ରାଜନଗରରେ ବାତ୍ୟା ୟାସ ଉଜାଡି ଦେଇଛି ବସା । ସମୁଦ୍ର ଜୁଆର ଓ ବର୍ଷା ମାଡରେ ଭାଙ୍ଗିଯାଇଛି କୁଡିଆ, କେଉଁଠି ରହିବେ, କଣ ଖାଇବେ, କିଛି ବୁଝି ପାରୁନାହାନ୍ତି ଅସହାୟ ସୁଭ୍ରଦା?

107

କନକ ବ୍ୟୁରୋ : ବାତ୍ୟା ୟାସ ଗତିପଥ ବଦଳାଇଥିଲେ ମଧ୍ୟ ରାଜନଗରରେ ବ୍ୟାପକ କ୍ଷୟକ୍ଷତି କରିଛି । ପବନ ଅପେକ୍ଷା ସମୁଦ୍ର ଜୁଆର ଅଧିକ କ୍ଷୟକ୍ଷତି କରିଛି । ଜୁଆର ପାଣି ମାଡିଯିବାରୁ କେନ୍ଦ୍ରାପଡା ରାଜନଗର ବ୍ଲକ ରଂଗଣୀ ପଂଚାୟତରେ ହଜାରେରୁ ଅଧିକ ପରିବାର ପାଣି ଘେରରେ ଅଛନ୍ତି । ପଟ୍ଟାପାରିଆ, ସୌରେନ୍ଦ୍ରପୁର, ଭେକ୍ଟା, ନାରାୟଣପୁର, ହରିଣପୋଖରୀ ଗାଁ ପାଣି ଘେରରେ ରହିଛି । ଏମାନଙ୍କ ମଧ୍ୟରେ ଅଛନ୍ତି ୮୦ ବର୍ଷର ବୃଦ୍ଧା ସୁଭଦ୍ରା ବେରା ଓ ତାଙ୍କର ୫୦ ବର୍ଷର ମାନସିକ ଭାରସାମ୍ୟ ହରାଇଥିବା ଝିଅ । ବାତ୍ୟା ପୂର୍ବରୁ ମାଆ ଝିଅ ଆଶ୍ରୟସ୍ଥଳୀକୁ ଚାଲି ଯାଇଥିଲେ, ବାତ୍ୟା ଛାଡିବା ପରେ ଘରକୁ ଫେରି ଯାହା ଦେଖିଲେ ତାହା ତାଙ୍କୁ ବାସହରା କରି ଦେଇଛି ।

ଘରେ ପଶିଗଲା ସମୁଦ୍ର ଜୁଆର । ବର୍ଷା ସାଙ୍ଗକୁ ଲୁଣାପାଣି ମାଡରେ ଭାଙ୍ଗି ଗଲା କାନ୍ଥ, ଭୁଷୁଡିଲା ଘର । ଘରେ ଗଚ୍ଛିତ ଥିବା ଚାଉଳ, ଖାଦ୍ୟ ସାମଗ୍ରୀ ଓ ଲୁଗାପଟା ସବୁ ନଷ୍ଟ ହୋଇଗଲା । ଏବେ ଭଙ୍ଗା ଘର ଓ ପିନ୍ଧିଥିବା ଲୁଗାକୁ ଛାଡିଦେଲେ ଆଉ କିଛି ନାହିଁ ଏହି ଦୁଃସ୍ଥ ପରିବାର ପାଖରେ । ସରକାର ଏମାନଙ୍କୁ ୭ ଦିନ ପାଇଁ ରନ୍ଧାଖାଦ୍ୟ ଯୋଗାଇ ଦେଉଛନ୍ତି । ହେଲେ ଏହାପରେ ରହିବେ କେଉଁଠି, ଖାଇବେ କଣ ତାକୁ ନେଇ ଚିନ୍ତାରେ ପଡିଛନ୍ତି ଅସହାୟ ସୁଭଦ୍ରା ବେରା ।

ସରକାରଙ୍କ ପକ୍ଷରୁ ମିଳୁଥିବା ମାସିକ ଭତ୍ତା ଟଙ୍କାରେ ଗଣ୍ଡେ ଖାଇ ଝିଅ ସହ ଏଇ ଘରେ ମୁଣ୍ଡ ଗୁଞ୍ଜିଥିଲେ ସୁଭଦ୍ରା । ହେଲେ ବାତ୍ୟା ୟାସ ତାଙ୍କ ମୁଣ୍ଡ ଉପରୁ ସେଇ ଛପରକୁ ଉଡାଇ ନେଇଛି । ଆଶ୍ରୟସ୍ଥଳୀରେ ଆଶ୍ରା ନେବାରୁ ଜୀବନ ସିନା ବଂଚିଗଲା, ହେଲେ ସବୁଦିନ ପାଇଁ ବାସହରା ହୋଇଗଲେ ସୁଭଦ୍ରା । ଏହାରି ଭିତରେ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ସମସ୍ତ ଏହି ଅଂଚଳକୁ ଆସୁଛନ୍ତି ହେଲେ ଅସହାୟ ସୁଭଦ୍ରାଙ୍କ ଉପରେ କାହାରି ନଜର ପଡୁନାହିଁ ।