ଦେଶରେ ଉପରକୁ ଉଠୁଛି କରୋନା ମିଟର । ଟିକା ନେବା ପାଇଁ କିନ୍ତୁ ଗ୍ରାମାଂଚଳ ଲୋକଙ୍କ ଆଗ୍ରହ କମ୍ । ଲକ୍ଷ୍ୟ ହାସଲ ନେଇ ବଢ଼ୁଛି ସନ୍ଦେହ ।

78

କନକ ବ୍ୟୁରୋ: ମହାରାଷ୍ଟ୍ର ସସେତ କିଛି ରାଜ୍ୟରେ କରୋନା ପୁଣି କାୟା ମେଲାଉଥିବା ବେଳେ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉଛି । ସହରରେ ଟିକାକରଣ ଏକପ୍ରକାର ଭଲ ଚାଲିଛି, ହେଲେ ଛୋଟ ସହର ଓ ଗ୍ରାମାଂଚଳରେ ଟିକା ନେବା ପାଇଁ ଲୋକଙ୍କ ଆଗ୍ରହ ଦେଖିବାକୁ ମିଳୁନି । ରାୟଗଡ଼ା ଜିଲ୍ଲାରେ ୬୦ ବର୍ଷରୁ ଅଧିକ ଓ ଗୁରୁତର ରୋଗରେ ପୀଡିତ ୪୫-୫୯ ବର୍ଷର ୧ ଲକ୍ଷ ୬ ହଜାର ଲୋକଙ୍କୁ ଟିକା ଦେବା ଲକ୍ଷ୍ୟ ରହିଛି । ହେଲେ ଏଯାବତ ଟିକା ନେଇଛନ୍ତି ମାତ୍ର ୩୧୧ ଜଣ ।

ଟିକାକରଣକୁ ନେଇ ଗାଁ-ସହର, ଧନୀ-ଗରିବ ଭିତରେ ପାର୍ଥକ୍ୟ ଦେଖିବାକୁ ମିଳୁଛି । ସହରୀ ଲୋକ ବିଶେଷ କରି ଶିକ୍ଷିତ ଓ ମଧ୍ୟବିତ ପରିବାର ଲୋକ ଟିକା ନେବା ପାଇଁ ଯେତିକି ଆଗ୍ରହ ଦେଖାଉଛନ୍ତି, ସେତିକି ଗ୍ରାମାଂଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ଆଗ୍ରହ ନାହିଁ । ସହର ତଳି ବସ୍ତିରେ ବି ନିରୁତ୍ସାହଜନକ ରହିଛି ଟିକାକରଣ । ଓଡିଶାରେ ଦୈନିକ ୧ ଲକ୍ଷ ଲୋକଙ୍କୁ ଟିକା ଦେବା ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଖରାକୁ ଦୃଷ୍ଟିରେ ରଖି ୭୦୦ କେନ୍ଦ୍ରରେ ଟିକା ଦିଆଯିବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ହେଲେ ଏହି ଟାର୍ଗେଟ ପୂରଣ ନେଇ ଏବେ ବି ସନ୍ଦେହ ରହିଛି ।

ଗୋଟିଏ ପଟେ ଟିକାକରଣ ଯେଉଁ ଗତିରେ ଚାଲିବା କଥା, ତାହା ହୋଇପାରୁନଥିବା ବେଳେ ଦେଶର ୬ଟି ରାଜ୍ୟର ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଆଉ ସେହି ସବୁ ସ୍ଥାନରୁ ଓଡ଼ିଶାକୁ ପ୍ରତିଦିନ ଗଡ଼ୁଛି ଟ୍ରେନ୍ । ତେଣୁ ରାଜ୍ୟରେ କରୋନା ନିୟନ୍ତ୍ରଣରେ ଥିବା ସ୍ଥିତି ବଦଳିଯିବା ଆଶଙ୍କା ରହିଛି । ମହାରାଷ୍ଟ୍ରର ଦୈନିକ ସଂକ୍ରମଣ ବଢ଼ିବାରେ ଲାଗିଛି । ଆଉ ମହାରାଷ୍ଟ୍ରରୁ ପ୍ରତିଦିନ ଓଡ଼ିଶାକୁ ଆସୁଛି ଟ୍ରେନ । କୋଣାର୍କ ଏକ୍ସପ୍ରେସ ପ୍ରତିଦିନ ଭୁବନେଶ୍ୱରକୁ ଆସୁଛି, ଭୁବନେଶ୍ୱରରୁ ବାହାରୁଛି । ଲୋକମାନ୍ୟ ତିଳକ ଏକ୍ସପ୍ରେସ ମଧ୍ୟ ସପ୍ତାହକୁ ୩ ଦିନ ଯିବାଆସିବା କରୁଛି । ତାମିଲନାଡୁରୁ ପ୍ରତିଦିନ ୩ଟି ଟ୍ରେନ ଓ ଗୁଜରାଟରୁ ସପ୍ତାହରେ ୬ଟି ଟ୍ରେନ ଗଡୁଛି । ଛତିଶଗଡ଼ରୁ ମଧ୍ୟ ଟ୍ରେନ ଆସୁଛି । ତେଣୁ ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢିବାରେ ବୋଲି ଆଶଙ୍କା କରାଯାଉଛି ।