ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର : ୧୨ ଘଣ୍ଟା ମଧ୍ୟରେ ନେବ ଅବପାତର ରୂପ

125

କନକ ବ୍ୟୁରୋ : ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର । ଏହା ଉତ୍ତର ପଶ୍ଚିମ ଦିଗରେ ଗତିକରି ପୂର୍ବ କେନ୍ଦ୍ରୀୟ ପାଶ୍ୱବର୍ତ୍ତୀ ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଆଗାମୀ ୧୨ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି । ଲଘୁଚାପ କ୍ଷେତ୍ର ଏବେ ଉତ୍ତର-ଆଣ୍ଡାମାନ ସାଗର ଏବଂ ପାଶ୍ୱବର୍ତି ଦକ୍ଷିଣପୂର୍ବ ଆଣ୍ଡାମାନ ସାଗର ଅଞ୍ଚଳରେ ସକ୍ରିୟ ରହିଛି । ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୭ଦଶମିକ ୬କିମି ଯାଏ ବ୍ୟାପିଛି । ୨୪ ତାରିଖ ଦିନ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇପାରେ । ଏହା ପରେ ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳ ଅତିକ୍ରମ କରିବା ସହ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳରେ ପହଞ୍ଚିବ ।

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୨୩ ତାରିଖରେ ମଝି ସମୁଦ୍ର ସମେତ ଓଡ଼ିଶା ଉପକୂଳ ଓ ଆଖପାଖ ଅଞ୍ଚଳରେ ପବନର ବେଗ ୩୫ରୁ ୪୫ କିଲୋମିଟର ରହିବ । ଓଡ଼ିଶା ଉପରେ ବିଶେଷ ପ୍ରଭାବ ନରହିଲେ ବି ଉପକୂଳ ଜିଲ୍ଲା ଗୁଡ଼ିକର କିଛି ଅଂଚଳରେ ବର୍ଷା ହେବ । ୨୩ ତାରିଖରୁ ବର୍ଷା ହୋଇପାରେ । ସେଥିପାଇଁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ତେବେ ୨୪ ତାରିଖରେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଜିଲ୍ଲାକୁ ଅରେଂଜ ୱାର୍ଣ୍ଣିଂ ଦିଆଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଖୋର୍ଦ୍ଧା, ପୁରୀ, ଗଞ୍ଜାମ ଜିଲ୍ଲାକୁ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ । ସେହିପରି ୨୫ ତାରିଖ ପାଇଁ ମୟୂରଭଂଜ, ବାଲେଶ୍ୱର, ଭଦ୍ରକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ ।