ରାଜ୍ୟରେ ବଢୁଛି ସାଇବର ଅପରାଧ, ୩ ବର୍ଷରେ ୯୭୪ ଜଣଙ୍କୁ ଗିରଫ କରିଛି ପୋଲିସ । ଗୃହରେ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ।

86

କନକ ବ୍ୟୁରୋ : ବିଧାନସଭାର ବଜେଟ ଅଧିବେଶନରେ ଲଗାତାର ହଟ୍ଟଗୋଳ ଓ ମୁଲତବୀ ପରେ ଆଜି ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଛି । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଏହି କ୍ରମରେ କରୋନା ଲକଡାଉନ ସମୟରେ ରାଜ୍ୟରେ କେତେ ଅପରାଧ ଘଟିଛି ସେ ନେଇ ବିସ୍ତୃତ ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ବିଧାୟକ ମୋହନ ମାଝୀଙ୍କ ପ୍ରଶ୍ନର ଉତ୍ତର ଦେଇ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଗତ କରୋନା କାଳରେ ରାଜ୍ୟରେ ୧ ଲକ୍ଷରୁ ଅଧିକ ଅପରାଧ ପଞ୍ଜିକୃତ ହୋଇଛି । ମାର୍ଚ୍ଚ ୨୦୨୦ରୁ ଡିସେମ୍ବର ୨୦୨୦ ଅଥାର୍ତ ୧୦ ମାସ ମଧ୍ୟରେ ରାଜ୍ୟରେ ୧ ଲକ୍ଷ ୧୩ ହଜାର ୪୧୦ଟି ଅପରାଧ ପଞ୍ଜିକୃତ ହୋଇଛି । ଆଉ ଏହି ଘଟଣାରେ ୫୧,୬୧୭ ଜଣଙ୍କୁ ଗିରଫ କରାଯାଇଛି ।

ସେହିଭଳି ଏହି ୧୦ ମାସ ମଧ୍ୟରେ କୋଭିଡ ନିୟମ ଉଲ୍ଳଂଘନ କରିଥିବା ଅମାନିଆଙ୍କ ଠାରୁ ୪୮ କୋଟି ୪୯ ଲକ୍ଷ ୪୮ ହଜାର ୩୭୦ ଟଙ୍କା ଜରିମାନା ବାବଦକୁ ଆଦାୟ କରାଯାଇଛି । ଏହାଛଡା ରାଜ୍ୟରେ ବଢୁଥିବା ସାଇବର ଅପରାଧକୁ ନେଇ ବଡ ତଥ୍ୟ ଦେଇଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ । ଗତ ୩ ବର୍ଷ ମଧ୍ୟରେ ରାଜ୍ୟରେ ୪୨୩୭ଟି ସାଇବର ଅପରାଧ ମାମଲା ରୁଜୁ ହୋଇଛି । ୨୦୧୮ରେ ୮୬୭, ୨୦୧୯ରେ ୧୪୭୫ ଓ ୨୦୨୦ରେ ୧୯୩୧ଟି ମାମଲା ରୁଜୁ ହୋଇଛି । ଯାହା ମଧ୍ୟରୁ ୧୩୧୯ଟି ମହିଳାଙ୍କ ସମ୍ମାନ ହାନି ଭଳି ମାମଲା ଆସିଛି, ୨୭୦୪ଟି ଠକେଇ ମାମଲା ଆସିଛି । ଆଉ ଏହି ଘଟଣାରେ ୯୭୪ ଜଣଙ୍କୁ ଗିରଫ କରାଯାଇଛି । ମାତ୍ର ଜଣେ ଅପରାଧିକୁ କୋର୍ଟ ଦ୍ୱାରା ଦଣ୍ଡ ଦିଆଯାଇଛି । ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ତାରା ବାହିନୀପତିଙ୍କ ପ୍ରଶ୍ନରେ ଗୃହରେ ଏନେଇ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ।