ପୁଣି ଲଜ୍ଜା : ସାଲେପୁରରେ ନାବାଳିକାକୁ ଗଣଦୁଷ୍କର୍ମ ଅଭିଯୋଗ; ଘରେ ଏକୁଟିଆ ଥିବାବେଳେ ଗୋଡହାତ ବାନ୍ଧି ଦୁଷ୍କର୍ମ

ଥାନାରେ ପରିବାର ଲୋକଙ୍କ ଲିଖିତ ଅଭିଯୋଗ

179

କନକ ବ୍ୟୁରୋ : ସାଲେପୁର ଥାନା ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକାର ମୁହଁ ଓ ଗୋଡ଼ ବାନ୍ଧି ଗଣଦୁଷ୍କର୍ମ କରାଯାଇଛି। ଏ ସମ୍ପର୍କରେ ନାବାଳିକାର ମା’ ଆଜି ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ, ପୀଡ଼ିତାର ନାବାଳିକାର ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର । ତାଙ୍କ ବାପାମା’ କାମ କରିବାକୁ ପ୍ରାୟତଃ ବ‌ାହାରକୁ ଯାଇଥା’ନ୍ତି। ଗତ ୧୬ ତାରିଖରେ ଉଭୟଙ୍କ ଅନୁପସ୍ଥିତିର ସୁଯୋଗ ନେଇ ପୂର୍ବରୁ ସେମାନଙ୍କ ଘରକୁ ଆସୁଥିବା ଜଣେ ଯୁବକ ଗାମୁଛାରେ ନାବାଳିକାର ମୁହଁ ଓ ଗୋଡ଼କୁ ବାନ୍ଧି ଦୁଷ୍କର୍ମ କରିଥିଲା ।

ଖାଲି ସେ ଏକା ନୁହେଁ କିମ୍ବା ଥରୁଟିଏ ନୁହେଁ, ଅନ୍ୟ ଜଣେ ଲୋକ ବି ଦୁଷ୍କର୍ମ କରିଥିଲା । ଠିକ୍‌ ପରଦିନ ବି ସମାନ ଘଟଣା ଘଟିଲା । ସେହି ଯୁବକ ଓ ଅନ୍ୟଜଣେ ପୁଣିଥରେ ଜୋର୍‌ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏ ସମ୍ପର୍କରେ କାହାରିକୁ କହିଲେ ନାବାଳିକା ଓ ତା ସାନଭାଇକୁ ହତ୍ୟା କରିବେ ବୋଲି ସେମାନେ ଧମକ ଦେଇଥିଲେ । ଫଳରେ ନାବାଳିକା ଜଣକ ଭୟରେ ପରିବାର ଲୋକଙ୍କୁ କିଛି କହି ନ ଥିଲେ ।

ତେବେ ସେ ଅସୁସ୍ଥ ହେବାରୁ ଦୁଷ୍କର୍ମ ସମ୍ପର୍କରେ ବାପା-ମା’ଙ୍କୁ ଜଣାଇଥିଲେ। ଏହାପରେ ପୀଡ଼ିତା ନାବାଳିକାର ମା’ ଆଜି ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଉକ୍ତ ଅଭିଯୋଗକୁ ସାଲେପୁର ପୁଲିସ ସ୍ବୀକାର କରିଥିଲା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ମାମଲା ରୁଜୁ ହୋଇ ନ ଥିବା ସୂଚନା ଦେଇଛି । ଏହି ଘଟଣା କିନ୍ତୁ ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।