କନକ ବ୍ୟୁରୋ : ଦିଲ୍ଲୀରୁ ହାଇଦ୍ରାବାଦକୁ ଛୁଟିଛନ୍ତି କଂଗ୍ରେସର ହେଭିୱେଟ ନେତା । କାରଣ ଆଜିଠୁ ଏଠାରେ ଦୁଇ ଦିନିଆର ସିଡବ୍ଲୁସି ବୈଠକ ଆରମ୍ଭ ହୋଇଛି । କଂଗ୍ରେସର ଅଧ୍ୟକ୍ଷ ହେବା ପରେ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ଅଧ୍ୟକ୍ଷତାରେ ପ୍ରଥମ ଥର ପାଇଁ ବସିଛି ବୈଠକ । ତେଲେଙ୍ଗାନା ବିଧାନସଭା ନିର୍ବାଚନ ସମେତ ୪ରାଜ୍ୟକୁ ଫୋକସରେ ରଖିଛି ଦଳ । ମିଳିଥିବା ସୂଚନା ଅନୁସାରେ ରବିବାର କଂଗ୍ରେସ ଏଠାରେ ବିଜୟ ରାଲି ବାହାର କରିବା ସହ ତେଲେଙ୍ଗାନାବାସୀଙ୍କୁ ଦେବ ୫ଟି ଗ୍ୟାରେଣ୍ଟି । ବୈଠକରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ବାଡ୍ରାଙ୍କ ସହ ଦଳର ଅଧିକାଂଶ ବରିଷ୍ଠ ନେତା ଯୋଗ ଦେବାକୁ ହାଇଇଦ୍ରାବାଦରେ ପହଁଚିଛନ୍ତି ।

Advertisment

ମିଳିଥିବା ସୂଚନା ଅନୁସାରେ ବୈଠକରେ ୫ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ସମେତ ଇଣ୍ଡିଆ ମେଂଟ ଉପରେ ଆଲୋଚନା ହେବ । ଏଥିସହ ବେକାରୀ, ଦରଦାମ ବୃଦ୍ଧି. ମଣିପୁର ହିଂସା, ଜମ୍ମୁକଶ୍ମୀର ସ୍ଥିତିକୁ ନେଇ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ ହେବ । ନିକଟରେ କଂଗ୍ରେସ ୱାକିଂ କମିଟି ପୁନଃଗଠନ ହୋଇଥିଲା । ତେଣୁ ଏବେ ଦେଖିବାକୁ ବାକି ରହିଲା ଦଳର ଆଗାମୀ ରଣନୀତି କଣ ହେବ ।

ହାଇଦ୍ରାବାଦରେ କଂଗ୍ରେସର ମେଳିକୁ ସହଜରେ ଗ୍ରହଣ କରିପାରିନି ବିଆରଏସ । କଂଗ୍ରେସ ଦଳ ନିଜ ଆଭ୍ୟନ୍ତରୀଣ ସମସ୍ୟା ସମ୍ଭାଳୁ ପରେ ତେଲେଙ୍ଗାନାକୁ କବଜା କରିବାକୁ ଯୋଜନା କରୁ ବୋଲି କଟାକ୍ଷ କରିଛି ଦଳ । ବିଆରଏସ ନେତ୍ରୀ କେ କବିତା କହିଛନ୍ତି କଂଗ୍ରେସ ନିଜର ଦ୍ୱନ୍ଦ ସମ୍ଭାଳି ନପାରି ବିକଳରେ ତାଟିଆ କାମୁଡୁଛି ।

ଗୋଟେପଟେ ବସିଛି କଂଗ୍ରେସର ସିଡବ୍ଲୁସି ବୈଠକ ଅନ୍ୟପଟେ ତେଲେଙ୍ଗାନାର ବିଭିନ୍ନ ସ୍ଥାନରେ ପୋଷ୍ଟର ୱାର ଦେଖିବାକୁ ମିଳିଛି । ସ୍ଥାନେ ସ୍ଥାନେ କଂଗ୍ରେସ ଓ ଶାସକ ଦଳ ବିଆରଏସ ପରସ୍ପର ଉପରେ ପୋଷ୍ଟର ୱାର କରୁଥିବା ଦେଖିବାକୁ ମିଳିଛି । ଚଳିତବର୍ଷ ଶେଷ ସୁଦ୍ଧା ହେବ ତେଲେଙ୍ଗାନା ବିଧାନସଭା ନିର୍ବାଚନ । ଏଠାରେ କଂଗ୍ରେସ ଓ ଶାସକ ଦଳ ବିଆରଏସ ମଧ୍ୟରେ କଡ଼ା ମୁକାବିଲା ହୋଇପାରେ । ଉଭୟ ଦଳ ପରସ୍ପରକୁ ଟକ୍କର ଦେବାକୁ ପ୍ରସ୍ତୁତ ହେଉଛନ୍ତି ।