ଡାକୋଟାର କାହାଣୀ: ଜଣେ ସାହସୀ ଯୋଦ୍ଧାଙ୍କ ମୂକସାକ୍ଷୀ, ଏକ ଐତିହ୍ୟର ପ୍ରତୀକ

307

କନକ ବ୍ୟୁରୋ: ଡାକୋଟା । ଇଏ କେବଳ ଏକ ବିମାନ ନୁହେଁ, ବରଂ ଜଣେ ସାହସୀ ଯୋଦ୍ଧାଙ୍କ ମୂକସାକ୍ଷୀ, ଏକ ଐତିହ୍ୟର ପ୍ରତୀକ । ଯେତେବେଳେ ବି ଓଡ଼ିଆଙ୍କ କାନରେ ଡାକୋଟା ଶବ୍ଦଟି ବାଜେ, ଆପେ ଆପେ ମନକୁ ଚାଲିଆସନ୍ତି, ପ୍ରବାଦ ପୁୁରୁଷ ବିଜୁ ପଟ୍ଟନାୟକ । ଡାକୋଟା ସହ ଥିଲା ବିଜୁ ବାବାଙ୍କ ଏକ ନିବିଡ଼ ସମ୍ପର୍କ । ହୋଇପାରେ ଏହି ଡାକୋଟା ବିମାନ ଆଜି ଅଚଳ ଓ ଅକାମୀ । କିନ୍ତୁ ଏହି ବିମାନ ଅନେକ ସଚଳ ଓ ସଫଳ କାହାଣୀର ବାହାକ । ବିଜୁ ବାବୁଙ୍କ ସ୍ମୃତି ବହନ କରୁଥିବା ଏହି ବିମାନ ଭୁବନେଶ୍ୱର ଆସୁଛି ।

ପ୍ରାୟ ୨ବର୍ଷ ଧରି ଏହି ବିମାନ ଉଡ଼ାଉଥିଲେ ବିଜୁ ପଟ୍ଟନାୟକ । ପରିବହନ ବିମାନ ଥିବା ଏହି ଡାକୋଟା ଜରିଆରେ ଅନେକ ସମୟରେ ଆବଶ୍ୟକୀୟ ସାମଗ୍ରୀ ଧରି ପହଂଚିଯାଉଥିଲେ ବିଜୁ ବାବୁ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଯେତେବେଳେ ଯୁଦ୍ଧ ସରିଗଲା, ସେତେବେଳେ ଏମିତି ଅନେକ ଡାକୋଟା ବିମାନ ଆକାମୀ ହୋଇଗଲା । କିଛି ବିକ୍ରି ହୋଇଗଲା ଆଉ କିଛି ନଷ୍ଟ ହୋଇଥିଲା । ଏଭଳି କିଛି ବିମାନକୁ ନେଇ ବିଜୁ ବାବୁ ଆରମ୍ଭ କରିଥିଲେ କଳିଙ୍ଗ ଏୟାରଲାଇନ୍ସ । ବିଜୁ ବାବୁଙ୍କ ନାଁରେ ୪ଟି ବିମାନ ଥିବା ବେଳେ ୧୦ଟି ବିମାନ ଲିଜ୍ରେ ଆଣି ଘରୋଇ ବିମାନ ସେବା କଳିଙ୍ଗ ଏୟାରଲାଇନ୍ସ ଆରମ୍ଭ କରିଥିଲେ । ବିଜୁ ବାବୁଙ୍କ ମାଲିକାନାରେ ୪ଟି ବିମାନ ମଧ୍ୟରୁ ୩ଟି ବିମାନ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ବେଳେ ଏବେ ବି ଗୋଟିଏ ବିମାନ ଇଣ୍ଡୋନେସିଆରେ ପଡ଼ି ରହିଛି । ଆଉ ଯେଉଁ ଡାକୋଡାଟି ଭୁବନେଶ୍ୱର ଆସୁଛି, ତାକୁ ଲିଜ୍ରେ ଆଣି ଉଡ଼ାଉଥିଲେ ବିଜୁ ପଟ୍ଟନାୟକ ।

ଏଭଳି ଏକ ଡାକୋଟା ବିମାନ ଧରି ଦିନେ ଅତ୍ୟନ୍ତ ଦୁଃସାହିକ ଅଭିଯାନକୁ ବାସ୍ତବର ରୁପ ଦେଇଥିଲେ ବିଜୁ ପଟ୍ଟନାୟକ । ୧୯୪୭ ମସିହା ଜୁଲାଇ ୨୨ ତାରିଖରେ ଇଣ୍ଡୋନେସିଆର ତକ୍ରାଳୀନ ପ୍ରଧାନମନ୍ତ୍ରୀ ସୁଲତାନ ସାହରିରଙ୍କୁ ଜାଭା ଦ୍ୱୀପରୁ ଡଚ୍୍ ସେନା କବଳରୁ ମୁକ୍ତ କରିଥିଲେ । ଏମିତି ଅନେକ ରୋଚକ କାହାଣୀ ବହନ କରୁଥିବା ଏହି ଡାକୋଟା ବିମାନ ଆସନ୍ତା ୧୬ ତାରିଖ ସୁଦ୍ଧା କୋଲକତାରୁ ଭୁବନେଶ୍ୱର ଆସିବ । ଡାକୋଟାର ପୁରା କାହାଣୀକୁ ନେଇ ଏକ ବହି ପ୍ରକାଶିତ କରିବାକୁ ଯାଉଛନ୍ତି ଗବେଷକ ଅନିଲ ଧୀର ।