ଡାଲି ଦର ବଢାଇଲା ଖାଉଟିଙ୍କ ଚିନ୍ତା ! ଏମଏସପି ବୃଦ୍ଧି ଯୋଗୁଁ ବଢିଲା ଦର ।

124

ବେଶ୍ କିଛି ଦିନ ହେବ ଡାଲିଜାତୀୟ ସାମଗ୍ରୀର ମୂଲ୍ୟ ଖାଉଟିଙ୍କୁ ସୁହାଇ ଆସୁଥିଲା । ମାତ୍ର ଗତ ଦୁଇ ଦିନ ହେବ ଡାଲି ଦରବୃଦ୍ଧି ଘଟିଛି । ପାଇକାରୀ ଦର କିଲୋ ପିଛା ୧୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ଖୁଚୁରା ବଜାର ଦର କିଲୋ ପିଛା ୧୫ଟଙ୍କା ବୃଦ୍ଧି ପାଇଛି । ଅମଳ ଓ ଆମଦାନୀରେ କୌଣସି ପ୍ରଭାବ ପଡ଼ି ନ ଥିବା ବେଳେ ହଠାତ୍ ଡାଲି ଦରବୃଦ୍ଧି ଖାଉଟିମାନଙ୍କ ଚିନ୍ତା ବଢ଼ାଇ ଦେଇଛି । ସମ୍ପ୍ରତି ବଜାରରେ ପରିବା ଦର ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ଡାଲି ଦର ବୃଦ୍ଧି ଖାଉଟିଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ସଦୃଶ ହୋଇଛି । ଖାଉଟିମାନେ ଦେଶରେ ଚାଲିଥିବା ନିର୍ବାଚନ ପାଇଁ ଏଭଳି ଘଟିଥିବା ନେଇ ଚର୍ଚ୍ଚା କରୁଥିବା ବେଳେ ପ୍ରକୃତରେ ଡାଲି ଜାତୀୟ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି) ବୃଦ୍ଧି ଏହାର ମୁଖ୍ୟ କାରଣ ବୋଲି ବ୍ୟବସାୟୀ ମହଲରୁ ସୂଚନା ମିଳିଛି ।

ବଜାରରୁ ଉପଲବ୍ଧ ତଥ୍ୟାନୁସାରେ, ୨ ଦିନ ପୂର୍ବେ ମାନ ଅନୁସାରେ ହରଡ଼ ଡାଲିର ପାଇକାରୀ ଦର କିଲୋ ପିଛା ୫୨ ଟଙ୍କାରୁ ୬୦ ଟଙ୍କା ଥିଲା। ତେଣୁ ଖୁଚୁରା ବଜାରରେ ଭଲ ମାନର ହରଡ଼ ଡାଲି ୬୫ରୁ ୬୮ ଟଙ୍କା ମଧ୍ୟରେ ମିଳୁଥିଲା। କିନ୍ତୁ ଗତକାଲିଠାରୁ ଏହି ଡାଲିର ପାଇକାରୀ ଦର ମାନ ଅନୁସାରେ ୬୦ ଟଙ୍କାରୁ ୭୦ ଟଙ୍କାକୁ ବୃଦ୍ଧି ପାଇଛି। ତେଣୁ ସ୍ବାଭାବିକ ଭାବେ ଖୁଚୁରା ବଜାରରେ ହରଡ଼ ଡାଲି କିଲୋ ପିଛା ୭୫ ଟଙ୍କାକୁ ଟପି ଯାଇଛି। ସେହିଭଳି ମୁଗ ଡାଲି ଦର ଥିଲା ୫୮ ଟଙ୍କାରୁ ୬୫ ଟଙ୍କା। ମାତ୍ର ଦରବୃଦ୍ଧି ପରେ ଏବେ ୬୨ ଟଙ୍କାରୁ ୭୨ ଟଙ୍କାରେ ପହଞ୍ଚିଛି। ତେଣୁ ଖୁଚୁରା ବଜାରରେ ମୁଗ ଡାଲି କିଲୋ ପିଛା ୮୦ ଟଙ୍କାକୁ ଟପି ଯାଇଛି। ଫଳରେ କାର୍ତିକ ମାସରେ ହବିଷ୍ୟାଳିମାନଙ୍କ ଉପରେ ଏହା ବେଶ୍ ପ୍ରଭାବ ପକାଇଛି। ବିରି ଡାଲି ଦର ବୃଦ୍ଧି ସବୁଠାରୁ ଅଧିକ ପ୍ରଭାବ ପକାଇଥିବା କୁହାଯାଉଛି। ପୂର୍ବରୁ ଏହାର ପାଇକାରୀ ଦର ୪୭ ଟଙ୍କାରୁ ୬୨ ଟଙ୍କା ମଧ୍ୟରେ ଥିଲା। କିନ୍ତୁ ଏବେ ଏହା ବୃଦ୍ଧି ପାଇ ୬୦ରୁ ୮୦ ଟଙ୍କାକୁ ଛୁଇଁଛି। ଫଳରେ ଖୁଚୁରା ବଜାରରେ ବିରି ଡାଲି ୯୦ ଟଙ୍କାରେ ପହଞ୍ଚି ଯାଇଛି। ଏହି ଡାଲିର ଦରବୃଦ୍ଧି ଜଳଖିଆ ବଜାରକୁ ବେଶ୍ ପ୍ରଭାବିତ କରୁଥିବା ଲକ୍ଷ୍ୟ କରାଯାଉଛି।

ଏନେଇ ବ୍ୟବସାୟୀ ମହାସଂଘର ସମ୍ପାଦକ ସୁଧାକର ପଣ୍ଡାଙ୍କ କହିବା କଥା, ସରକାର ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ପରେ ଡାଲି ଦର ସ୍ବାଭାବିକ ଭାବେ ବଢ଼ିଛି। ଏବେ ଏମଏସପି ୬୯୦୦ ଟଙ୍କା ହୋଇଛି। ଚାଷୀଙ୍କଠାରୁ ଏହି ଦରରେ କିଣିବା ପରେ ଏହାକୁ ମିଲ୍ରେ ଡାଲି କରିବାକୁ ପୁଣି ଖର୍ଚ୍ଚ ପଡ଼ୁଛି। ଫଳରେ ଏବେ ମିଲରୁ ଡାଲି ପ୍ରସ୍ତୁତ ହୋଇ ବଜାରକୁ ଆସିବା ବେଳକୁ ମୋଟ୍ ଖର୍ଚ୍ଚ ପ୍ରାୟ ୮ ହଜାର ଟଙ୍କା(କ୍ବିଣ୍ଟାଲ ପିଛା) ପଡ଼ୁଛି। ତେଣୁ ସେହି ହିସାବରେ ଦେଖିଲେ ଏବେ ପାଇକାରୀ ଦର କିଲୋପିଛା ୮୦ ଟଙ୍କା ପଡ଼ିବା କଥା। ମାତ୍ର ଆମଦାନୀ ଠିକ୍ ରହିଥିବା ଓ ସରକାରୀ କଟକଣା ଦୃଷ୍ଟିରୁ ଡାଲି ଦର ସେହି ସ୍ତରକୁ ଯାଇ ପାରିନାହିଁ। କିନ୍ତୁ ଖୁବ୍ ଶୀଘ୍ର ଦର ଏହି ସ୍ତରକୁ ଯିବ ଓ ବଜାରରେ ଡାଲି କିଲୋ ପିଛା ୯୦ ଟଙ୍କା ପାଖାପାଖି ବିକ୍ରି ହେବ। ବିରି ଡାଲି ମଧ୍ୟ ୧୦୦ ଟଙ୍କାକୁ ଛୁଇଁବ ବୋଲି ଆକଳନ କରାଯାଉଛି।