କନକ ବ୍ୟୁରୋ : ବିକାଶ ପାଇଁ ଟଙ୍କା ନାହିଁ । କର୍ଣ୍ଣାଟକରେ କଂଗ୍ରେସ ସରକାରକୁ ୩ ମାସ ପୁରିନି କିନ୍ତୁ ବିଧାୟକମାନେ ଅସନ୍ତୁଷ୍ଟ ଥିବା ନେଇ ଖବର ସାମ୍ନାକୁ ଆସିଲାଣି । ତେବେ ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର ଏଭଳି ଖବରକୁ ଖଣ୍ଡନ କରିଛନ୍ତି । କିନ୍ତୁ ଶିବକୁମାର କହିଛନ୍ତି ଚଳିତବର୍ଷ ରାଜ୍ୟରେ ବିକାଶ କାର୍ଯ୍ୟ ପାଇଁ ଅଧିକ ଟଙ୍କା ଖର୍ଚ୍ଚ କରି ହେବନି କାରଣ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହେଉଛି ଦଳ ଦ୍ୱାରା ଜାରି କରାଯାଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରା କରିବା । ଏହାପୂର୍ବରୁ କଂଗ୍ରେସର ୧୧ ବିଧାୟକ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ ଯେ, ନିର୍ବାଚନକ୍ଷେତ୍ରର ବିକାଶ ପାଇଁ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମଧ୍ୟ କୌଣସି ଉତ୍ତର ମିଳୁ ନାହିଁ । ଏପରିକି ନିର୍ବାଚନ କ୍ଷେତ୍ରର ବିକାଶ ପାଇଁ ଅର୍ଥ ଆବଣ୍ଟନ ହେଉନଥିବା ଅଭିଯୋଗ କରିଛନ୍ତି କିଛି କଂଗ୍ରେସ ବିଧାୟକ ।
ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାର କହିଛନ୍ତି, କଂଗ୍ରେସ ସରକାର ପାଖରେ ନୂଆ ବିକାଶମୂଳକ ଯୋଜନା ପାଇଁ ଟଙ୍କା ନାହିଁ । କାରଣ ଦେଇଥିବା ନିର୍ବାଚନୀ ପ୍ରତିଶ୍ରୁତିକୁ ପୂରା କରିବାକୁ ଅଲଗା ଟଙ୍କା ରଖାଯାଇଛି । ଏପରିକି ମୁଖ୍ୟମନ୍ତ୍ରୀ ବଜେଟ ଭାଷଣରେ ସମସ୍ତ ବିଧାୟକଙ୍କୁ ଧୈର୍ଯ୍ୟ ରଖିବାକୁ ଅପିଲ କରିଥିଲେ । ପୂର୍ବରୁ ଥିବା ବିଜେପି ସରକାର ରାଜ୍ୟକୁ ଦେବାଳିଆ କରିଛି । ଏବେ ଆମର ଦାୟିତ୍ୱ ଯେ, ପୂର୍ବ ସରକାରରେ ହୋଇଥିବା ଭୁଲକୁ ସୁଧାରିବୁ । ଏନେଇ ସମସ୍ତ ବିଧାୟକଙ୍କ ସହ ଆଲୋଚନା କରିବୁ । କେବଳ ଏତିକି ନୁହେଁ ଶିବକୁମାର କହିଛନ୍ତି, କର୍ଣ୍ଣାଟକରେ କଂଗ୍ରେସ ସରକାର ଭାଙ୍ଗିବାକୁ ସିଙ୍ଗାପୁରରେ ଷଡଯନ୍ତ୍ର ହୋଇଥିବା ଖବର ସାମ୍ନାକୁ ଆସିଛି ।
Follow Us