି ଏଭଳି ବଡ଼ ବୟାନ ରଖିଛନ୍ତି ଦାମ ।

ସେହିଭଳି ପ୍ରତ୍ୟେକ୍ଷ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଇ ଦାମ କହିଛନ୍ତି, ମୋ ପୂଅ ବିଧାୟକ ହୋଇଗଲାଣି ତେଣୁ ନିର୍ବାଚନ ଲଢ଼ିବାକୁ ମୋର ବଳ-ବୟସ କି  ମାନସିକତା ଆଉ ନାହିଁ । ଏବଂ ହାତଗୋଡ଼ ଚଳୁଥିବା ଯାଏଁ ଲୋକଙ୍କ କାମ କରି ଚାଲିବି । ତେବେ ବିଜେପୁର ନିର୍ବାଚନ ପୂର୍ବରୁ ବିଜେପିକୁ ନେଇ ଦାମଙ୍କ ଏଭଳି ଅସନ୍ତୋଷପୂର୍ଣ୍ଣ ବୟାନ ଦଳକୁ ଅଡୁଆରେ ପକାଇପାରେ ବୋଲି ଚାରିଆଡ଼େ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।