ଆସନ୍ତା ‘ମନ୍ କି ବାତ୍’ରେ ଓଡ଼ିଆ ପୁଅଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । କଟକର ଚିତ୍ତରଞ୍ଜନଙ୍କ ସଢେଇ କଳା ମୋହିନେଲା ମୋଦିଙ୍କ ମନ, ପିଏମଓ ଅଫିସରୁ ଆସିଲା କଲ୍ ।

384

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ କିଣିନେଲା କଟକର ସଢେଇକଳା । କଟକ କନ୍ଦରପୁରର ଚିତ୍ତରଞ୍ଜନଙ୍କ ସଢେଇ କଳା ଦେଖି ଖୁସି ହୋଇଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଖାଲି ଏତିକି ନୁହେଁ, ଆସନ୍ତା ଅକ୍ଟୋବର ମାସରେ ହେବାକୁ ଥିବା ‘ମନ୍ କି ବାତ୍’ କାର୍ଯ୍ୟକ୍ରମରେ ମଧ୍ୟ ଚିତ୍ତରଞ୍ଜନଙ୍କ ସହ କଥା ହେବେ ମୋଦି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ତାଙ୍କୁ ଫୋନ୍ ଆସିବା ପରେ ବେଶ ଖୁସି ଜାହିର କରିଛନ୍ତି ଚିତ୍ତରଞ୍ଜନ ।

ଏଣେତେଣେ ଫିଙ୍ଗା ଯାଉଥିବା ଖାଲି କାଚ ବୋତଲ ଓ ନଡିଆ ସଢେଇରୁ ସେ ଆଖି ଲାଖିଯିବା ଭଳି ସୁନ୍ଦର କାରୁକାର୍ଯ୍ୟ କରୁଛନ୍ତି । ଫୁଲଦାନୀ, କପ୍ ପ୍ଲେଟ, ହଂସ, କଇଁଛ, ବୁଢିଆଣି, ଫୁଲ ଆଦି ସାମଗ୍ରୀ ସେ ପ୍ରସ୍ତୁତ କରୁଛନ୍ତି । ଯାହା ଦେଖିବାକୁ ଢେର ଆକର୍ଷଣୀୟ ଲାଗୁଛି । ନଡିଆ ସଢେଇ, କାଚ ବୋତଲ, ଗୁଆ ଗଛର ପତ୍ରରୁ ପ୍ରସ୍ତୁତ କରୁଛନ୍ତି ଅନେକ ଘରକରଣା ସାମଗ୍ରୀ । ଏଗୁଡିକ ଦୈନନ୍ଦିନ ଜୀବନରେ ବ୍ୟବହାରରେ ଲାଗିବା ସହ ଘର ସାଜସଜ୍ଜାରେ ମଧ୍ୟ ବ୍ୟବହାର ହୋଇପାରିବ ।

ନଡିଆ ସଢେଇରୁ ତିଆରି ହେଉଛି ବିଭିନ୍ନ ମନଲୋଭା ଘରୋଇ ଉପକରଣ ସାମଗ୍ରୀ । ଦେଖିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି, ଏହାକୁ ବାସ୍ତବ ରୂପ ଦେଉଛନ୍ତି ଚିତରଞ୍ଜନ । ଏସବୁ ଜିନିଷକୁ ଅତି ନିଖୁଣ ଭାବେ ପ୍ରସ୍ତୁତ କରି ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି କଟକର ଚିତରଞ୍ଜନ ଭୋଇ । ସମସ୍ତେ ସ୍ନେହରେ ତାଙ୍କୁ କାହ୍ନୁ ବୋଲି ଡାକନ୍ତି ।

ଏବେ ସାରା ଦେଶରେ ପରିଚିତ ହେବ କଟକର ଚିତ୍ତରଞ୍ଜନଙ୍କ ସୁନ୍ଦର କଳା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ମନ କି ବାତ୍ କାର୍ଯ୍ୟକ୍ରମରେ ମଧ୍ୟ ଚିତ୍ତରଞ୍ଜନଙ୍କ ସହ କଥା ହେବାକୁ ଯାଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଏ ବାବଦରେ ସୂଚନା ଦେଇଥିବା କହିଛନ୍ତି ଶିଳ୍ପୀ ଚିତ୍ତରଞ୍ଜନ । ତେବେ ସରକାରୀ ସ୍ତରରେ ପ୍ରୋତ୍ସାହନ ମିଳିଲେ, ଏହି କଳାକୃତିକୁ ଆହୁରି ଆଗକୁ ନେଇପାରିବେ ବୋଲି ସେ କହିଛନ୍ତି ।