କୁଆଡେ ଯାଉଛି ‘ଫୋନି’? ପଢନ୍ତୁ ସାମୁଦ୍ରିକ ଝଡ଼କୁ ନେଇ କଣ କହୁଛି ଭାରତୀୟ ପାଣିପାଗ ବିଭାଗ

715

କନକ ବ୍ୟୁରୋ: ଆଶଙ୍କା ବଢାଉଛି ଫୋନି । ବଙ୍ଗୋପସାଗରରେ ସୃଷ୍ଟ ଫୋନି ଘନୀଭୂତ ହୋଇ ପ୍ରବଳ ଘୂର୍ଣ୍ଣିବାତ୍ୟାର ରୂପ ନେଇଛି । ସନ୍ଧ୍ୟାରେ ଏହାର ପ୍ରଭାବ ସମ୍ପର୍କରେ ଜଣାପଡିବ । ଏହା କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ମୃତ୍ୟୁଞ୍ଜୟଙ୍କ କହିବା ଅନୁସାରେ, ଫୋନି ଧିରେ ଧିରେ ଘନିଭୂତ ହୋଇ ଆଜି ସକାଳ ସାଢେ ୫ଟା ସମୟରେ ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଅର୍ଥାତ୍ ଅତି ପ୍ରବଳ ଘୂର୍ଣ୍ଣିବାତ୍ୟାରେ ପରିଣତ ହୋଇଛି । ଏହା ବର୍ତ୍ତମାନ ପାଖାପାଖି ଚେନ୍ନାଇ ପାଖରୁ ୫୦୦ କିଲୋମିଟର ଦୂରରେ ପୂର୍ବଦିଗରେ କେନ୍ଦ୍ରିଭୂତ ହେଉଛି । ଏହା ଉତର-ଉତର -ପଶ୍ଚିମ ଦିଗରେ ଗତି କରୁଛି । ମେ ୧ତାରିଖ ସଂଧ୍ୟା ସୁଦ୍ଧା ଏହାର ଗତି ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଜାରି ରହିବ । ଆଉ ତା ପରେ ଏହାର ଦିଗରେ ପରିବର୍ତ୍ତନ ହେବ । ଏବଂ ଉତ୍ତର-ଉତ୍ତର ପଶ୍ମିମ ଦିଗରେ ଗତି କରି ୩ ତାରିଖ ରାତିରେ ଏହା ଓଡିଶା ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ତେବେ ଫୋନି ପ୍ରଭାବରେ ପବନର ବେଗ ଧିରେ ଧିରେ ବଢିବ । ବର୍ତ୍ତମାନ ଏହାର କେନ୍ଦ୍ରାଂଚଳରେ ପବନର ବେଗ ରହିଛି ପ୍ରାୟ ୧୨୦ରୁ ୧୩୦ କିଲୋମିଟର ପ୍ରତିଘଂଟା ଏବଂ ଧିରେ ଧିରେ ବଢିବ ଯେତେବେଳେ ଏହା ଓଡିଶା ଉପକୂଳ ପାଖକୁ ଆସିବ ସେତେବେଳେଏହାର ପବନର ବେଗ ୧୬୦ରୁ ୧୭୦ କିଲୋମିଟର ପ୍ରତିଘଂଟା ହୋଇପାରେ ବୋଲି କହିଛନ୍ତି ଭାରତୀୟ ପାଣିପାଗ ବିଭାଗର ନିର୍ଦ୍ଦେଶକ ।

ମୃତ୍ୟୁଞ୍ଜୟଙ୍କ କହିବା ଅନୁସାରେ, ଏହା ପ୍ରଭାବରେ ସମୁଦ୍ର ବର୍ତ୍ତମାନ ଅଶାନ୍ତି ରହିଛି । ମତ୍ସଜୀବୀଙ୍କୁ ଏନେଇ ସତର୍କ ସୂଚନା ଦିଆଯାଇଛି ଏବଂ ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି ସେମାନଙ୍କୁ ୧ ତାରିଖ ସୁଦ୍ଧା ଓଡିଶା ଉପକୂଳକୁ ଫେରିଆସିବା ଉଚିତ । ସେହିପରି ୩ରୁ ୪ ତାରିଖ ଓଡିଶା ଉପକୂଳ ଏବଂ ତାର ଆଭ୍ୟନ୍ତରୀଣ ଜିଲ୍ଲାମାନଙ୍କରେ ବର୍ଷାର ପରିମାଣ ବଢିପାରେ । ଓଡିଶାର ସମସ୍ତ ଉପକୂଳ ଜିଲ୍ଲାମାନଙ୍କରେ ଏହାର ପ୍ରଭାବ ପଡିବାର ସମ୍ଭାବନା ରହିଛି । ତେବେ ୩ ତାରିଖ ରାତିରେ ଏହା ପୁରୀ ପାଖାପାଖି ଅଂଚଳରେ ଅତିକ୍ରମ କରିବା ସମ୍ଭାବନା ରହିଛି ବୋଲି ଆଇଏମଡି ଏଡିଜି କହିଛନ୍ତି । କେଉଁଠି କେଉଁଠାରେ ଏହା ଅତିକ୍ରମ କରିବ ତାହା ସ୍ପଷ୍ଟ ହୋଇନାହିଁ । ଏହା ଆଜି ସନ୍ଧ୍ୟା ସୁଦ୍ଧା କିମ୍ବା ପରେ କେଉଁଠି ଅତିକ୍ରମ ପରେ କରିବ ତାହା ସ୍ପଷ୍ଟ ହୋଇପାରେ । ଲ୍ୟାଣ୍ଡଫଲ ବେଳେ ପବନର ବେଗ ୧୭୦ରୁ ୧୮୦ କିଲୋମିଟର ରହିପାରେ । ଏଥିପାଇଁ ସମସ୍ତ ଉପକୂଳ ଜିଲ୍ଲାକୁ ସତର୍କ କରାଯାଇଥିବା ମୃତ୍ୟୁଞ୍ଜୟ କହିଛନ୍ତି ।