କାଲି ଦାମଙ୍କ ରାଜନୀତିର ନୂଆ ଇନିଂସ । କାର୍ତ୍ତିକ ପୂର୍ଣ୍ଣମୀରେ ଘୋଷଣା ହେବ ବିଜୁ କ୍ରାନ୍ତି ଦଳ 

1,325

କନକ ବ୍ୟୁରୋ : ଆସନ୍ତାକାଲି ନୂଆ ଦଳ ଘୋଷଣା କରିବେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ । କାଲି ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀରେ ବିଧିବଦ୍ଧ ଭାବେ ନୂଆ ଦଳର ଘୋଷଣା କରିବେ ଦାମ ରାଉତ । ଆଉ ଏହାସହ ରାଜ୍ୟ ରାଜନୀତିରେ ଆଉ ଏକ ନୂଆ ଇନିଂସ ଖେଳିବାକୁ ଯାଉଛନ୍ତି ରାଜନୀତିର ପୋଖତ ଖେଳାଳୀ ଦାମ ରାଉତ । ଦାମଙ୍କ ନୂଆ ଦଳର ନାଁ ବିଜୁ କ୍ରାନ୍ତି ଦଳ ରହିବ ବୋଲି କନକ ନ୍ୟୁଜକୁ କହିଛନ୍ତି ।  ନିଜକୁ ବିଜୁ ଅନୁଗତ କହି ଆସୁଥିବା ଦାମ ତାଙ୍କ ନାମ ଅନୁସାରେ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା । ଏନେଇ ପୂର୍ବରୁ ସୂଚନା ଦେଇଥିଲେ ପୂର୍ବତନ ମନ୍ତ୍ରୀ ।

ଦାମଙ୍କ ନୂଆ ଦଳରେ କିଏ ସାମିଲ ହେବ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ ଯଜେ୍ଞଶ୍ୱର ବାବୁ , ବ୍ରଜ କିଶୋର ତ୍ରିପାଠୀଙ୍କୁ ନେଇ ନୂଆ ଦଳକୁ ଦାମ ଆଗକୁ ନେବେ ବୋଲି ସୂଚନା ମିଳିଛି । ତେବେ ବୈଜୟନ୍ତ ପଣ୍ଡା ନୂଆ ଦଳରେ ସାମିଲ ହେବେ କି ନାହିଁ ସେନେଇ ମୁହଁ ଖୋଲି ନାହାନ୍ତି ଦାମ । କିନ୍ତୁ ସେ ଦଳର ମଙ୍ଗ ଧରିବେ ଏକଥା ସ୍ପଷ୍ଟ କରିଛନ୍ତି ଦାମ ।

ପୂର୍ବରୁ ବିଜେଡିରେ ଥିବା ଦାମ ବିବାଦୀୟ ମନ୍ତବ୍ୟ ପାଇଁ ପ୍ରଥମେ ମନ୍ତ୍ରୀପଦରୁ ବିଦା ହୋଇଥିଲେ । ପରେ ପରେ ନିଜର ବେଲଗାମ ତୁଣ୍ଡ ପାଇଁ ସେପ୍ଟେମ୍ବର ୧୨ରେ ଦଳରୁ ଦାମଙ୍କୁ ବହିଷ୍କାର କରାଯାଇଥିଲା । ଆଉ ଏହାପରେ ନବୀନଙ୍କୁ ଚେକମେଟ ଦେବାକୁ ଦାମ ନୂଆ ଦଳ ଗଠନ କରିବେ ବୋଲି ଘୋଷଣା କରିଥିଲେ । ବୈଜୟନ୍ତ ପଣ୍ଡା, ପ୍ରଫୁଲ ଘଡେଇ, ପଞ୍ଚାନନ କାନୁନଗୋଙ୍କ ଭଳି ନେତାଙ୍କୁ ସାଙ୍ଗରେ ନେଇ ନୂଆ ଦଳ ଗଠନ କରିବେ ବୋଲି କହିଥିଲେ ଦାମ । ତେବେ ସେତେବେଳେ ଏକଥାକୁ ଖଣ୍ଡନ କରିଥିଲେ ତିନି ନେତା । ଆଉ ଏହାପରେ ଦାମ ରାଜ୍ୟର ବିଭିନ୍ନ ସ୍ଥାନରେ ନବୀନଙ୍କ ବିରୋଧରେ ସଭା କରି ଆସୁଛନ୍ତି ।

କାର୍ତ୍ତିକ ପୂର୍ଣ୍ଣିମାରେ ନୂଆ ଦଳର ଘୋଷଣା କରିବେ ଦାମ । ୨୦୧୯ ନିର୍ବାଚନକୁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ଥିବା ବେଳେ ଦାମଙ୍କ ନୂଆ ଦଳ ରାଜିନୀତିର ପଶାପାଲିରେ ବିଜେଡିକୁ ଚେକମେଟ ଦେଇପାରୁଛି କି ନାହିଁ ତାହା ଉପରେ ଏବେ ରାଜ୍ୟବାସୀଙ୍କ ନଜର ରହିବ । କାରଣ ପୂର୍ବରୁ ମଧ୍ୟ ବିଜେଡିକୁ ଟକ୍କର ଦେବାକୁ ଓଡିଶାରେ ଅନେକ ଆଞ୍ଚଳିକ ଦଳ ଗଠନ ହୋଇଥିଲା । କିନ୍ତୁ ନବୀନଙ୍କ ଲୋକପ୍ରିୟତା ଆଗରେ କିଛି ଆଞ୍ଚଳିକ ଦଳ ସମ୍ପୂର୍ଣ୍ଣ ମୂଳପୋଛ ହୋଇଥିବା ବେଳେ ଆଉ କିଛି ଆଞ୍ଚଳିକ ଦଳ ରାଜନୀତିରେ ତିଷ୍ଠି ରହିବା ପାଇଁ ସଂର୍ଘଷ କରୁଛନ୍ତି । ଆଉ ଏଭଳି ସମୟରେ ଦାମଙ୍କ ନୂଆ ଦଳ କେଉଁ ରାଜ୍ୟ ରାଜନୀତିରେ କଣ ପ୍ରଭାବ ପକାଇବ ତାହା ଦେଖିବା ବାକି ରହିଲା ।