ଆଜିଠାରୁ ସାଧାରଣ ଲୋକଙ୍କ ଟିକାକରଣ : ବୟସ୍କ ଓ ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତି ନେଇପାରିବେ ଟିକା

କୋ-ୱିନ ଆପରେ ହେବ ପଞ୍ଜିକରଣ, ଟିକାଦାନ କେନ୍ଦ୍ରରେ ମଧ୍ୟ ଅନସ୍ପଟ ରେଜିଷ୍ଟ୍ରେସନ୍; ଘରୋଇ ହସ୍ପିଟାଲରେ ଟିକା ପାଇଁ ଦେବାକୁ ପଡିବ ଅଢ଼େଇ ଶହ ଟଙ୍କା

104

କନକ ବ୍ୟୁରୋ : ଗୋଟିଏ ପଟେ ଦେଶରେ କରୋନା ସଂକ୍ରମଣ ଧିରେ ଧିରେ ବଢ଼ୁଥିବା ବେଳେ ଆଜିଠାରୁ ଆରମ୍ଭ ହେଉଛି ସାଧାରଣ ଲୋକଙ୍କ ଟିକାକରଣ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଓ ସମ୍ମୁଖ କରୋନା ଯୋଦ୍ଧାଙ୍କ ଟିକାକରଣ ହେଉଥିବା ବେଳେ ଏହି ପର୍ଯ୍ୟାୟରେ ୬୦ ବର୍ଷ ଓ ତା’ଠାରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଦିଆଯିବ ଟିକା । ଅବଶ୍ୟ ୪୫ରୁ ୫୯ ବର୍ଷ ମଧ୍ୟରେ ଥିବା ଯେଉଁ ବ୍ୟକ୍ତି ବିଭିନ୍ନ ରୋଗରେ ପୀଡ଼ିତ ଥିବେ, ସେମାନଙ୍କୁ ମଧ୍ୟ ଟିକାକରଣ କରାଯିବ ।

ଟିକା ନେବାକୁ ଇଚ୍ଛା କରୁଥିବା ବ୍ୟକ୍ତି ଆଗୁଆ ପଂଜିକରଣ କରିବେ । କୋୱିନ୍-୨ ପୋର୍ଟାଲରେ ନାଁ ଓ ମୋବାଇଲ୍ ନମ୍ବର ଦେଇ ପଂଜିକୃତ କରିବାକୁ ହେବ । ଓଟିପି ଆସିବା ପରେ ପରିଚୟ ପତ୍ରର ବିବରଣୀ ଦେବେ । ଜନ୍ମ ତାରିଖ ଓ ଲିଙ୍ଗ ସଂପର୍କରେ ଜଣାଇବେ । ସବୁ ତଥ୍ୟ ଦେବା ପରେ ସ୍ୱୀକୃତି ପତ୍ର ମିଳିବ । ପୋର୍ଟାଲରେ ଥିବା ଡାକ୍ତରଖାନାର ତାଲିକାରୁ ବାଛିବାକୁ ହେବ । ଏହାପରେ ଟିକା ନେବା ତାରିଖ ଓ ସମୟ ସଂପର୍କରେ ମୋବାଇଲକୁ ମେସେଜ୍ ଆସିବ । ଉଭୟ ତାଲିକାଭୁକ୍ତ ସରକାରୀ ଓ ବେସରକାରୀ ହସପିଟାଲରେ କରୋନା ଟିକା ଦିଆଯିବ । ଉଭୟ ଅନ୍ଲାଇନ୍ ଓ ଅନ୍ସାଇଟ୍ରେ ପଂଜିକରଣ କରିହେବ ।

ଆଜିଠାରୁ ପଂଜିକରଣ ପାଇଁ କୋୱିନ୍ ପୋର୍ଟାଲ ଖୋଲିବ । ୪୫ରୁ ୫୯ ବର୍ଷର ବ୍ୟକ୍ତି ଯେଉଁମାନେ ଜଟିଳ ରୋଗରେ ପୀଡ଼ିତ ଜଣେ ଡାକ୍ତରଙ୍କ ଠାରୁ ପ୍ରମାଣ ପତ୍ର ଦେବାକୁ ହେବ । କେଉଁ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଦିଆଯିବ ଟିକା? ୨୦ ପ୍ରକାର ରୋଗର ତାଲିକା କରାଯାଇଛି । ଏଥିରେ ରହିଛି ହୃଦ ରୋଗ, ରକ୍ତଚାପ, ଡାଇବେଟିସ୍ , କିଡନୀ, ଲିଭର, ସିରୋସିସ୍, ଶ୍ୱାସ ରୋଗ,ରକ୍ତହୀନତା, କର୍କଟ, ଏଚ୍ଆଇଭି ଆଦି ରୋଗ । ସରକାରୀ ଡାକ୍ତରଖାନାରେ ଟିକା ମାଗଣାରେ ଦିଆଯିବ । କିନ୍ତୁ ଘରୋଇ ଡାକ୍ତରଖାନାରେ ଡୋଜ୍ ପିଛା ୨୫୦ ଟଙ୍କା ଦେବାକୁ ହେବ । ପ୍ରଥମ ପର୍ଯ୍ୟାୟରେ ଦେଶରେ ପ୍ରଥମ ଡୋଜ୍ ଓ ଦ୍ୱିତୀୟ ଡୋଜ୍ ମିଶାଇ ଦିଆଯାଇଛି ମୋଟ ୧ କୋଟି ୩୪ ଲକ୍ଷ ୭୨ ହଜାର ଟିକା ।

ସେହିପରି ରାଜ୍ୟରେ ୬ ଲକ୍ଷ ୧୨ ହଜାର ଡୋଜ୍ ଟିକା ଦିଆସରିଛି । ବାକି ଥିବା ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କ ଟିକାକରଣ ମଧ୍ୟ ସମାନ୍ତରାଳ ଭାବେ ଜାରି ରହିବ । ସକାଳ ୯ଟାରୁ କୋଓି୍ୱନ ଆପରେ ଆପଣ ପଞ୍ଜିକରଣ କରିପାରିବେ ।ଏକା ସାଙ୍ଗରେ ନିଜକୁ ମିଶାଇ ସର୍ବାଧିକ ୪ ଜଣଙ୍କ ପଞ୍ଜିକରଣ କରିପାରିବେ । ନିଜ ଇଚ୍ଛାରେ ଟିକାକରଣ କେନ୍ଦ୍ର ଚୟନ କରିପାରିବେ । ଆପଣ ପଞ୍ଜିକରଣ ସମୟରେ ଉପଯୁକ୍ତ ସମୟ ଓ ଉପଲବ୍ଧ ହେଉଥିବା ସ୍ଲଟ୍ ବୁକ୍ କରିପାରିବେ । ନିର୍ଦ୍ଦାରିତ ଦିନ ଓ ସମୟରେ ଆପଣ ଟିକା ନେଇପାରିବେ ।