୧୨୮ ବର୍ଷ ପରେ ଅଲମ୍ପିକରେ ସାମିଲ ହୋଇପାରେ କ୍ରିକେଟ୍ । ୨୦୨୮ ଅଲମ୍ପିକରେ କ୍ରିକେଟକୁ ସାମିଲ ନେଇ ବଢିଲା ସମ୍ଭାବନା ।

139

କନକ ବ୍ୟୁରୋ: ଅଲମ୍ପିକ୍ ଗେମ୍ସରେ ସାମିଲ ହେବ କ୍ରିକେଟ୍ । ୧୨୮ ବର୍ଷ ପରେ ଅଲମ୍ପିକ୍ସରେ କ୍ରିକେଟ୍ ଖେଳ ସାମିଲ ହେବା ନେଇ ପୁଣିଥରେ ନୂଆ ସମ୍ଭାବନା ସୃଷ୍ଟି ହୋଇଛି । ତେବେ ୧୯୦୦ ମସିହାରେ ହୋଇଥିବା ଅଲମ୍ପିକରେ କ୍ରିକେଟକୁ ସ୍ଥାନ ମିଳିଥିଲା, ସେବେଠୁ ପ୍ରାୟ ଶହେ ବର୍ଷ ବିତିଯାଇଥିଲେ ବି ଏପର୍ଯ୍ୟନ୍ତ ଅଲମ୍ପିକ ଗେମରେ କ୍ରିକେଟ୍ ସାମିଲ ହୋଇପାରିନାହିଁ । ହେଲେ ୨୦୨୮ ମସିହାରେ ହେବାକୁ ଥିବା ଅଲମ୍ପିକ୍ ଗେମ୍ସରେ କ୍ରିକେଟ୍ ସାମିଲ ହୋଇପାରେ ବୋଲି ସୂଚନା ମିଳୁଛି ।

୧୯୦୦ ମସିହାରେ ପ୍ୟାରିସରେ ଅଲମ୍ପିକ୍ ଆୟୋଜନ କରାଯାଇଥିଲା । ଏହି ଅଲମ୍ପିକରେ କ୍ରିକେଟକୁ ସ୍ଥାନ ମିଳିଥିଲା ଆଉ ଗ୍ରେଟ୍ ବ୍ରିଟେନ୍ ସ୍ୱର୍ଣ୍ଣ ପଦକ ଜିତିଥିଲା । ହେଲେ ସେବେଠୁ ଆଉ କ୍ରିକେଟକୁ ଅଲମ୍ପିକରେ ଦେଖିବାକୁ ମିଳିନି । ଆସନ୍ତା ୨୦୨୮ ମସିହାରେ ଅଲମ୍ପିକ ଲସ୍ ଏଞ୍ଜୋଲିସରେ ହେବାକୁ ଥିବାବେଳେ, ଏହି ଅଲମ୍ପିକରେ କ୍ରିକେଟ୍ ସାମିଲ ହୋଇପାରେ ବୋଲି ସୂଚନା ମିଳୁଛି । ଇଣ୍ଟରନ୍ୟାସନାଲ ଅଲମ୍ପିକ୍ କମିଟି ଏଥିପାଇଁ ୮ଟି ଖେଳକୁ ସର୍ଟଲିଷ୍ଟ କରିଛି । ଯେଉଁଥିରେ କ୍ରିକେଟ୍ ମଧ୍ୟ ସାମିଲ ଅଛି । ତେବେ ଅଲମ୍ପିକ୍ ଆୟୋଜନ କମିଟି ଏନେଇ ଆଇସିସିର ପକ୍ଷ ରଖିବାକୁ କହିଥିଲା ।

ଆଇଓସି ଏହି ୮ଟି ଖେଳକୁ ସର୍ଟଲିଷ୍ଟ କରିବା ପରେ ବିଚାରବିମର୍ଶ କରି ଅଲମ୍ପିକରେ ଏହାକୁ ସାମିଲ କରାଯିବ । ଏହାର ଘୋଷଣା ଆସନ୍ତାବର୍ଷ ହୋଇପାରେ । ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଫେବ୍ରୁଆରୀ ମାସରେ ଏକ ମିଟିଂ କରାଯାଇ ୨୮ଟି ନୂଆ ଖେଳକୁ ଆଗାମୀ ଅଲମ୍ପିକରେ ସାମିଲ କରାଯାଇଥିଲା । ତେବେ ୨୦୨୮ ଅଲମ୍ପିକ୍ସରେ କେଉଁ କେଉଁ ନୂଆ ଖେଳକୁ ସାମିଲ କରାଯିବ ତାହା ଆଗାମୀ ଦିନରେ ଜଣାପଡିପାରେ ।

ଚଳିତବର୍ଷ ଇଂଲଣ୍ଡର ବର୍ମିଙ୍ଘମରେ ଖେଳାଯାଉଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟକୁ ସାମିଲ କରାଯାଇଛି । ଯାହାକି ୨୪ ବର୍ଷ ପରେ ହୋଇଛି । ଏହା ପୂର୍ବରୁ ୧୯୯୮ ମସିହାରେ ରାଜ୍ୟଗୋଷ୍ଠୀ କ୍ରୀଡାରେ କ୍ରିକେଟ୍ ଖେଳାଯାଇଥିଲା । ହେଲେ ଏଥର ଟି-୨୦ ଫର୍ମାଟରେ ମହିଳା କ୍ରିକେଟକୁ ରାଜ୍ୟଗୋଷ୍ଠୀ କ୍ରୀଡାରେ ସାମିଲ କରାଯାଇଛି ।