କ୍ୟୁଆର କୋଡରେ କରୁଛନ୍ତି କି ଅନଲାଇନ ପେମେଣ୍ଟ ? ତାହେଲେ ହୋଇଯାଆନ୍ତୁ ସାବଧାନ । ଏବେ ସାଇବର ଠକଙ୍କ ନଜର ଆପଣଙ୍କ କ୍ୟୁଆର କୋଡ

144

କନକ ବ୍ୟୁରୋ : କ୍ୟୁଆର କୋଡରେ କରୁଛନ୍ତି କି ଅନଲାଇନ ପେମେଣ୍ଟ । ତାହେଲେ ହୋଇଯାଆନ୍ତୁ ସାବଧାନ । ଗୋଟିଏ ଭୁଲ ଯୋଗୁଁ ସଫା ହୋଇଯିବ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ । କିଛି କ୍ଷଣ ମଧ୍ୟରେ ଠକ ଲୁଟି ନେବେ ଆପଣଙ୍କ ଟଙ୍କା । ତେଣୁ ଏହି ଟ୍ରାନଞ୍ଜାକ୍ସନ କରିବା ପୂର୍ବରୁ କିଛି ସାବଧାନତା ଅବଲମ୍ବନ କରିବାକୁ ହେବ ।

ବର୍ତ୍ତମାନ ସମୟରେ ଅନେକ ଲୋକ ଡିଜିଟାଲ ପେମେଣ୍ଟକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ପେଟ୍ରୋଲ ପମ୍ପ ତେଲ ପକାଇଲେ କି ଦୋକାନ ବଜାରରୁ କିଛି କିଣିଲେ କ୍ୟୁଆର କୋର୍ଡ ମାଧ୍ୟମରେ ପେମେଣ୍ଟ କରିଥାନ୍ତି । ଏହା ମାଧ୍ୟମରେ ସହଜରେ ଜଣକଠାରୁ ଅନ୍ୟ ଜଣକ ପାଖକୁ ଟଙ୍କା ନେଣ ଦେଣ ହୋଇପାରିଥାଏ । ହେଲେ ଏହି ସହଜ ଉପାୟ ଆମକୁ ଅନେକ ସମୟରେ ଅସୁବିଧାରେ ପକାଇପାରେ ।

ଯେତେବେଳେ ପେଟ୍ରୋଲ ପମ୍ପ କି ଦୋକାନରେ କ୍ୟୁଆର କୋର୍ଡରେ ଆମେ ପେମେଣ୍ଟ କରିଥାଉ । ସେହି ସମୟରେ ଏହି ଠକାମୀର ଶିକାର ହୋଇଥାଉ । ଠକମାନେ ଅନେକ ସମୟରେ କ୍ୟୁଆର କୋଡକୁ ବଦଳାଇ ଦେଇଥାନ୍ତି । ଯାହାଫଳରେ ଆମେ ଟଙ୍କା ପଠାଇଲେ ଏହି ଟଙ୍କା ସିଧା ଠକମାନଙ୍କ ଆକାଉଣ୍ଟକୁ ପଳାଇଥାଏ । ଏଭଳି ଠକାମୀକୁ କ୍ୟୁଆର କୋର୍ଡ ଫିସିଙ୍ଗ କୁହାଯାଇଥାଏ । ତେଣୁ ଯେତେବେଳେ ବି ଆମେ କ୍ୟୁଆର କୋର୍ଡ ମାଧ୍ୟମରେ ଟଙ୍କା ପଠାଇବା ସେହି ସମୟରେ ରିସିଭରଙ୍କ ନାଁ କନଫର୍ମ କରିଦେବା ଆବଶ୍ୟକ ।

ଏହି କ୍ୟୁଆର କୋର୍ଡ ଫିସିଙ୍ଗ ବିଭିନ୍ନ ପ୍ରକାରର ଥାଏ । ଅନେକ ସମୟରେ ଆପଣଙ୍କୁ ମେସେଜ କି ଇମେଲ ମାଧ୍ୟମରେ କ୍ୟୁଆର କୋର୍ଡ ଆସିଥାଏ । ଯେଉଁଥିରେ ଠକମାନେ ଆପଣଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇଥାନ୍ତି । ଯାହା ଦ୍ୱାରା ଆପଣଙ୍କୁ କ୍ୟୁଆର କୋର୍ଡ ସ୍କାନ କରି ୟୁପିଆଇ ନମ୍ବର ଦେଇ ଟଙ୍କା ନେବାକୁ କହିଥାନ୍ତି । ହେଲେ ଯତେବେଳେ ଆପଣ କ୍ୟୁଆର କୋର୍ଡ ସ୍କାନ କରିବେ ସାଙ୍ଗେ ସାଙ୍ଗେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଠକମାନଙ୍କ ଆକାଉଣ୍ଟକୁ ଚାଲିଯିବ ।

ଗତକିଛି ହେବ ଅନଲାଇନରେ ଠକେଇ ବଢିବାର ଲାଗିଛି । ବିଭିନ୍ନ ଉପାୟ ଅବଲମ୍ବନ କରି ଠକମାନେ ଅନଲାଇନରେ ଲୋକମାନଙ୍କୁ ଠକିବାରେ ଲାଗିଛନ୍ତି । କେତେବେଳେ ନ୍ୟୁଡ କଲ ମାଧ୍ୟମରେ ତ କେତେବେଳେ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକୁଛନ୍ତି । ବର୍ତ୍ତମାନ ଲୋକମାନଙ୍କୁ ଠକିବାକୁ ଏହି ଭଳି ନୂଆ ଉପାୟ ଖୋଜିଛନ୍ତି ଠକ । ତେବେ ଏହା ପୂର୍ବରୁ ଆମକୁ ସାବଧାନ ରହିବା ଜରୁରୀ ।
ଏଭଳି ଅନଲାଇନ ଠକେଇର ବିଭିନ୍ନ ମାମଲା ଗତ କିଛି ଦିନ ହେବ ଥାନାରେ ମଧ୍ୟ ଅଭିଯୋଗ ହୋଇଛି । ତେବେ ଏହି ଠକମାନଙ୍କଠାରୁ ସତର୍କ ରହିବାକୁ ମଧ୍ୟ ପୋଲିସ ପକ୍ଷରୁ ସତର୍କ କରାଯାଉଛି । ତେଣୁ ଆମକୁ ଅନଲାଇନରେ ଏଭଳି ଟ୍ରାଞ୍ଜାକ୍ସନ କରିବା ପୂର୍ବରୁ ସତର୍କ ରହିବା ନିହାତି ଆବଶ୍ୟକ ।