ଗୋପାଳପୁର ରାଡାର ରେଞ୍ଜରେ ‘ଫୋନି’: ୧୫ କିଲୋମିଟର ବେଗରେ କରୁଛି ଗତି ବାତ୍ୟା, କାଲି ସଂଧ୍ୟାରେ ପୁରୀରେ କରିବ ଲ୍ୟାଣ୍ଡଫଲ

328

କନକ ବ୍ୟୁରୋ: ଗୋପାଳପୁର ଡୋପଲର ରାଡାର ରେଞ୍ଜରେ ବାତ୍ୟା ଫୋନି । ପୁରୀଠାରୁ ୪୨୦ କିମି ଦୂରରେ ରହିଛି ବାତ୍ୟା ଫୋନି । ଘଂଟାପ୍ରତି ୧୫କିମି ବେଗରେ ଗତି କରୁଛି ବାତ୍ୟା । ସ୍ଥଳଭାଗ ଛୁଇଁଲେ ପୁରୀରେ ପବନର ବେଗ ୨୦୦ କିମି ହେବାର ସମ୍ଭାବନା ରହିଛି । ସେହିପରି ଗୋପାଳପୁରରେ ୧୪୦ରୁ ୧୫୦ କିମି ବେଗରେ ବହିବାର ସମ୍ଭାବନା ରହିଥିବା ସୂଚନା ରହିଛି । ବାତ୍ୟା ଫୋନି ପ୍ରଭାବରେ ଗୋପାଳପୁରରେ ଆରମ୍ଭ ହୋଇଛି ବର୍ଷା । ପାଗ କୋହଲା ସାଙ୍ଗକୁ ଝିପି ଝିପି ବର୍ଷା ହୋଇଛି ।

ଭାରତୀୟ ପାଣିପାଗ ବିଭାଗର ଆକଳନ କହୁଛି, ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇ ମାଡି ଆସୁଥିବା ସାମୁଦ୍ରିକ ଝଡ-ଫୋନି ଏବେ ପୁରୀଠାରୁ ୪୨୦ କିଲୋମିଟର ଓ ବିଶାଖାପାଟଣାରୁ ୨୧୦ କିମି ଦୂରରେ ରହିଛି । ଏହା ଘଂଟାପ୍ରତି ୧୫ କିଲୋମିଟର ବେଗରେ ଗତି କରୁଛି । ବାତ୍ୟା , ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଅପରାହ୍ନ ସାଢେ ୫ଟାରେ ପୁରୀ ଉପକୂଳରେ ସ୍ଥଳଭାଗ ଭାଗ ଛୁଇଁବ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁଯାୟୀ, ବାତ୍ୟା ଫୋନି ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଂଟାପ୍ରତି ୧୭୦ରୁ ୧୮୦ କିଲୋମିଟର ରହିପାରେ ।

ଏହାପରେ ବାତ୍ୟା ଖୋର୍ଦ୍ଧା, କଟକ, ଯାଜପୁର ଓ ଭଦ୍ରକ ଦେଇ ଗତି କରିବ । ପରେ ଭଦ୍ରକରୁ ବାଲେଶ୍ୱର ଦେଇ ପଶ୍ଚିମବଙ୍ଗ ମୁହାଁଇବ ବାତ୍ୟା ଫୋନି । ତେବେ ଗୁରୁତ୍ୱପୂଣ୍ଣ କଥା ହେଉଛି ବର୍ତମାନ ରାଡାର ରେଂଜ୍ ଭିତରକୁ ଆସିଯାଇଛି ବାତ୍ୟା ଫୋନି । ଫଳରେ ବାତ୍ୟାର ଆଗାମୀ ଗତି ଓ ଦିଗ ନେଇ ତୁରନ୍ତ ଏବଂ ସଠିକ୍ ସୂଚନା ମିଳିପାରିବ । ଫୋନି ଯେତିକି ଯେତିକି ଓଡିଶା ଉପକୂଳ ପାଖଉଛି, ପବନର ବେଗ ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଛି । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ, ସାମୁଦ୍ରିକ ଝଡ ଫୋନି ଓଡିଶା ଉପକୂଳ ଛୁଇଁବା ବେଳକୁ ପବନର ବେଗ ଘଂଟାକୁ ୨୦୫ କିଲୋମିଟର ରହିବ ।