ରାଡାର ରେଞ୍ଜରେ ଆସିଲା ବାତ୍ୟା ‘ଫୋନି’ । ୧୩ କିଲୋମିଟର ବେଗରେ ପୁରୀ ଉପକୂଳକୁ ମାଡି ଆସୁଛି ଫୋନି ।

731

କନକ ବ୍ୟୁରୋ : ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ମାଡି ଆସୁଥିବା ସାମୁଦ୍ରିକ ଝଡ-ଫୋନି ପୁରୀ ଉପକୂଳରେ ଲ୍ୟାଣ୍ଡଫଲ କରିବ । ବାତ୍ୟା , ଆସନ୍ତା ୩ତାରିଖ ଅର୍ଥାତ୍ ଶୁକ୍ରବାର ଅପରାହ୍ନ ସାଢେ ୫ଟାରେ ପୁରୀ ଉପକୂଳରେ ସ୍ଥଳଭାଗ ଛୁଇଁବ । ୧୩ କିଲୋମିଟର ବେଗରେ ସ୍ଥଳଭାଗ ଆଡକୁ ମାଡି ଆସୁଥିବା ଫୋନି ପୁରୀ ଉପକୂଳରୁ ୫୭୦ କିଲୋମିଟର ଦୂରରେ ରହିଛି । ଆଉ ଏହାସହ ଡପଲର ରାଡାର ରେଞ୍ଜ ମଧ୍ୟକୁ ଆସିଛି ବାତ୍ୟା ଫୋନି । ଏହାଦ୍ୱାରା ସାମୁଦ୍ରିକ ଝଡର ଅବସ୍ଥିତି ଓ ଗତିପଥ ବିଷୟରେ ପ୍ରତି ୧୦ ମିନିଟ୍ରେ ସହଜରେ ସୂଚନା ମିଳିପାରିବ ।

ଫୋନି ଏବେ ବିଶାଖାପାଟଣା ଠାରୁ ୩୨୦ କିଲୋମିଟର ଦୂରରେ ରହିଛି । ଏନେଇ ଏସଆରସି ବିଷ୍ଣୁପଦ ସେଠୀ କହିଛନ୍ତି, ଫୋନିକୁ ଦୃଷ୍ଟିରେ ରଖି ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ସମସ୍ତ ସାଇକ୍ଲୋନ ସେଲଟରକୁ ପ୍ରସ୍ତୁତ କରି ରଖାଯାଇଛି । ଏଠାରେ ରନ୍ଧାଖାଦ୍ୟ ଦେବାକୁ ଜୋରଦାର ପ୍ରସ୍ତୁତି କରାଯାଉଛି । ଆବଶ୍ୟକସ୍ଥଳେ ଆକାଶମାର୍ଗରୁ ଖାଦ୍ୟ ପୁଡିଆ ପକାଇବାକୁ ମଧ୍ୟ ଯୋଜନା କରାଯାଉଛି ବୋଲି ଏସଆରସି କହିଛନ୍ତି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ୧୭୦ରୁ ୧୮୦ କିଲୋମିଟର ରହିବ। ବାତ୍ୟା ଫନି ନେଇ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ସୂଚନା ଦିଆଯାଇଛି। ୨୦ଟି ଟିମ୍ କୋଷ୍ଟଗାର୍ଡ ଟିମ୍ ମୁତୟନ କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟକୁ କଡ଼ା ମୁକାବିଲା ପାଇଁ ନଜର ରଖାଯାଇଛି।

ଆସନ୍ତା ୩ ତାରିଖରେ ପୁରୀ ଉପକୂଳ ଛୁଇଁବ ଅତି ଭୟଙ୍କର ରୂପ ଧାରଣ କରିଥିବା ବାତ୍ୟା ଫୋନି । ବାତ୍ୟା ଫୋନି ଓଡିଶା ଉପକୂଳ ଆଡକୁ ଯେତିକି ମାଡି ଆସୁଛି ଜନସାଧାରଣଙ୍କ ମନରେ ଭୟ ସେତିକି ବଢିବାରେ ଲାଗିଛି । ଆଉ ଏସବୁ ଭିତରେ ଫୋନିର ମୁକାବିଲା କରିବା ପାଇଁ ସଚିବାଳୟରେ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟ ଶାସନ ସଚିବ ଓ ବିଭାଗୀୟ ସଚିବଙ୍କ ସହ ଆଲୋଚନା ପରେ ନବୀନ ଫୋନି ମୁକାବିଲା ନେଇ ଗଣମାଧ୍ୟମରେ ବଡ ବୟାନ ଦେଇଛନ୍ତି ।

ସମୀକ୍ଷା ବୈଠକ ପରେ ନବୀନ କହିଛନ୍ତି, ବାତ୍ୟା ଫୋନିର ମୁକାବିଲା ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସମସ୍ତଙ୍କ ଜୀବନ ଅମୂଲ୍ୟ, ତେଣୁ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ୧୦୦ ପ୍ରତିଶତ ସ୍ଥାନାନ୍ତର ଉପରେ ଫୋକସ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାବାଦ୍ ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ବିଦ୍ୟୁତ୍ ସେବା, ପାନୀୟ ଜଳ ସେବା ଓ ଯୋଗାଯୋଗ ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।