ବର୍ଷା କଲା କାଳ ! ଚାଷ ଜମିରେ ଏବେ ଲହଡି ଭାଙ୍ଗୁଛି ବନ୍ୟାପାଣି, ଉଜୁଡ଼ା ଚାଷକୁ ନେଇ ଚିନ୍ତାରେ ଚାଷୀ ।

362

କନକ ବ୍ୟୁରୋ : ବର୍ଷା କଲା କାଳ । ନଦୀରେ ବଢ଼ିଲା ବନ୍ୟାପାଣି । ବର୍ଷା ଅଭାବ କାରଣରୁ ଚାଷୀ ଯେତିକି ଚିନ୍ତିତ ଥିଲା, ଲଘୁଚାପ ଜନିତ ବର୍ଷା ଚାଷୀର ଚିନ୍ତାକୁ ଅଧିକ ବଢ଼ାଇ ଦେଇଛି । ଚାଷ ଜମିରେ ବନ୍ୟାପାଣି ପଶିଯାଇଛି । ପରିବା ଫସଲକୁ ନଷ୍ଟ କରି ଦେଇଛି । ଉଜୁଡ଼ା ଚାଷକୁ ନେଇ ଏବେ ଚିନ୍ତାରେ ପଡ଼ିଛି ଚାଷୀ ।

ଚାଷ ଜମିରେ ଲହଡି ଭାଙ୍ଗୁଛି ବନ୍ୟାପାଣି । ଉଜୁଡିଗଲା ଫସଲ, ଧୋଇଗଲା ଧାନ ତଳି । ଏ ଘଟଣା ହେଉଛି ରାୟଗଡା ଜିଲ୍ଲା ଗୁଣପୁର, ରାମାନାଗୁଡା, ଗୁଡାରୀ, ପଦ୍ମପୁର ବ୍ଲକର ଚାଷ ଜମିର । ବର୍ଷା ଅଭାବରୁ ଏହି ସବୁ ଅଂଚଳରେ ଚଳିତ ବର୍ଷ ମରୁଡି ସ୍ଥିତି ଉପୁଜିଥିଲା । ହେଲେ ଏବେ ୪୮ ଘଂଟା ଧରି ଲଗାଣ ବର୍ଷା ଫଳରେ ବଂଶଧାରା ନଦୀରେ ବନ୍ୟା ସ୍ଥିତି ଉପୁଜିଛି । ନଦୀରେ ବନ୍ୟା ଜଳ ଆସିବା ଫଳରେ ହେକ୍ଟର ହେକ୍ଟର ଚାଷ ଜମିରେ ଏବେ ଜମି ରହିଛି ବନ୍ୟା ପାଣି । ଜମିରେ ବାଲି ଚରି ଯିବାରୁ ଧାନ ତଳି ସବୁ ନଷ୍ଟ ହୋଇଯାଇଛି । ପନି ପରିବାରେ ପଟୁ ମାଟି ଜମିଯାଇଛି । ଫଳରେ ଧାର କରଜ କରି ଫସଲ କରିଥିବା ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

ନଦୀର ଆଡ଼ିବନ୍ଧ ନଥିବାରୁ ବିଲରେ ବନ୍ୟା ପାଣି ପଶୁଛି । ଅନେକ ସମୟରେ ଚାଷୀଙ୍କୁ ଏପରି ସମସ୍ୟାକୁ ସାମ୍ନା କରିବାକୁ ପଡ଼ୁଛି । ହେଲେ ଏନେଇ କୌଣସି ପଦକ୍ଷେପ ପ୍ରଶାସନ ନେଉନଥିବା କହିଛନ୍ତି ଚାଷୀ । ସେପଟେ ଉପଜିଲ୍ଲାପାଳ କହିଛନ୍ତି ରାଜସ୍ୱ ଓ କୃଷି ବିଭାଗ ମିଳିତ ଭାବେ କ୍ଷୟକ୍ଷତିର ଆକଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କ୍ଷୟକ୍ଷତି ଆକଳନର ରିପୋର୍ଟ ଆସିଲେ ତଦନ୍ତନୁଯାୟୀ ପଦକ୍ଷେପ ନିଆଯିବ । ଚଳିତ ବର୍ଷ ରାୟଗଡା ଜିଲ୍ଲାରେ ବର୍ଷା ଅଭାବ କାରଣରୁ ମରୁଡି ସ୍ଥିତି ଉପୁଜିଥିବା ବେଳେ ଏବେ ଲଗାଣ ବର୍ଷା ଚାଷୀର ଚିନ୍ତାକୁ ଅଧିକ ବଢାଇଦେଇଛି ।