କନକ ବ୍ୟୁରୋ: ରୋଜଗାର ଓ ପରିବାରର ଭରଣପୋଷଣ ଆଶାରେ ଓଡ଼ିଶା ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଉଛନ୍ତି । ବାହାରେ ଦାଦନ ସିନା ଖଟିବାକୁ ଯାଉଛନ୍ତି, କିନ୍ତୁ ସେଠାରେ ସେମାନଙ୍କୁ ଯେଉଁ ଅକଥନୀୟ ନିର୍ଯାତନା ମିଳୁଛି, ତାହା ନକହିବା ଭଲ । ବାହାରକୁ ଦାଦନ ଖଟିବାକୁ ଯାଉଥିବା ଲୋକେ କେତେ ଯେ ହନ୍ତସନ୍ତ ହୋଇଛନ୍ତି, ତା’ର ଜ୍ୱଳନ୍ତ ଅନେକ ଉଦାହରଣ ସାମ୍ନାକୁ ଆସିଛି । ବାହାରେ ୮ ଘଂଟା ବଦଳରେ ୧୮ରୁ ଅଧିକ ଘଂଟା କାମ କରିବା । ଆଉ ତା ସହିତ ଶାରୀରିକ ଓ ମାନସିକ ନିର୍ଯାତନା, ସେମାନଙ୍କୁ କାମ ଛାଡ଼ି ଫେରିଆସିବାକୁ ବାଧ୍ୟ କରିଥାଏ । ଦାଦନ ଖଟି ଫେରିଥିବା ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଝିର କିଛି ଶ୍ରମିକ ସେମାନଙ୍କର ଦୁଃଖ କନକ ନ୍ୟୁଜ କ୍ୟାମେରା ଆଗରେ ବୟାନ କରିଛନ୍ତି ।
ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକର ହଜାର ହଜାର ଦାଦନ ଶ୍ରମିକ ପେଟ ପାଇଁ ବାହାର ରାଜ୍ୟରେ ସଂଘର୍ଷ କରୁଛନ୍ତି । ଟଙ୍କା ପାଇଁ ଜୀବନକୁ ବାଜି ଲଗାଇ ଇଟା ଭାଟିର କାମ କରନ୍ତି । ପରିବାର ଏବଂ ପିଲାମାନଙ୍କ ଭବିଷ୍ୟତ ପାଇଁ ସେଠି ସବୁ ଦୁଃଖ କଷ୍ଟ ସହିଯାଆନ୍ତି । ଏଠାରେ କୌଣସି ପ୍ରକାର କାମଧନ୍ଦା ନପାଇ ସେମାନେ ଦାଦନ ସର୍ଦ୍ଦାର ଆଗୁଆ ଟଙ୍କା ନେଇ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥାଆନ୍ତି । ସରକାର ଯଦି ତାଙ୍କୁ କାମ ଯୋଗାଇ ଦିଅନ୍ତେ ସେଠାରେ ଯାଇ କଷ୍ଟ ସହିବାକୁ ପଡ଼ନ୍ତାନି । କଂଟାବାଞ୍ଜି ଅଂଚଳରେ ଯଦି କୌଣସି କାରଖାନା ବା ବଡ଼ ପ୍ରତିଷ୍ଠାନ ହେବ ତେବେ ଏମାନଙ୍କ ଭାଗ୍ୟ ବଦଳିଯାଆନ୍ତା ।
Follow Us