ପାର୍ବଣ ଗାଇଡଲାଇନକୁ ବିରୋଧ । ୧୩ରେ କଟକ ସହର ବନ୍ଦ ଡାକରା ଦେଲା ନଗର ବିଜେପି ।

217

କନକ ବ୍ୟୁରୋ: ଆସନ୍ତା ୧୩ରେ କଟକ ସହର ବନ୍ଦ । ପାର୍ବଣ ଗାଇଡଲାଇନକୁ ବିରୋଧ କରି ଆଜି ଏଭଳି ବନ୍ଦ ଡାକରା ଦେଇଛି କଟକ ନଗର ବିଜେପି । ତେବେ କରୋନା କାରଣରୁ କଟକଣା ଭିତରେ ପାର୍ବଣ ପାଳନ ନେଇ ସରକାର ଗାଇଡଲାଇନ୍ ଧାର୍ଯ୍ୟ କରିଛନ୍ତି । ଯେଉଁଥିରେ କେବଳ ୪ ଫୁଟର ମୂର୍ତ୍ତି ନିର୍ମାଣକୁ ଅନୁମତି ମିଳିଛି । ପୂଜା କମିଟି ମାନେ ଏହାଠାରୁ ଅଧିକ ଉଚ୍ଚର ମୂର୍ତ୍ତି ପୂଜା କରିପାରିବେନି ବୋଲି ସରକାର ନିୟମ ଜାରି କରିଛନ୍ତି । ହେଲେ ଏହାକୁ ନେଇ ବିରୋଧ ଓ ପ୍ରତିବାଦ ଦେଖିବାକୁ ମିଳିଛି । ତେଣୁ ଏହାର  ପ୍ରତିବାଦରେ କଟକ ନଗର ବିଜେପି ଆସନ୍ତା ସେପ୍ଟେମ୍ବର ୧୩ ତାରିଖରେ କଟକ ସହର ବନ୍ଦ ଡାକରା ଦେଇଛି ।

ଏହାପୂର୍ବରୁ ମଧ୍ୟ ଏହି ୪ ଫୁଟର ମୂର୍ତ୍ତିକୁ ବିରୋଧ କରି ବର୍ଷାରେ ଆଣ୍ଠେଇ ପ୍ରତିବାଦ କରିଥିଲେ କଟକ ସହର କିଛି ସାମାଜିକ ଅନୁଷ୍ଠାନ । ୪ ଫୁଟର ମୂର୍ତ୍ତି ଓ ପରଦା ଟାଣି ବିନା ଶ୍ରଦ୍ଧାଳୁରେ ପୂଜା କରିବାକୁ ଜୋରଦାର ବିକ୍ଷୋଭ କରାଯାଇଥିଲା । ଲିଙ୍କରୋଡ୍ ସ୍ଥିତ ଖାନନଗର ଖପୁରିଆ ଶିଳ୍ପାଞ୍ଚଳ ପୂଜା କମିଟି ଓ ସହରର ବିଭିନ୍ନ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏଭଳି ବିକ୍ଷୋଭ କରାଯାଇଥିଲା । ଆଉ ଆଜି ନଗର ବିଜେପି ପକ୍ଷରୁ କଟକ ସହର ବନ୍ଦ ଡାକରା ଦିଆଯାଇଛି ।