ଲଘୁଚାପ ନେଲା ଘୂର୍ଣ୍ଣିବଳୟ ରୂପ ! ୪୮ ଘଂଟାରେ ଅବପାତର ନେବ ରୂପ, ବାତ୍ୟା ନେଇ ଚିତ୍ର ଏବେବି ଅସ୍ପଷ୍ଟ

1,066

କନକ ବ୍ୟୁରୋ : ଉତ୍ତର ଆଣ୍ଡାମାନ ଓ ସଂଲଗ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଏହା ଘନୀଭୂତ ହୋଇ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଅବପାତର ରୂପ ନେଇପାରେ। ପରେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ରହିଛି। ଭାରତର ପାଣିପାଗ ବିଜ୍ଞାନ କେନ୍ଦ୍ର ପୁଣି ଦୋହରାଇଛି ଯେ ଏହି ଲଘୁଚାପ ଅଧିକ ଘନୀଭୂତ ହେବ। କିନ୍ତୁ ଏହା ବାତ୍ୟା ରୂପ ନେବ କି ନାହିଁ, ତାହା ଦୁଇ ଦିନ ପରେ ସ୍ପଷ୍ଟ ହେବ। ତେବେ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବ। ୮ ତାରିଖରୁ ବର୍ଷା ଆରମ୍ଭ ହେବ ଓ ୯ ଏବଂ ୧୦ ତାରିଖରେ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ଏବେଠାରୁ ବାତ୍ୟାର ପୂର୍ବାନୁମାନ କରିବା ସମ୍ଭବ ନୁହେଁ। ତେବେ ବାତ୍ୟା ହେବା ନହେବା ନେଇ ଅଧା ଅଧା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ପାଣିପାଗ ସଂପର୍କରେ ଆକଳନ କରୁଥିବା ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ କରୁଛି ଯେ, ଲଘୁଚାପ ପ୍ରଥମେ ଅବପାତ ଓ ପରେ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବ । ଏହା ପରେ ବାତ୍ୟା ରୂପ ନେବା ସମ୍ଭାବନା ଅଧିକ। ଏହି ସଂସ୍ଥାର ବିଶେଷଜ୍ଞଙ୍କ ଯୁକ୍ତି ହେଉଛି, ସମୁଦ୍ରରେ ଏବେ ତାପମାତ୍ରା ପାଖାପାଖି ୨୯ ଡିଗ୍ରି ସେଲସିୟସ ରହିଛି। ଏବଂ ସମୁଦ୍ର ମଧ୍ୟରେ ଏହା ୬ଦିନ ପର୍ଯ୍ୟନ୍ତ ରହିବ। ଏଣୁ ଏହା ବାତ୍ୟା ସୃଷ୍ଟି ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରୁଛି ଏବଂ ଲଘୁଚାପକୁ ଶକ୍ତି ଯୋଗାଇବାର ସମ୍ଭାବନା ଅଧିକ ରହିଛି। ସ୍କାଏମେଟ୍ ପୂର୍ବାନୁମାନ ଅନୁସାରେ ଯଦି ଲଘୁଚାପ ବାତ୍ୟା ରୂପ ନେବ, ତେବେ ଏହାର ନାମ ‘ବୁଲବୁଲ୍’ ରଖାଯିବ। ଏହି ସଂସ୍ଥା ଆକଳନ କରୁଛି ଯେ ଲଘୁଚାପ କ୍ଷେତ୍ରରୁ ଯେଉଁ ସୂଚନା ମିଳୁଛି, ସେଥିରୁ କୁହାଯାଇପାରେ ଯେ, ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ର-ଓଡ଼ିଶା ଉପକୂଳରେ ସ୍ଥଳ ଭାଗ ଛୁଇଁବା ସମ୍ଭାବନା ଅଧିକ।

ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ଏହା ବାତ୍ୟା ରୂପ ନେବା ସମ୍ଭାବନା ସୃଷ୍ଟି ହେଲାଣି। ଓଡ଼ିଶାକୁ ଛୁଇଁବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ତେବେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ମହା’ର ପ୍ରଭାବ କେନ୍ଦ୍ରୀୟ ଭାରତରେ ଗୁରୁଚାପ ବଳୟ ସୃଷ୍ଟି ଓ ତଦଜନିତ ବାୟୁ ପ୍ରବାହକୁ ଅନୁଧ୍ୟାନ କଲେ, ତିନିଟି ଦୃଶ୍ୟପଟ୍ଟ ସାମ୍ନାକୁ ଆସୁଛି। ପ୍ରଥମେ ଏହା ବାଲାଂଦେଶକୁ ସ୍ପର୍ଶ କରିପାରେ। ଦ୍ବିତୀୟତଃ ମିଆଁମାର ଓ ତୃତୀୟ ଓଡ଼ିଶା-ପଶ୍ଚିମବଙ୍କ ଆଡକୁ ଆସିବା ସମ୍ଭାବନା ରହିଛି। କାରଣ ‘ମହା’ ଗୁଜୁରାଟ ସ୍ପର୍ଶ କରିବା ପରେ ଅତିଶ୍ରୀଘ୍ର ଦୁର୍ବଳ ହୋଇଯିବ ଓ ମଧ୍ୟପ୍ରଦେଶ, ପଶ୍ଚିମ ଉତ୍ତରପ୍ରଦେଶ ଆଦି ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି କରିବ। କିନ୍ତୁ ୨୪ ଘଣ୍ଟା ପରେ ବିଲୀନ ହୋଇଯିବ। ଏହାଫଳରେ ପୁଣି ଉତ୍ତରାପବନ ଓଡ଼ିଶା ଆଡକୁ ବହିବା ସମ୍ଭାବନା ରହିଛି। ସମୁଦ୍ର ଜଳପତ୍ତନ ତାପମାତ୍ରା ଓ ବାୟୁ ପ୍ରବାହକୁ ଅନୁଧ୍ୟାନ କଲେ ଜଣାପଡୁଛି ଯେ ଏହା ସମୁଦ୍ର ଭିତରେ ହିଁ ବାତ୍ୟା ରୂପ ନେଇ ଦୁର୍ବଳ ହୋଇପାରେ ଓ ସ୍ଥଳ ଭାଗରେ ଏହାର ପ୍ରଭାବ ବହୁତ କମ ଅନୁଭୂତ ହେବ।

ଡ.ପଶୁପାଳକଙ୍କ ଆକଳନ କହୁଛି, ଯଦି ଅବପାତ ୬ ତାରିଖରେ ଉତ୍ତର ପଶ୍ଚିମ ଦିଗରେ ଗତିକରିବ, ତେବେ ଏହା ଓଡ଼ିଶା ଛୁଇଁବା ସମ୍ଭାବନା ଅଧିକ। ଏହା ୧୦ ତାରିଖରେ ପାରାଦୀପ ଠାରୁ ଚାନ୍ଦବାଲି ମଧ୍ୟରେ ସ୍ଥଳ ଭାଗକୁ ସ୍ପର୍ଶ କରିପାରେ। ଏମିତି ସ୍ଥିତିରେ ୯ ତାରିଖରୁ ପାଗରେ ପରିବର୍ତନ ଘଟିବ। କିନ୍ତୁ ଯଦି ଅବପାତ ୭ ତାରିଖରୁ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରିବ, ତେବେ ଏହା ମିଆଁମାର ବା ବାଂଲାଦେଶ ଆଡକୁ ମୁହାଁଇବ। ଏପରିସ୍ଥଳେ ଓଡ଼ିଶାରେ କୌଣସି ପ୍ରଭାବ ପଡିବାର ନାହିଁ।

ପାଣିପାଗ ବିଶେଷଜ୍ଞ ଡ. ଶରତ ସାହୁଙ୍କ ପୂର୍ବାନୁମାନ କହୁଛି, ବର୍ତମାନ ବିଭିନ୍ନ ମଡେଲ୍ ଯେଉଁ ତଥ୍ୟ ରଖୁଛନ୍ତି, ସେଥିରେ ଅବପାତ ରୂପ ନେବା ପରେ ଅଧିକ ଘନୀଭୂତ ସମ୍ଭାବନା ରଖୁଛି। ବାତ୍ୟା ସମ୍ଭାବନା ଅଧିକ, ଏପରିକି ଭୀଷଣ ବାତ୍ୟା ରୂପ ନେଇପାରେ। ଡ. ସାହୁଙ୍କ ହିସାବ ଅନୁସାରେ, ବାତ୍ୟା କୃଷ୍ଣପ୍ରସାଦରୁ ପୁରୀ ଉପକୂଳ ପାଖାପାଖି ସ୍ଥଳଭାଗକୁ ଛୁଇଁବା ସମ୍ଭାବନାକୁ ଏଡାଇ ଦେଇ ହେବ ନାହିଁ। ଇଣ୍ଡିଆନ୍ ନ୍ୟାସନାଲ ସେଣ୍ଟର ଫର୍ ଓସେନ୍ ଇନଫର୍ମେସନ୍ ସର୍ଭିସ୍ ପୂର୍ବାନୁମାନ ଅନୁସାରେ, ଲଘୁଚାପ ରୂପ ନେବା ପରେ ଏହି କ୍ଷେତ୍ରଟି ଶକ୍ତିଶାଳୀ ହୋଇ ଆଗକୁ ବଢି ବାତ୍ୟା ରୂପ ନେବା ସମ୍ଭାବନା ରହିଛି। ତେବେ ୧୧ ତାରିଖ ଅପରାହ୍ନ ପରେ ଅର୍ଥାତ୍ ୧୨ ତାରିଖ ବେଳକୁ ଏହା ଓଡ଼ିଶା ଉପକୂଳ ସମ୍ଭାବନା ଛୁଇଁବା ବିଚିତ୍ର ନୁହେଁ।

ବିଶେଷଜ୍ଞଙ୍କର କହିବା କଥା ହେଉଛି, ସାଧାରଣତଃ ଏହି ସମୟରେ ସୃଷ୍ଟି ହେଉଥିବା ବାତ୍ୟା ଆନ୍ଧ୍ର-ଓଡ଼ିଶା ମୁହାଁ ହୋଇଥାଏ। ଡିସେମ୍ବର ମାସରେ ବାତ୍ୟା ତାମିଲନାଡୁରେ ସ୍ଥଳ ଭାଗକୁ ଛୁଇଁଥାଏ। ବାତ୍ୟା ବୁଲବୁଲ ଯଦି ଆସେ, ତେବେ ଚଳିତ ବର୍ଷ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହା ତୃତୀୟ ବାତ୍ୟା ଭାବେ ଗଣନା କରାଯିବ। ଗତ ଜାନୁୟାରି ମାସରେ ପାବୁକ ଓ ମେ’ ମାସରେ ଫନି ସୃଷ୍ଟି ହୋଇଥିଲା। ଫନି ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ସେହିଭଳି ଏହି ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ୨୦୧୮ ମସିହାରେ ୭ଥର ବାତ୍ୟା ପରିସ୍ଥିତି ସୃଷ୍ଟି ହୋଇଇଥିଲା। ଏଥର ଯଦି ବାତ୍ୟା ଆସେ, ତେବେ ୨୦୧୯ରେ ମଧ୍ୟ ଏହି ସଂଖ୍ୟା ୭ ଛୁଇଁବ।