ଅନଲାଇନରେ ଗାଈ ବିକ୍ରି କରିବା ପଡ଼ିଲା ମହଙ୍ଗା । ସାଇବର ଠକାମୀର ଶିକାର ହୋଇ ୧୦ ଲକ୍ଷ ହରାଇଲେ ଯୁବକ ।

161

କନକ ବ୍ୟୁରୋ: ଆପଣ ଅନଲାଇନରେ କିଣାବିକା କରୁଛନ୍ତି କି? ଯଦି କରୁଛନ୍ତି, ତେବେ ସାବଧାନ । କାରଣ, ଆପଣଙ୍କର ଟିକିଏ ଅସାବଧାନତା, ହୁଏତ ଆପଣଙ୍କ ବ୍ୟାଙ୍କ ଖାତାରୁ ସବୁ ଟଙ୍କା ଖାଲି କରିଦେବ । ଅନଲାଇନରେ ଗାଈ ବିକ୍ରି କରିବାକୁ ଯାଇ, ଏଭଳି କିଛି ଠକାମୀର ଶିକାର ହୋଇଛନ୍ତି ଭୁବନେଶ୍ୱରର ଜଣେ ଯୁବକ ଦେବାଶିଷ ସାହୁ ।

ଅନଲାଇନରେ ଗାଈ ବିକ୍ରି କରିବାକୁ ବିଜ୍ଞାପନ ଦେଇ ଏକ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଯାଇଛନ୍ତି ଏହି ଯୁବକ । ଗାଈର ମୂଲ୍ୟ ୨୦ ହଜାର ଟଙ୍କା ସ୍ଥିର ହୋଇଥିବା ବେଳେ ସାଇବର ଠକ ତାଙ୍କଠୁ ଲକ୍ଷେ ଟଙ୍କା ଲୁଟି ନେଇଛି । କ୍ୟୁ-ଆର କୋଡ୍ ସ୍କାନ ଆଳରେ ୫ଟି ପର୍ଯ୍ୟାୟରେ ଲକ୍ଷେ ଟଙ୍କା ଲୁଟି ଦେଇଛି ଠକ ।

ତେବେ ଏନେଇ ଦେବାଶିଷ ଥାନାରେ ଦେଇଥିବା ଅଭିଯୋଗରେ ଲେଖିଛନ୍ତି –ଗୋଟିଏ ଆପରେ ମୋର ଗାଈ ବିକ୍ରି କରିବା ପାଇଁ ବିଜ୍ଞାପନ ଦେଇଥିଲି । ମୋର ଗାଈ କିଣିବା ପାଇଁ ଗୋଟିଏ ନମ୍ବରରୁ ଫୋନ୍ ଆସିଥିଲା । ଲୋକଟି କହିଲା ଗାଈ ମୋର ପସନ୍ଦ ହୋଇଛି ଓ ଗାଈଟି କିଣିବାକୁ ଚାହୁଁଛି । ତେବେ ଫୋନ୍ ପେ’ରେ ୧୦ ହଜାର ଦେବି ଏବଂ କ୍ୟାସ୍ ୧୦ ହଜାର ଦେବି । ହେଲେ ମୋର ଡାଇରେକ୍ଟ ଫୋନ୍ ପେ’ ହେଉନି ତେଣୁ କ୍ୟୁ-ଆର କୋଡ୍ ପଠାଇଥିଲା । ତାକୁ ସ୍କାନ କଲେ ମୁଁ ଟଙ୍କା ପାଇଯିବି ବୋଲି କହିଥିଲା । ହେଲେ ସ୍କାନ୍ କରିବା ପରେ ପର୍ଯ୍ୟାୟକ୍ରମେ ଟଙ୍କା କଟି ଚାଲିଥିଲା ବୋଲି ଦେବାଶିଷ ଲେଖିଛନ୍ତି ।

ଗାଈକୁ ଅନଲାଇନରେ ବିକ୍ରି କରିବା ପାଇଁ ବିଜ୍ଞାପନ ଦେବା ଯେତେ କୌତୁଳ ସୃଷ୍ଟି କରୁଛି, ଗାଈ କିଣିବା ଆଳରେ ଏକ ଲକ୍ଷ ଟଙ୍କା ଠକିଯିବା ତାଠୁ ଅଧିକ ଆଶ୍ଚର୍ଯ୍ୟ କରୁଛି । ଅନଲାଇନରେ ଆର୍ଥିକ କାରବାର କରିବା ପୂର୍ବରୁ ସତର୍କତା ଅବଲମ୍ବନ କରିବା ପାଇଁ ବାରମ୍ବାର କୁହାଯାଉଛି । ହେଲେ, ଏତେ ସତର୍କତା ସତ୍ତ୍ୱେ ଲୋକ ଭୁଲ କରୁଛନ୍ତି, ଯାହା ଫଳରେ ଏଭଳି ଘଟଣା ସବୁ ଘଟୁଛି ।