ସିରାଜୁଦ୍ଦିନ କମ୍ପାନୀ ବିରୋଧରେ ଜବରଦଖଲ ଅଭିଯୋଗ । ୧୦ ବର୍ଷ ହେଲା ଘରୋଇ ଜାଗାରେ ଚାଲିଛି ପରିବହନ କାର୍ଯ୍ୟ

38

କନକ ବ୍ୟୁରୋ : ସିରାଜୁଦ୍ଦିନ କମ୍ପାନୀ ବିରୋଧରେ ଜବରଦଖଲ ଅଭିଯୋଗ । କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ଓ ବଡ଼ କାଳିମାଟି ପଂଚାୟତରେ ଥିବା ସିରାଜୁଦ୍ଦିନ କମ୍ପାନୀ ମନମାନି ଚଳାଇଥିବା ଅଭିଯୋଗ ହୋଇଛି । ପଟ୍ଟାଭୁକ୍ତ ଘରୋଇ ଜାଗାରେ ପରିବହନ କରୁଛି କମ୍ପାନୀ । ବଳଦା ମୌଜାରେ ଥିବା ସ୍ୱର୍ଗତ ଘନ ଦେହୁରୀଙ୍କ ଜାଗାକୁ ୧୦ ବର୍ଷ ହେଲା ଜବରଦଖଲ କରିଛି କମ୍ପାନୀ । ବାରମ୍ବାର ଅଭିଯୋଗ ପରେ ବି କୌଣସି ସୁଫଳ ମିଳୁନଥିବାରୁ ଘନ ଦେହୁରୀଙ୍କ ପରିବାର ଲୋକ ଚମ୍ପୁଆ ଉପଜିଲ୍ଲାପାଳଙ୍କ କୋର୍ଟରେ ମାମଲା ଦାୟର କରିଥିଲେ ।

୨୦୧୪ ମସିହାରେ ମାମଲାର ଶୁଣାଣୀ କରି ଜବରଦଖଲ ମୁକ୍ତ କରି ପରିବାର ଲୋକଙ୍କୁ ଜମି ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଭିଯୋଗ ହୋଇଛି, ପ୍ରଶାସନିକ ଅଧିକାରୀ ଓ କମ୍ପାନୀ କର୍ତୃପକ୍ଷଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ଆଜି ପର୍ଯ୍ୟନ୍ତ ଆଦେଶର ପାଲନ କରାଯାଇନାହିଁ । ଏହାର ପ୍ରତିବାଦ କରି ସ୍ୱର୍ଗତ ଘନ ଦେହୁରୀଙ୍କ ପରିବାର ଲୋକ ସିରାଜୁଦ୍ଦିନ ଖଣିର ମୁଖ୍ୟ ଫାଟକକୁ ବନ୍ଦ କରି ଧାରଣା ଦେଇଛନ୍ତି । କମ୍ପାନୀ ପକ୍ଷରୁ କୁହାଯାଇଛି, ଜମି ବାବଦରେ କ୍ଷତିପୂରଣ ଅର୍ଥ ଦିଆଯାଇଛି । ତେବେ ଜମି ମାଲିକ କହୁଛନ୍ତି, ସେମାନଙ୍କୁ କ୍ଷତିପୂରଣ ମିଳିନାହିଁ । ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି କହିଛନ୍ତି ଚମ୍ପୁଆ ଉପଜିଲ୍ଲାପାଳ ।