ସାଇବର ଠକଙ୍କ ହାବୁଡରେ ପଡିଗଲେ ବିଧବା ମହିଳା : ସ୍ୱାମୀଙ୍କ ମୃତ୍ୟୁ ପରେ ମିଳିଥିବା ସହାୟତା ରାଶିକୁ ଲୁଟିନେଲେ ଦୁର୍ବୃତ୍ତ

737

କନକ ବ୍ୟୁରୋ : ସାଇବର ଠକଙ୍କ ହାବୁଡରେ ପଡିଗଲେ ବିଧବା ମହିଳା । ସ୍ୱାମୀଙ୍କ ମୃତ୍ୟୁ ପରେ ମିଳିଥିବା ଲକ୍ଷାଧିକ ଟଙ୍କାର ସହାୟତା ରାଶିକୁ ଲୁଟି ନେଲେ ସାଇବର ଠକ । ଜୟପୁର ବ୍ୟାଙ୍କ ଅଫ ଇଣ୍ଡିଆ କିଓସ୍କୋରେ ଶାଖାରେ ଥିବା ବ୍ୟାଙ୍କ ଆକାଉଂଟକୁ ଖାଲି କରିଦେଲେ ଦୁର୍ବୃତ୍ତ । ଅଭିଯୋଗ ପରେ ତଦନ୍ତ କରୁଛି ଜୟପୁର ପୁଲିସ ।

ସାଇବର ଠକେଇର ଶିକାର ହେଲେ ମହିଳା । ବିଧବା ମହିଳାଙ୍କ ବ୍ୟାଙ୍କ ଖାତାରୁ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୁତ୍ତ । ଜୟପୁର ଟାଉନ ଥାନାରେ ଏଭଳି ଏକ ଅଭିଯୋଗ ହୋଇଛି । ଅଭିଯୋଗକାରୀଙ୍କ କହିବା ଅନୁସାରେ, କେନାଲରେ ବୁଡ଼ିଯିବାରୁ ଗତ ବର୍ଷ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । କ୍ଷତି ପୁରଣ ବାବଦକୁ ରାଜ୍ୟ ସରକାର ତାଙ୍କୁ ୪ ଲକ୍ଷ ଏବଂ ଏକ ଇନ୍ସ୍ୟୁରାନ୍ସ କମ୍ପାନୀ ଠାରୁ ୭୯୩୮ ଟଙ୍କା ମିଳିଥିଲା । ଏହି ଟଙ୍କାରୁ ମହିଳା ଜଣଙ୍କ ମାତ୍ର ୫୦ ହଜାର ଟଙ୍କା ଉଠାଇଛନ୍ତି । ବାକି ଟଙ୍କା ବ୍ୟାଙ୍କରେ ରଖିଥିବା ବେଳେ କେହି ଦୁର୍ବୁତ୍ତ ଚଂଚକତା କରି ଅକ୍ଟୋବର ୧ରୁ ନଭେମ୍ବର ୨୯ ଭିତରେ ୩ ଲକ୍ଷ ୬୯ ହଜାର ଟଙ୍କା ଉଠାଇ ନେଇଛି ।

ମହିଳାଙ୍କ ବ୍ୟାଙ୍କ ଆକାଉଂଟ ଜୟପୁର ସହର ଷ୍ଟେସନ ଛକ ନିକଟରେ ବ୍ୟାଙ୍କ ଅଫ ଇଣ୍ଡିଆର କିଓସ୍କୋରେ ରହିଛି । କିଛି ଟଙ୍କା କିଓସ୍କୋରୁ ଉଠାଯାଇଥିବା ବେଳେ ବାକି ଟଙ୍କା ବିଭିନ୍ନ ଏଟିଏମ୍ରୁ ଉଠାଯାଇଛି । ଏହି ସମୁଦାୟ ଘଟଣାରେ ବ୍ୟାଙ୍କର କିଓସ୍କୋର ସଂପୃକ୍ତି ରହିଥିବା ସନ୍ଦେହ କରୁଛନ୍ତି ଗ୍ରାମବାସୀ । ପୋଲିସର ଖୋଲତାଡ଼ ପରେ ସବୁ କିଛି ତଥ୍ୟ ପଦାକୁ ଆସିବ ।

ଜୟପୁରରେ ଏଭଳି ଘଟଣା ଅନେକ ଥର ସାମ୍ନାକୁ ଆସୁଥିବା ବେଳେ , ଏହା ଉପରେ ରୋକ ଲଗାଯାଇପାରୁନାହିଁ । ଯାହା ସହରବାସୀଙ୍କ ନିଦ ହଜେଇ ଦେଇଥିବା ବେଳେ ପୁଲିସ ମୁଣ୍ଡ ବ୍ୟଥାର କାରଣ ପାଲଟିଛି ।