ସ୍ୱାମୀଙ୍କ ମୃତ୍ୟୁ ପରେ ନିଜେ ସ୍ୱାବଲମ୍ବି ହେବାକୁ ଚାହିଁଲେ ସୟିଦା ବିବିି । ଜରିମେଢ଼ ତିଆରିକୁ ପେଷା କରି ହେଲେ ଆତ୍ମନିର୍ଭରଶୀଳ। ଅନ୍ୟମାନଙ୍କ ପାଇଁ ପାଲଟିଲେ ଉଦାହରଣ

669

କନକ ବ୍ୟୁରୋ: ସ୍ୱାମୀଙ୍କ ମୃତ୍ୟୁ ପରେ ନିଜକୁ ସ୍ୱାବଲମ୍ବି କରିବାକୁ ଚାହିଁଲେ ସୟିଦା ବିବି । ଆଉ ବାଛିନେଲେ ଜରିମେଢ ତିଆରିକୁ । ଏହାକୁ ପେଷା ଭାବେ ଗ୍ରହଣ କରି ସୟିଦା ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଜଣେ ମହିଳା ହୋଇ ମଧ୍ୟ ପୁରଷଙ୍କ ସହିତ ହାତରେ ହାତ ମିଳାଇ ପ୍ରସ୍ତୁତ କରୁଛନ୍ତି ଜରି ମେଢ । ଦୁଇ ଝିଅ ଓ ଦୁଇ ପୁଅର ସଂସାର ତାଙ୍କ ପାଇଁ ଆଉ ବୋଝ ହୋଇନାହିଁ । କାହିଁକି ନା ଜଣେ ମା ପାଇଁ ସାହା ହୋଇଛନ୍ତି ଆଉ ଜଣେ ମା । ଦୁର୍ଗା ମା ।

 

ଆଉ ଦିନ କେଇଟା ପରେ ଦୁର୍ଗାପୂଜା । ସଜେଇ ହେଲାଣି କଟକର ପୂଜା ମଣ୍ଡପ । ସୁନା ମେଢ, ଚାନ୍ଦି ମେଢ, ଜରି ମେଢରେ ଝଲସିବେ ମା । ଜୋରସୋରରେ ଚାଲିଛି ମେଢ ପ୍ରସ୍ତୁତି । ଆଉ ଏହି ଜରି ମେଢ ପ୍ରସ୍ତୁତି କଟକର ସୟିଦା ବିବିଙ୍କ ପାଇଁ ଆଣିଦେଇଛି ଏକ ନୂଆ ଜୀବନ । ହୃଦଘାତରେ ସ୍ୱାମୀଙ୍କ ମୃତ୍ୟୁ ପରେ ଦୁଇ ଝିଅ ଓ ଦୁଇ ପୁଅର ସଂସାର କେମିତି ଚାଲିବ ସେନେଇ ବଢିଯାଇଥିଲା ଚିନ୍ତା । ହେଲେ ସୟିଦା ଜରି ମେଢ ପ୍ରସ୍ତୁତ କରି ରୋଜଗାରର ପନ୍ଥା ବାହାର କଲେ । ଆଗକୁ ଆସୁଛି ଦୁର୍ଗାପୂଜା । ଏଥିପାଇଁ ଦିନକୁ ୧୦ରୁ ୧୨ଘଂଟା ପରିଶ୍ରମ କରି କାମ କରୁଛନ୍ତି ସୟିଦା । ଯାହା ରୋଜଗାର ହେଉଛି ସେଥିରେ ପରିବାର ଚଳୁଛି ।

କଟକ ଜଗନ୍ନାଥ ବଲ୍ଲଭ ଅଂଚଳର ଏହି ମୁସଲମାନ ମହିଳା, ପୁରୁଷଙ୍କ ସହିତ ହାତ ମିଳାଇ କାମ କରୁଛନ୍ତି । ସହ କର୍ମଚାରୀଙ୍କ ସହଯୋଗ ମଧ୍ୟ ମିଳୁଛି । ଜରି ମେଢ ପ୍ରସ୍ତୁତି ପ୍ରକ୍ରିୟାରେ ସାଥି କାରିଗରମାନେ ସହାୟତା କରୁଛନ୍ତି ସୟିଦାଙ୍କୁ । ପ୍ରତିବର୍ଷ ପୂଜାରେ ସୟିଦା ଜରି ମେଢ ସହ ଚୁମୁକି, ରଙ୍ଗିନ ତାରରେ ଚୁଡି, ମାଳ ତିଆରି କରୁଛନ୍ତି । ସ୍ୱାମୀଙ୍କ ଦେହାନ୍ତ ପରେ ପରିବାରର ବୋଝକୁ ବୋଝ ନଭାବି, ଜରି ମେଢ ତିଆରି କରି ସ୍ୱାବଲମ୍ବି ହୋଇଥିବା ସୟିଦା ଅନ୍ୟ ମହିଳାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।