ହୀରାକୁଦ ବନ୍ଧ ସ୍ଥିତି ସନ୍ତୋଷଜନକ : ସିଏସଏମଆରଏସ୍ ପକ୍ଷରୁ ରିପୋର୍ଟ ଦାଖଲ; ଖୁବଶୀଘ୍ର ଆଉ ଏକ ଟିମ୍ କରିବ ବିସ୍ତୃତ ଯାଞ୍ଚ

94

କନକ ବ୍ୟୁରୋ : ହୀରାକୁଦ ନଦୀବନ୍ଧର ବୟସକୁ ଦେଖିଲେ ଏହାର ସ୍ଥିତି ସନ୍ତୋଷଜନକ ଥିବା ରିପୋର୍ଟ ଦେଇଛନ୍ତି କେନ୍ଦ୍ରୀୟ ମୃତିକା ଓ ଧାତବ ଗବେଷଣା ଷ୍ଟେସନର ବିଶେଷଜ୍ଞ ଟିମ୍ । ଓଡ଼ିଶା ସରକାରଙ୍କ ଅନୁରୋଧକ୍ରମେ ସିଏସଏମଆରଏସର ୨ଜଣ ବୈଜ୍ଞାନିକ ୩ ଦିନ ଧରି ହୀରାକୁଦ ବନ୍ଧର ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିଥିଲେ । ସେମାନେ ଅପରେସନ୍ ଗ୍ୟାଲେରୀ, ଫାଉଣ୍ଡେସନ୍ ଗ୍ୟାଲେରି, ସ୍ପିଲୱେ, ଗେଟ୍ ଆଦି ନଦୀବନ୍ଧର ସବୁ ଅଂଶ ଯାଞ୍ଚ କରିଥିଲେ । ପୂର୍ବରୁ ରହିଥିବା ଫାଟଗୁଡ଼ିକ ସମେତ ଡ୍ୟାମର ନିରାପତ୍ତା ସମ୍ପର୍କିତ ସମସ୍ତ ଉପାଦାନର ଅନୁଧ୍ୟାନ କରିଥିଲେ ।

ଏହା ପରେ ୨୧ ତାରିଖ ଦିନ ସେମାନେ ନିଜର ରିପୋର୍ଟ ପ୍ରଦାନ କରିଥିବା ଅପର ମହାନଦୀ ବେସନ୍ ମ୍ୟାନେଜର ତଥା ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି । ପ୍ରାରମ୍ଭିକ ଯାଞ୍ଚରୁ ବୟସ ଅନୁସାରେ ହୀରାକୁଦ ବନ୍ଧର କଂକ୍ରିଟ୍ ଓ ଯନ୍ତ୍ରାଂଶର ସ୍ଥିତି ସନ୍ତୋଷଜନକ ବୋଲି ସେମାନେ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଏହା ସହ ବିସ୍ତୃତ ଯାଞ୍ଚ, ବିଭିନ୍ନ ସମସ୍ୟାର ନିର୍ଦ୍ଧିଷ୍ଟ ଭାବେ ଅନୁଧ୍ୟାନ ଓ ପ୍ରତିକାର ନିମନ୍ତେ ଆଉ ଏକ ଅନୁସନ୍ଧାନ ପାଇଁ ସେମାନେ ସୁପାରିଶ କରିଛନ୍ତି । ଏଥିପାଇଁ ବ୍ୟୟ ଅଟକଳ ମଧ୍ୟ ପ୍ରଦାନ କରିଛନ୍ତି । ଓଡ଼ିଶା ସରକାର ସେ ବାବଦ ଅର୍ଥ ଜମା କଲେ ସିଏସଏମଆରଏସ୍ ଆଉ ଏକ ଟିମ୍ ଆସି ବିସ୍ତୃତି ଅନୁସନ୍ଧାନ କରିବ ବୋଲି ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।