ବର୍ଷା କମିଛି, ଚାଷ ଉଜୁଡିଛି । ଏବେ ବି ପାଣି ଘେରରେ ହଜାର ହଜାର ହେକ୍ଟର ଧାନ ଫସଲ ।

55

କନକ ବ୍ୟୁରୋ : ଲଗାଣ ବର୍ଷା ଛାଡିଯାଇଛି ସତ, ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା । ଲଗୁଚାପ ଜନିତ ବର୍ଷାରେ ଯାଜପୁର ଜିଲ୍ଳା ବଡଚଣା ବ୍ଲକର ଭରତପୁର, ବରଦା ପଞ୍ଚାୟତ ବିଶେଷ ପ୍ରଭାବିତ ହୋଇଛି । ଗେବରୀ ନଦୀରେ ବନ୍ୟା ଜଳ ମାଡିଆସିବାରୁ ବରଦା ପଞ୍ଚାୟତର ଚାଷ ଜମିରେ ପାଣି ମାଡି ଯାଇ ଧାନ ଫସଲ ବୁଡି ରହିଛି । ଜଳ ନିଷ୍କାସନର ସୁବିଧା ନଥିବାରୁ ଧାନ ଫସଲ ୪ରୁ ୫ଦିନ ହେବ ପାଣିରେ ବୁଡି ରହିଛି ।

ସେହିପରି ଭରତପୁର ପଞ୍ଚାୟତର ପାରିପଲେଇ ଗ୍ରାମବାସୀ ବନ୍ୟା ପାଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଛନ୍ତି । ଚାରିଆଡେ ଖାଲି ପାଣି ଆଉ ପାଣି । ଚାଷ ଜମି, ରାସ୍ତାଘାଟ ସବୁ ସମାନ ଦିଶୁଛି । ରାସ୍ତା ଘାଟରେ ଆଣ୍ଠୁଏ ଲେଖାଏ ବର୍ଷା ଜଳ ଜମି ରହିଛି । ଫଳରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖିନ ହେଉଛନ୍ତି । ଅନ୍ୟପଟେ ବଡଚଣା ବିଧାୟକ ଅମର ପ୍ରସାଦ ଶତପଥି ବଡଚଣା ବ୍ଲକର ନଳୀପୁର, ରାଧାଦେଇପୁର, ବାଲିଚନ୍ଦ୍ରପୁର, ଗୋପାଳପୁର ଭଳି ପ୍ରଭାବିତ ଅଞ୍ଚଳ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।