ନୀତି ଆୟୋଗଙ୍କ ବଡ ସୂଚନା । ବର୍ତ୍ତମାନ ଖୋଲା ବଜାରରେ ମିଳିବ ନାହିଁ କୋଭିଡ ଟିକା । କେବଳ ସରକାର କିଣି ଲୋକଙ୍କୁ ଯୋଗାଇବେ

92

କନକ ବ୍ୟୁରୋ : କରୋନା ମହାମାରୀ ବିରୋଧରେ ଲଢେଇ ଏବେ ଏକ ନିର୍ଣ୍ଣାୟକ ମୋଡରେ ପହଂଚିଛି । ଏନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ ଚଳିତ ମାସ ୧୬ ତାରିଖରୁ ଦେଶରେ ଟିକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୩ କୋଟି ଆଗ ଧାଡିର କରୋନାଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି ସରକାର ସୂଚନା ଦେଇଛନ୍ତି । ଟିକାକରଣ ପୂର୍ବରୁ ନୀତି ଆୟୋଗ ବୁଧବାର ଦିନ ସ୍ପଷ୍ଟ କରିଛନ୍ତି କି ଯେଉଁ ଭ୍ୟାକସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି ସେହି କୋଭିଡ ଭ୍ୟାକସିନକୁ ବଜାରରେ ବିକ୍ରି ପାଇଁ ଅନୁମତି ମିଳିବ ନାହିଁ  । ନୀତି ଆୟୋଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି କି ସିରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକର ଭ୍ୟାକସିନ ସେପର୍ଯ୍ୟନ୍ତ ବଜାରରେ ବିକ୍ରି ହୋଇପାରିବ ନାହିଁ ଯେପର୍ଯ୍ୟନ୍ତ ସରକାର ଅନୁମତି ଦେଇ ନାହାନ୍ତି ।

କହିରଖୁ କି ସରକାର ସିରମ ଇନଷ୍ଟିଚ୍ୟୁଟ୍ ର କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ର କୋଭାକସିନ୍ ଟିକାକୁ ଡିସିଜିଆଇ ଜରୁରୀ କାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଜାନୁଆରୀ ୧୬ ତାରିଖରୁ ଦେଶରେ ପ୍ରଥମପର୍ଯ୍ୟାୟ ଟିକାକରଣ ଆରମ୍ଭ କରାଯିବ । ପ୍ରଥମ ପର୍ଯ୍ୟାୟରେ ଦେଶର ଆଗଧାଡିର କରୋନାଯୋଦ୍ଧାଙ୍କୁ ଏହି ଟିକା ପ୍ରଦାନ କରାଯିବ । ଏହାପରେ ୫୦ ବର୍ଷରୁ ଉର୍ଦ୍ଧ ବୟସ୍କ ଲୋକଙ୍କୁ ଟିକା ଦିଆଯିବ । ଏଥିରେ ପୋଲିସ କର୍ମୀ ଓ ସୈନିକ ମାନଙ୍କୁ ଅଗ୍ରାଧିକାର ଭିତିରେ ଟିକା ପ୍ରଦାନ କରାଯିବ ।

ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋଭିଡ୍ ଟିକା କୋଭାକସିନ ଭାରତ ସରକାରଙ୍କୁ ପ୍ରତି ଡୋଜକୁ ୨୯୫ ଟଙ୍କାରେ ବିକ୍ରି କରୁଛି । ସରକାରଙ୍କ ତରଫରୁ ୫୫ ଲକ୍ଷ ଭ୍ୟାକସିନ ପାଇଁ ଅର୍ଡର ଦିଆଯାଇଛି । ତାହା ମଧ୍ୟରୁ ଭାରତ ବାୟୋଟେକ କେନ୍ଦ୍ର ସରକାରଙ୍କ ଠାରୁ ୩୮.୫ ଲକ୍ଷ ଟିକା ବାବଦରେ ଟଙ୍କା ନେବ ଓ ବାକି ଟିକା କମ୍ପାନୀ ତରଫରୁ ସରକାରଙ୍କୁ ମାଗଣାରେ ଯୋଗାଇ ଦିଆଯିବ । ସେହିଭଳି କେନ୍ଦ୍ର ସରକାର ସିରମ ଇନଷ୍ଟିଚ୍ୟୁଟ ଠାରୁ ୧ କୋଟି କୋଭିସିଲ୍ଡ ଟିକା କିଣିବାକୁ ଅଗ୍ରୀମ ଦେଇଛି । ଏହି ଟିକାର ପ୍ରତି ଖୋରାକ ପ୍ରତି ମୂଲ୍ୟ କମ୍ପାନୀ ତରଫରୁ ୨୦୦ ଟଙ୍କା ରଖାଯାଇଛି ।  ସିରମ ଇନଷ୍ଟିଚ୍ୟୁଟ ର ମାଲିକ ଅଦାର ପୁନେୱାଲା କିଛିଦିନ ପୂର୍ବରୁ କହିଥିଲେ କି କୋଭିସିଲ୍ଡକୁ ଅନୁମତି ମିଳିବା ପରେ ଏହାର ବଜାର ମୂଲ୍ୟ ୧ ହଜାର ଟଙ୍କା ରହିବ ।

ଟିକା ପାଇଁ ପଞ୍ଜିକରଣ ସହ ଲୋକଙ୍କୁ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାରେ କୋ-ୱିନ୍ ଆପ୍ ର ବେସ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ଏହି ଆପ୍ ମାଧ୍ୟମରେ ଲୋକମାନେ ଟିକା ନେବା ପାଇଁ ପଞ୍ଜିକରଣ କରିପାରିବେ । ଏହା ପରେ ଏହି ଆପ୍ ଆପଣଙ୍କୁ କେବେ ଓ କେଉଁଠି ଟିକା ପ୍ରଦାନ କରାଯିବ ତାହାର ସୂଚନା ଦେବା ସହ ଆହୁରି ଅନେକ ଆନୁସାଙ୍ଗିକ ସୁବିଧା ଯୋଗାଇଦେବ । କହିରଖୁ କି ଟିକା ନେବା ବା ନ ନେବା ତାହା ସମ୍ପୁର୍ଣ୍ଣ ଆପଣଙ୍କ ଇଚ୍ଛାଧିନ । ଯେଉଁ ବ୍ୟକ୍ତି ଟିକା ନେବାକୁ ମନା କରିବ ତାହାର ନାମ ତାଲିକାରୁ ହଟାଇ ଦିଆଯିବ । ଯେଉଁ ମାନେ ଟିକା ନେବାକୁ ପଞ୍ଜିକରଣ କରିଥିବେ ସେମାନଙ୍କ ନିକଟକୁ ଟିକା ନେବାର ତାରିଖ ଓ ସ୍ଥାନ ଏହି ଆପ୍ ମାଧ୍ୟମରେ ଆପଣଙ୍କୁ ମେସେଜ ଦ୍ୱାରା ସୂଚନା ଦିଆଯିବ ।