ରାଜ୍ୟରେ ମାତିଛନ୍ତି ସାଇବର ଠକ । ୨୫ ଲକ୍ଷ ଟଙ୍କା ଲଟେରୀର ଲୋଭ ଦେଖାଇ ପିପିଲିରେ ଠକିନେଲେ ୧୫ ହଜାର । କନକ ନ୍ୟୁଜ ଭଂଜନଗର ପ୍ରତିନିଧିଙ୍କୁ ମଧ୍ୟ ଠକଙ୍କ ଟାର୍ଗେଟ 

142

କନକ ବ୍ୟୁରୋ : ପୁରୀ ଜିଲ୍ଲା ସତ୍ୟବାଦୀ ବାଗଲପୁର ଅଂଚଳର ବିମ୍ବାଧର ସ୍ୱାଇଁ । ବୃତିରେ ଜଣେ ଅଟୋ ଡ୍ରାଇଭର । ୨୫ ଲକ୍ଷ ଟଙ୍କା ଲଟେରୀର ଲୋଭ ଦେଖାଇ ତାଙ୍କୁ ୧୫ ହଜାର ଲୁଟି ନେଇଛି ଠକ । ହ୍ୱାଟ୍ସଆପ୍ ଜରିଆରେ ନକଲି ଚେକ୍ର କପି ପଠାଇ ବିମ୍ବାଧରଙ୍କ ବିଶ୍ୱାସ ଜିତିବା ପରେ ଦୁଇଟି କିସ୍ତିରେ ୧୫ ହଜାର ଟଙ୍କା ଠକି ନେଇଛି ।

ଲଟେରୀ ଲୋଭ ଯୋଗୁଁ ଠକାମୀରେ ପଡିଛନ୍ତି ବିମ୍ବାଧର । ପ୍ରଥମେ ୫ ହଜାର ପରେ ସ୍ତ୍ରୀର ଗହଣା ବନ୍ଧା ପକାଇ ୧୦ ହଜାର ଟଙ୍କା ରଶ୍ମୀରଂଜନ ସେଠ୍ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଂଟକୁ ପଠାଇଥିଲେ । ଲଟେରୀ ଟଙ୍କା ତ ମିଳିଲା ନାହିଁ, ହେଲେ ଠକର ଲୋଭ ଏତିକିରେ ଥମି ନଥିଲା । ଆହୁରି ଟଙ୍କା ମାଗିଥିଲା ଠକ । ଆଉ ଟଙ୍କା ନଦେବାକୁ ଆରମ୍ଭ ହୋଇ ଯାଇଥିଲା ଗାଳି ଗୁଲଜ ଓ ଧମକ-ଚମକ ।

ଯେକୌଣସି ଲୋକ ପାଖକୁ ଆସିପାରେ ଏପରି ଫୋନ୍ କଲ୍ । କନକ ନ୍ୟୁଜର ଭଂଜନଗର ରିପୋର୍ଟର ରବୀନ୍ଦ୍ର ଗୌଡଙ୍କ ପାଖକୁ ଆସିଥିଲା ଠକ କଲ୍ । ସେହି ଏକାକଥା, ବ୍ୟାଙ୍କ ଆକାଉଂଟରେ ୨୫ ଲକ୍ଷ ଟଙ୍କା ଡିପୋଜିଟ୍ ହୋଇଛି । ଇନକମ୍ ଟ୍ୟାକ୍ସ ପାଇଁ ଟଙ୍କା ଜମା କଲେ ଉଠାଇ ପାରିବେ ଟଙ୍କା । ବେଶ କିଛି ସମୟ ଧରି ମନଲୋଭା କଥା କହି ଭୁଲାଇବାକୁ ଚେଷ୍ଟା କରିଥିଲା ଫ୍ରଡ୍ ମାଷ୍ଟର ।

ସାଧାରଣ ଲୋକଙ୍କୁ ବିଶ୍ୱାସ ଜନ୍ମାଇବା ପାଇଁ ଉଦ୍ୟମ କରିଥାନ୍ତି । ଏପରିକି ସେମାନଙ୍କ ଗ୍ରୁପ୍ର କିଛି ସଦସ୍ୟ ଭିଡ଼ିଓ କରି ଟଙ୍କା ପାଇ୍ଥିବା କଥା ମଧ୍ୟ କହିଥାନ୍ତି । ଯିଏ ଲୋଭର ବଶବର୍ତି ହୋଇ ସେମାନଙ୍କ ଜାଲରେ ପଡିଯାଆନ୍ତି, ମୋଟା ଅଙ୍କର ଲୁଟର ଶିକାର ହୁଅନ୍ତି ।